ରାଜ୍ୟରେ ଦ୍ୱିତୀୟ: କରୋନାରେ ଆଖିବୁଜିଲେ ଆଉ ଜଣେ ଡାକ୍ତର

ପୁରୁଷୋତ୍ତମପୁର, ୧୭/୦୮: ରାଜ୍ୟରେ ଦ୍ୱିତୀୟ କରୋନା ଆକ୍ରାନ୍ତ ଡାକ୍ତରଙ୍କ ମୃତ୍ୟୁ । ମୃତକ କୋଭିଡ୍‌ ଯୋଦ୍ଧା ହେଉଛନ୍ତି ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଭାଟକୁମରଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଇନ୍‌ଚାର୍ଜ ଡାକ୍ତର ବି.କ୍ରିଷ୍ଣା (୪୩)। ଭୁବନେଶ୍ୱରସ୍ଥିତ କୋଭିଡ୍‌ ହସ୍‌ପିଟାଲ୍‌ରେ ତାଙ୍କର ରବିବାର ଭୋର୍‌ ୩ଟାରେ ମୃତ୍ୟୁ ଘଟିଛି । ଗତ ୪ ତାରିଖରେ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କର କୋଭିଡ୍‌ ଟେଷ୍ଟ କରାଯାଇଥିଲା । ରିପୋର୍ଟ ପଜିଟିଭ୍‌ ଆସିବା ପରେ ଅଗଷ୍ଟ ୫ରେ ତାଙ୍କୁ ଭୁବନେଶ୍ୱର ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ତାଙ୍କ ଜୀବନ ରକ୍ଷା କରିବା ସମ୍ଭବପର ହୋଇପାରିନି ବୋଲି ସୂଚନା ଦେଇଛନ୍ତି ଓମ୍‌ସା ପୂର୍ବତନ ରାଜ୍ୟ ସଭାପତି ଡା. ନିରାକାର ଭଟ୍ଟ ।

ଫାଇଲ୍

ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ୍‌ ଭାବନ୍ଧ ପଞ୍ଚାୟତର ନାଇଡୁପଲ୍ଲୀ ଗ୍ରାମରେ ୧୯୭୭ ଅକ୍ଟୋବର ୩ରେ ଜନ୍ମଗ୍ରହଣ କରିଥିଲେ ବି.କ୍ରିଷ୍ଣା । ୨୦୦୬ ମସିହାରେ ଡାକ୍ତର ଭାବେ କର୍ମମୟ ଜୀବନ ଆରମ୍ଭ କରିଥିଲେ । ପୂର୍ବରୁ ସେ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟ କରୁଥିଲେ । ଗଞ୍ଜାମ ଜିଲ୍ଲାକୁ ବଦଳି ସହ ୨୦୧୮ ମସିହାରେ ସେ ଭାଟକୁମରଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକ୍ଷକ ଭାବେ ଦାୟିିତ୍ୱ ଗ୍ରହଣ କରିଥିଲେ । ଜଣେ ଡାକ୍ତର ଭାବେ କର୍ତ୍ତବ୍ୟନିଷ୍ଠା ସେବା ପ୍ରଦାନ କରି ଅଞ୍ଚଳବାସୀଙ୍କ ନିକଟରେ ସୁପରିଚିତ ହୋଇପାରିଥିଲେ ସେ । ଅଧିକ୍ଷକ ଭାବେ ସଫଳ ନେତୃତ୍ୱ ନେବା ସାଙ୍ଗକୁ ଅନ୍ୟ ସହକର୍ମୀ ଓ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀଙ୍କୁ ରୋଗୀ ସେବା ହିଁ ପ୍ରଥମ ବୋଲି ପରାମର୍ଶ ଦେଇ ଆସୁଥିଲେ ।

ତାଙ୍କ ମୃତ୍ୟୁ ଖବରପାଇ ଗଞ୍ଜାମ ଜିଲ୍ଲାର ସମସ୍ତ କୋଭିଡ୍‌ ଯୋଦ୍ଧା, ଡାକ୍ତର ଓ ସାଧାରଣ ପ୍ରଶାସନ ମହଲରେ ଶୋକର ଛାୟା ଖେଳି ଯାଇଛି । ଡା. କ୍ରିଷ୍ଣାଙ୍କ ବିୟୋଗରେ ପ୍ରଶାସନ ପକ୍ଷରୁ ରବିବାର ପୂର୍ବାହ୍ନ ୧୧ଟାରେ ଭାଟକୁମରଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଏକ ଶୋକସଭା ହୋଇଥିଲା । ସ୍ୱର୍ଗତ ଡାକ୍ତରଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ୨ ମିନିଟ ନିରବ ପ୍ରାର୍ଥନା କରିଥିଲେ । ଜଣେ ସଚ୍ଚୋଟ, କର୍ତ୍ତବ୍ୟନିଷ୍ଠ, ସମୟାନୁବର୍ତ୍ତୀ, କରୋନା ଯୋଦ୍ଧାଙ୍କୁ ହରାଇଲୁ ବୋଲି ମତ ପ୍ରକାଶ ପାଇବା ସହ ତାଙ୍କ ପରିବାରକୁ ଭଗବାନ ଅସୀମ ସାହାସ ପ୍ରଦାନ କରନ୍ତୁ ବୋଲି କାମନ କରାଯାଇଥିଲା । ପରେ ଉପରିସ୍ଥ ଅଧିକାରୀଗଣ ସ୍ୱର୍ଗତ ଡାକ୍ତରଙ୍କ ନାଇଡୁପଲ୍ଲୀସ୍ଥିତ ବାସଭବନକୁ ଯାଇ ପରିବାରକୁ ସମବେଦନା ଜ୍ଞାପନ କରିଥିଲେ ।

