ଏସ୍ସିବିରେ ଡ୍ରେସର ସଂକଟ; ୩ ଜଣ ଡ୍ରେସର୍ରେ ଚାଲିଛି ଡାକ୍ତରଖାନା

କଟକ,୧୭ା୪(ବ୍ୟୁରୋ): ଏସ୍ସିବି ମେଡିକାଲ୍ କଲେଜ୍ ଏବଂ ହସ୍ପିଟାଲରେ ଏବେ ଡ୍ରେସର ସଙ୍କଟ ପଡ଼ିଛି । ଡାକ୍ତରଖାନାରେ ଦିନକୁ ଦିନ ରୋଗୀଙ୍କ ସଂଖ୍ୟା ବଢ଼ୁଛି, ୱାର୍ଡ ସଂଖ୍ୟା ବି ବଢ଼ିଛି । ହଜାରେ ବେଡ୍ରୁ ଏବେ ଦୁଇ ଗୁଣାରୁ ଅଧିକ ବେଡ୍ ସଂଖ୍ୟା ପହଞ୍ଚିଛି । ମାତ୍ର ସେହି ଅନୁପାତରେ ଡ୍ରେସର ପଦବି ବୃଦ୍ଧି କରାଯାଉନାହିଁ, କିମ୍ବା ଖାଲି ପଡ଼ିଥିବା ପଦବିରେ କାହାରିକୁ ନିଯୁକ୍ତି ମଧ୍ୟ ନାହିଁ । ଏସ୍ସିବି ଡାକ୍ତରଖାନାରେ କାର୍ଯ୍ୟରତ ଥିବା ଡ୍ରେସର ମଧ୍ୟରୁ ଚାକିରିରୁ ଯିଏ ଅବସର ନେଉଛନ୍ତି ଉକ୍ତ ସ୍ଥାନରେ ଆଉ କାହାରିକୁ ନିଯୁକ୍ତି ଦିଆଯାଉନାହିଁ । ଏମିତି ଡ୍ରେସର ପଦବି କମି କମି ଏବେ ୩ରେ ପହଞ୍ଚିଛି ।
ଡ୍ରେସର ଅଭାବଜନିତ ସମସ୍ୟା ରାଜ୍ୟର ଏହି ପ୍ରମୁଖ ଡାକ୍ତରଖାନାରେ ଦୀର୍ଘ ବର୍ଷ ହେଲା ଲାଗି ରହିଛି । ମଞ୍ଜୁରୀପ୍ରାପ୍ତ ପଦବିରୁ ପ୍ରାୟ ସବୁ ପଦବି ଫାଙ୍କା ପଡ଼ିଥିବାର ସୂଚନା ମିଳିଛି । ଫଳରେ ଡାକ୍ତରଖାନାରେ ରୋଗୀ ସେବା ପ୍ରଭାବିତ ହେବା ସହ ଉତ୍କଟର ସମସ୍ୟା ଦେଖା ଦେଇଛି । ଖାଲି ଥିବା ପଦବି କେବେ ପୂରଣ ହେବ ତାହା ମଧ୍ୟ ସହଜରେ କହି ହେଉନାହିଁ । ସର୍ଜରୀ, ନ୍ୟୁରୋସର୍ଜରୀ, ଅର୍ଥୋପେଡ଼ିକ୍, ପ୍ଲାଷ୍ଟିକ୍ ସର୍ଜରୀ, ୟୁରୋଲୋଜି, ଚକ୍ଷୁ, ଇଏନଟି, ଚର୍ମ ରୋଗ, ଟ୍ରାମା କେୟାର, ଆଶୁଚିକିତ୍ସା କେନ୍ଦ୍ର, ଶିଶୁ ରୋଗ ବିଭାଗ, ହୃଦବକ୍ଷ ଶଲ୍ୟ ବିଭାଗ, ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗ, ଆଉଟ୍ଡୋର୍ ସମେତ ବିଭିନ୍ନ ୱାର୍ଡରେ ଡ୍ରେସର ଅଭାବ ମରୁଡ଼ି ପଡିଛି । ସର୍ଜରୀ, ଆଶୁଚିକିତ୍ସା କେନ୍ଦ୍ର ଓ ଟ୍ରାମା କେୟାରରେ ବହୁ ଡ୍ରେସର ପଦବି ଫାଙ୍କା ପଡ଼ିଛି । ଏସବୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ପଦବି ଖାଲି ପଡିଥିବାରୁ ରୋଗୀ ସେବା ବହୁ ମାତ୍ରାରେ ପ୍ରଭାବିତ ହେଉଥିବାର ଜଣାପଡିଛି । ଅପରେସନ୍ ପରବର୍ତ୍ତୀ ସମୟରେ ରୋଗୀମାନଙ୍କ ନିୟମିତ ଡ୍ରେସିଂ କରିବାର ଆବଶ୍ୟକ ପଡ଼ିଥାଏ । ମାତ୍ର ଡ୍ରେସର ଅଭାବରୁ ରୋଗୀମାନଙ୍କ ଠିକ୍ ଭାବେ ଡ୍ରେସିଂ ହୋଇପାରିନାହିଁ ।
ଆଉ କେତେକ ୱାର୍ଡରେ ଘରୋଇ ସଂସ୍ଥା ଦ୍ୱାରା ନିୟୋଜିତ ହୋଇଥିବା ଆଟେଣ୍ଡାଣ୍ଟ୍ମାନେ ଉପର ଠାଉଣିଆ ଡ୍ରେସିଂ କରୁଥିବାର ଦେଖିବାକୁ ମିଳୁଛି । ଫଳରେ ଅଧିକାଂଶ ସମୟରେ ରୋଗୀମାନେ ସଂକ୍ରମିତ ହୋଇ ସେମାନଙ୍କ ଅବସ୍ଥା ଗୁରୁତର ହୋଇପଡୁଛନ୍ତି । ଡ୍ରେସିଂ ଜନିତ ସମସ୍ୟାକୁ ନେଇ ବର୍ଣ୍ଣ ୱାର୍ଡରେ ସବୁଠାରୁ ଅଧିକ ପ୍ରଭାବିତ ହେଉଛନ୍ତି ପୋଡ଼ା ରୋଗୀ । ଚିକିତ୍ସାଧିନ ସମ୍ପୃକ୍ତ ରୋଗୀମାନଙ୍କୁ ଉପଯୁକ୍ତ ଡ୍ରେସିଂ କରାଯାଇପାରୁନଥିବାରୁ ରୋଗୀମାନେ ସଂକ୍ରମିତ ହୋଇ ମୃତ୍ୟୁ ମୁଖରେ ପଡୁଛନ୍ତି । ଏହି ଘଟଣା ଲୋକଲୋଚନକୁ ଗଲେ ଅଡୁଆ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଥିବାରୁ କର୍ତ୍ତୃପକ୍ଷ ନିଜ ବିଫଳତାକୁ ଚାପି ଦେଇ ବସିପଡିଛନ୍ତି । ଡାକ୍ତରଖାନାରେ ଡ୍ରେସିଂ ଚିକିତ୍ସା ଠିକ୍ ଭାବେ ହୋଇପାରୁନଥିବାରୁ ବାଧ୍ୟ ହୋଇ ରୋଗୀଙ୍କ ସମ୍ପର୍କୀୟମାନେ ବିଭିନ୍ନ ନର୍ସିଂହୋମ୍ରୁ ଡ୍ରେସର ଡକାଇ ରୋଗୀର ଡ୍ରେସର କରାଉଛନ୍ତି । ଏଭଳି ସମସ୍ୟା ନିତିଦିନିଆ ହୋଇଗଲାଣି ।