ଆଜି ସରିବ ରାଜ୍ୟସ୍ତରୀୟ ହସ୍ତଶିଳ୍ପ ପ୍ରଦର୍ଶନୀ

ଭୁବନେଶ୍ୱର,୦୨/୦୩: ଆଜି ଶେଷ ହେବ ରାଜ୍ୟସ୍ତରୀୟ ହସ୍ତଶିଳ୍ପ ପ୍ରଦର୍ଶନୀ । ହସ୍ତତନ୍ତ, ବୟନ ଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ଆୟୋଜିତ ହୋଇଆସୁଛି। ୟୁନିଟ୍-୩ ପ୍ରଦର୍ଶନୀ ପଡ଼ିଆଠାରେ ଅନୁଷ୍ଠିତ ଏହି ପ୍ରଦର୍ଶନୀରେ ପ୍ରତିଦିନ ସନ୍ଧ୍ୟାରେ ଦର୍ଶକମାନଙ୍କ ମନୋରଞ୍ଜନ ନିମନ୍ତେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି ।
ମେଳାର ଷଷ୍ଠ ସନ୍ଧ୍ୟାରେ ସ୍ୱନାମଧନ୍ୟ ଗାୟକ ତାନ୍ସେନ୍ ସିଂଙ୍କୁ ହସ୍ତ ଓ କୁଟୀର ଶିଳ୍ପ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ସମ୍ମାନିତ କରିଥିଲେ । ତାଙ୍କ ବ୍ୟତୀତ ସଙ୍ଗୀତ ନିର୍ଦ୍ଦେଶକ ପ୍ରଶାନ୍ତ ପାଢ଼ୀ ଓ ସାଥୀ କଳାକାରମାନେ ସଙ୍ଗୀତ ପରିବେଷଣ କରିଥିଲେ । ସପ୍ତମ ଦିବସରେ ସନ୍ଧ୍ୟାରେ ଆକର୍ଷଣୀୟ ଓଡ଼ିଶୀ ନୃତ୍ୟ ଓ ଲୋକନୃତ୍ୟ ପରିବେଷିତ ହୋଇଥିଲା । ଏହି ମେଳାରେ ନଡ଼ିଆ କତା ଶିଳ୍ପ ଓ ବେତ ବାଉଁଶ ହସ୍ତଶିଳ୍ପ କାମ ଦର୍ଶକମାନଙ୍କ ଦ୍ୱାରା ବେଶ୍ ଆଦୃତି ଲାଭ କରୁଛି ।
ଏହି ସାମଗ୍ରୀଗୁଡ଼ିକର ବିକ୍ରିବଟା ବେଶ୍ ଅଧିକ ହେଉଛି । ନଡ଼ିଆ କତା ଶିଳ୍ପୀ ମମତା ରଥ ଓ କବିତା ସାହୁଙ୍କ ଷ୍ଟଲ୍ରେ ପ୍ରଦର୍ଶିତ ହୋଇଥିବା ସାମଗ୍ରୀଗୁଡ଼ିକର ବହୁତ ବିକ୍ରିବଟା ହେଉଛି । ସୁଦୂର କୋରାପୁଟ ତଥା କଳାହାଣ୍ଡି ଜିଲ୍ଲାରୁ ଆସିଥିବା ଶିଳ୍ପୀ ରାଜେଶ୍ୱରୀ ଷଡ଼ଙ୍ଗୀ, ଗୁଣନିଧି ଗୁହୀରଙ୍କ ବେତ ଓ ବାଉଁଶ ଶିଳ୍ପର ଚାହିଦା ରହିଛି । ଏହି ଷ୍ଟଲ୍ଗୁଡ଼ିକରେ ଦର୍ଶକମାନଙ୍କ ଭିଡ଼ ଜମୁଛି । ଲାଖର ରଙ୍ଗବେରଙ୍ଗ ଚୁଡ଼ି ଓ ଅନ୍ୟାନ୍ୟ ଜିଷିଷ, ତାଳପତ୍ର ଖୋଦେଇ ବିଭିନ୍ନ ସାମଗ୍ରୀ, ତାରକସୀ ଶିଳ୍ପର ଅଳଙ୍କାର, ଏମ୍ବ୍ରଡରି ଜିନିଷପତ୍ର, ପଟ୍ଟଚିତ୍ର ଶାଢ଼ି ଆଦି ଦର୍ଶକମାନଙ୍କୁ ଆକୃଷ୍ଟ କରୁଛି ।