ଭୁବନେଶ୍ୱର,୧ା୩(ବ୍ୟୁରୋ): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ‘୨୯ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବ’ ଆଜି ସନ୍ଧ୍ୟାରେ ଉତ୍କଳ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । ୨୦୧୭ ବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ଜଗତର ସର୍ବଶ୍ରେଷ୍ଠ ପୁରସ୍କାର "ଜୟଦେବ ପୁରସ୍କାର' ଗ୍ରହଣ କରିଛନ୍ତି ବରିଷ୍ଠ ତଥା ବିଶିଷ୍ଟ ଚଳଚ୍ଚିତ୍ର ସମ୍ପାଦକ ରବିଶଙ୍କର ପଟ୍ଟନାୟକ । ଚଳଚ୍ଚିତ୍ର ଏଡିଟିଂ ତଥା ସମ୍ପାଦନା କ୍ଷେତ୍ରରେ ଚଳଚ୍ଚିତ୍ର ଜଗତକୁ ଜୀବନବ୍ୟାପୀ ସାଧନା ପାଇଁ ତାଙ୍କୁ ଏହି ପୁରସ୍କାରରେ ପୁରସ୍କୃତ କରାଯାଇଛି । ପୁରସ୍କାର ସ୍ୱରୂପ ତାଙ୍କୁ ଏକ ଲକ୍ଷ ଟଙ୍କା ଅର୍ଥରାଶୀ ଓ ମାନପତ୍ର ପ୍ରଦାନ କରାଯାଇଛି ।
ସେହିପରି ଶ୍ରେଷ୍ଠ ଚଳଚ୍ଚିତ୍ର "ମୋହନ ସୁନ୍ଦର ଦେବ ଗୋସ୍ୱାମୀ ସମ୍ମାନ' ପାଇଛି ଚଳଚ୍ଚିତ୍ର "ହେଲୋ ଆର୍ସି' । ପୁରସ୍କାର ସ୍ୱରୂପ ଅର୍ଥରାଶୀ ୫୦ହଜାର ଟଙ୍କା ଓ ମାନପତ୍ର ପ୍ରଦାନ କରାଯାଇଛି । ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ସମ୍ବିତ ମହାନ୍ତି(‘ହେଲୋ ଆର୍ସି’) ମନୋନୀତ ହୋଇଛନ୍ତି । ତାଙ୍କୁ ପୁରସ୍କାର ସ୍ୱରୂପ ୨୦ହଜାର ଟଙ୍କା ପ୍ରଦାନ କରାଯାଇଛି । ସେହିପରି ଶ୍ରେଷ୍ଠ ଅଭିନେତା ପାର୍ଥସାରଥୀ ରାୟ(‘ହେଲୋ ଆର୍ସି’) ଏବଂ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ସନ୍ମୀରା ନାଗେଶ୍(‘ଲୈଲା ଓ ଲୈଲା’) ପୁରସ୍କୃତ ହୋଇଛନ୍ତି । ପୁରସ୍କାର ସ୍ୱରୂପ ତାଙ୍କୁ ୧୫ହଜାର ଟଙ୍କା ଲେଖାଏଁ ଅର୍ଥରାଶି ପ୍ରଦାନ କରାଯାଇଛି ।
ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରରେ ୨୭ଟି ବିଭାଗରୁ ୨୫ଟି ବିଭାଗରେ ପୁରସ୍କାର ପ୍ରଦାନ କରାଯାଇଛି । ଶ୍ରେଷ୍ଠ କାହାଣୀ ଜୀତେନ୍ଦ୍ରନାଥ ମହାପାତ୍ର (‘ଦୃଷ୍ଟାନ୍ତ’), ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ(ବାଳକୃଷ୍ଣ ଦାଶ ସମ୍ମାନ) ବୈଦ୍ୟନାଥ ଦାଶ(‘ଲୈଲା ଓ ଲୈଲା’), ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟକ ସତ୍ୟଜିତ୍ ପ୍ରଧାନ(‘ବିତିଯାଇଛି କେତେ ଦିନ…’,‘ସପନର ପଥେ ପଥେ’), ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟିକା ଅସୀମା ପଣ୍ଡା(‘ମୁଁ ଖାଣ୍ଟି ଓଡ଼ିଆ ଝିଅ…’,‘ମୁଁ ଖାଣ୍ଟି ଓଡ଼ିଆ ଝିଅ’), ଶ୍ରେଷ୍ଠ ଚିତ୍ରଗହଣ(ପ୍ରମୋଦ ପତି ସମ୍ମାନ) ଧ୍ରୁବାନନ୍ଦ ପଣ୍ଡା(‘ଶିବା ନଟ୍ ଆଉଟ୍’), ଶ୍ରେଷ୍ଠ ସମ୍ପାଦନା ଅମର୍ତ୍ତ୍ୟ ଭଟ୍ଟାଚାର୍ଯ୍ୟ(‘କ୍ଷଣିକା’), ଶ୍ରେଷ୍ଠ ଗୀତିକାର ଅରୁଣ ମନ୍ତ୍ରୀ (‘ଟିକେ ଟିକେ ଅଚିହ୍ନା ତୁ…’, ‘ତୁ ମୋ ଲଭ୍ ଷ୍ଟୋରୀ’), ଶ୍ରେଷ୍ଠ ଚିତ୍ରନାଟ୍ୟ ଦେବୀଦତ୍ତ ମହାନ୍ତି( ‘ତୁ ମୋ ଲଭ୍ ଷ୍ଟୋରୀ’), ଶ୍ରେଷ୍ଠ ପାଶ୍ୱର୍ ଅଭିନେତା ମନୋଜ ପଟ୍ଟନାୟକ(‘ମୁଁ ଖାଣ୍ଟି ଓଡ଼ିଆ ଝିଅ’), ଶ୍ରେଷ୍ଠ ପାଶ୍ୱର୍ ଅଭିନେତ୍ରୀ ମାମୁନି ମିଶ୍ର(‘ମୁଁ ଖାଣ୍ଟି ଓଡ଼ିଆ ଝିଅ’), ଶ୍ରେଷ୍ଠ ହାସ୍ୟ କଳାକାର ତ୍ରିଭୁବନ ପଣ୍ଡା(‘ହିରୋ ନଂ-୧’), ଶ୍ରେଷ୍ଠ ଶିଶୁ ଅଭିନେତା ମାଗୁଣି ପାତ୍ର(ବବ୍ଲୁ) (‘ସପନଟିଏ’), ଶ୍ରେଷ୍ଠ କଳା ନିର୍ଦ୍ଦେଶକ ସୁବାସ ବେହେରା (‘ତୁ ମୋ ଲଭ୍ ଷ୍ଟୋରୀ’), ଶ୍ରେଷ୍ଠ ଶବ୍ଦଗ୍ରହଣକାରୀ ସୁବାସ ସାହୁ (‘ହେଲୋ ଆର୍ସି’), ସ୍ୱତନ୍ତ୍ର ଜୁରୀ ପୁରସ୍କାର ପ୍ରଦ୍ୟୁମ୍ନ ଲେଙ୍କା(‘ଶିବା ନଟ୍ ଆଉଟ୍’), ଶ୍ରେଷ୍ଠ ଶିକ୍ଷାଭିତ୍ତିକ ଶିଶୁ ଚଳଚ୍ଚିତ୍ର ‘ଦୃଷ୍ଟାନ୍ତ’, ଶ୍ରେଷ୍ଠ ସଂଳାପ ଲେଖକ ସମ୍ବିତ ମହାନ୍ତି (‘ହେଲୋ ଆର୍ସି’), ଶ୍ରେଷ୍ଠ ବେଶପୋଷକ ସଜ୍ଜାକାରୀ ଅରୁଣ ପାଟରା(‘ଜଷ୍ଟ୍ ମୋହବତ୍’), ଶ୍ରେଷ୍ଠ ରୂପ ସଜ୍ଜାକାରୀ ମାନସ ବେହେରା(‘ଜଗନ୍ନାଥ ଧାମ୍ ପୁରୀ’), ଶ୍ରେଷ୍ଠ ନୃତ୍ୟ ସଂଯୋଜନା ଏସ୍.କେ. ମୁରଲୀଧରନ୍ (‘ଜଷ୍ଟ୍ ମୋହବତ୍’) ପୁରସ୍କୃତ ହୋଇଛନ୍ତି । ଏହି ଅବସରରେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଜୁରୀ କମିଟି ଅଧ୍ୟକ୍ଷ ପ୍ରଫୁଲ୍ଲ କର, ସଦସ୍ୟ ଧୀର ମଲ୍ଲିକ, ପରୀକ୍ଷିତ ଜେନା, ଅମରେନ୍ଦ୍ର ମହାନ୍ତି, ବିଜୟ ମଲ୍ଲ, ହିମାଂଶୁ ଖଟୁଆଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ସନ୍ଧ୍ୟାରେ ଅତିଥି ଭାବେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ବିଜୟ କୁମାର ମହାନ୍ତି, ସଙ୍ଗୀତଜ୍ଞ ପ୍ରଫୁଲ୍ଲ କର ଯୋଗ ଦେଇଥିଲେ । ରାଜ୍ୟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ, ବିଭାଗୀୟ ନିର୍ଦ୍ଦେଶକ ବିଜୟ କୁମାର ନାୟକ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସଚିବ ସଭାପତି ଡ. ରାମକୃଷ୍ଣ ସାହୁ, ସଚିବ ଡ. ବିଜୟ ଜେନା ଉପସ୍ଥିତ ଥିଲେ । ଡ. ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।