ଏହି କାଠିକର ସମୟ ପାର କରିବାକୁ ଭଗବାନ ତାଙ୍କ ପରିବାରକୁ ଧୈର୍ଯ୍ୟ ପ୍ରଦାନ କରନ୍ତୁ ବୋଲି ଶୋକବ୍ୟକ୍ତ କରିଛନ୍ତି ଡା. ନିରାକାର ଭଟ୍ଟ । ଡା. କ୍ରିଷ୍ଣା ଜଣେ ନିଷ୍ଠାପର ଓ ଉତ୍ସର୍ଗୀକୃତ ଚିକିତ୍ସକ ଥିଲେ । ତାଙ୍କ ବିୟୋଗ ଖବର ଶୁଣି ମର୍ମାହତ। ସମାଜ ଓ ଚିକିତ୍ସକ ମହଲ ପାଇଁ ଏହା ଏକ ବଡ କ୍ଷତି ବୋଲି ଟ୍ୱିଟ୍‌ ବାର୍ତ୍ତା ଦେଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ତଥା ପୂର୍ବତନ ଗଞ୍ଜାମ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମ୍‌ଓ) ଡା. ବିଜୟ କୁମାର ପାଣିଗ୍ରାହୀ । ସେହିପରି କୋରାପୁଟ ପୂର୍ବତନ ସିଡିଏମ୍‌ଓ ଡା. ଲଳିତ କୁମାର ରଥ ଉଲ୍ଲେଖ କରିଛନ୍ତି ଯେ ସେ ପ୍ରଥମେ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିଲେ ଓ ପରେ ଭାଟକୁମରଡାରେ ଯୋଗଦାନ କରିଥିଲେ । ସେ ନିଜର କର୍ତ୍ତବ୍ୟ ପ୍ରତି ନିଷ୍ଠାବାନ ଥିଲେ । ଏହି ଦୁଃଖଦ ଖବର ଶୁଣି ବ୍ୟକ୍ତିଗତ ଭାବେ ଅତ୍ୟନ୍ତ ଦୁଃଖିତ ।

   ସମ୍ବନ୍ଧିତ ଖବର


ମଙ୍ଗଳବାରରୁ ସମସ୍ତ ରୁଟ୍‌ରେ ଆରମ୍ଭ ହେବ ମୋ ବସ୍‌ ସେବା

ପୁଣି ଥରେ ଇତିହାସ ରଚିଲା ସମ୍ ହସ୍ପିିଟାଲ ଓଡ଼ିଶାର ଦ୍ୱିତୀୟ ଥର ପାଇଁ ସମ୍ ହସ୍ପିଟାଲ୍‌ରେ ସଫଳ ଯକୃତ ପ୍ରତ୍ୟାରୋପଣ

କୋଭିଡ ଟିକା ଦେବା ପାଇଁ ଓଡ଼ିଶା ପ୍ରସ୍ତୁତ, ୩୦ ହଜାର ସ୍ଥାନରେ ଦିଆଯିବ ଟିକା: ମୁଖ୍ୟ ଶାସନ ସଚିବ

ଜାଆଁଳା ଶିଶୁଙ୍କ ଛାତି ଓ ପେଟ ଯୋଡି ହୋଇ ରହିଥିଲା,୮ ଘଣ୍ଟାର ଅପରେସନ୍ ପରେ କରାଗଲା ଅଲଗା

ବିଜେପି ସାଂସଦଙ୍କ ଦାବି: ଟିଏମସିର ୬୨ ବିଧାୟକ ଆମ ସହ ଯୋଗାଯୋଗରେ ଅଛନ୍ତି, ଡିସେମ୍ବର ୧୫ ସୁଦ୍ଧା ଭାଙ୍ଗିଯିବ ମମତା ସରକାର

‘କୋଭିସିଲ୍ଡ’ର ପାର୍ଶ୍ଵ ପ୍ରତିକ୍ରିୟା ଅଭିଯୋଗକୁ ସେରମ ଇନ୍‌ଷ୍ଟିଚ୍ୟୁଟ୍‌ର ଖଣ୍ଡନ, ସ୍ବେଚ୍ଛାସେବୀଙ୍କୁ ୧୦୦ କୋଟି ଟଙ୍କାର ମାନହାନୀ ଧମକ