‘ମୋ ସରକାର’ ସଫଳ କରିବାକୁ ସିଡିଏମ୍‌ଓଙ୍କୁ ନିର୍ଦ୍ଦେଶ: ରୋଗୀଙ୍କୁ ଫୋନ୍‌ କରି ମତ ନେବେ ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩।୮: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ଠିକ୍‌ରେ ଚିକିତ୍ସା ମିଳୁଛି କି ନାହିଁ ଏ ନେଇ ସିଧାସଳଖ ମତ ରଖିବେ ରୋଗୀ । ସ୍ୱାସ୍ଥ୍ୟମନ୍ତ୍ରୀ, ସଚିବ, ନିର୍ଦ୍ଦେଶକ ଓ ସିଡିଏମ୍‌ଓମାନେ ରୋଗୀଙ୍କୁ କିମ୍ବା ସେମାନଙ୍କ ସମ୍ପର୍କୀୟଙ୍କୁ ଫୋନ୍‌ କରିବେ । ଲୋକମାନେ ମଧ୍ୟ ସମସ୍ୟାରେ ପଡ଼ିଲେ ଏମାନଙ୍କୁ ଫୋନ କରିପାରିବେ । ‘ମୋ ସରକାର’ ଯୋଜନାରେ ପାଉଥିବା ସେବାକୁ ଏମିତି ପ୍ରତ୍ୟେକଙ୍କ ପାଖରେ ପହଞ୍ଚାଇବାକୁ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଆଜି ଗଣମାଧ୍ୟମକୁ କହିଛନ୍ତି ।

ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ଘୋଷଣା ଅନୁଯାୟୀ ଆସନ୍ତା ଗାନ୍ଧୀ ଜୟନ୍ତୀରୁ ରାଜ୍ୟରେ “ମୋ ସରକାର’ ଯୋଜନା କାର୍ଯ୍ୟକାରୀ ଘୋଷଣା କରିଛନ୍ତି । ସ୍ୱାସ୍ଥ୍ୟ ବିଭାଗରେ ଏହି କାର୍ଯ୍ୟକ୍ରମ କିଭଳି ଚାଲୁଛି ବିଭାଗର ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଦା ତଦାରଖ କରିବେ । ଏଥିପାଇଁ ଏକ ଅଫିସରସ୍ତରୀୟ ଟିମ୍‌ ଗଠନ କରାଯାଇଛି । ଚିକିତ୍ସାଧୀନ ରୋଗୀଙ୍କ ମତାମତ ଆଧାରରେ ଆବଶ୍ୟକ ପଦକ୍ଷେପ ନିଆଯିବ । ଏହି କାର୍ଯ୍ୟ କିଭଳି ସୁରୁଖୁରୁରେ ହେବ ତାହାର ଗୁରୁଦାୟିତ୍ୱ ସିଡିଏମ୍‌ଓମାନଙ୍କ ଉପରେ ରହିଛି । ତେଣୁ ଆଜି ଆଜି ସିଡିଏମ୍‌ଓଙ୍କୁ ଡାକି ଏହାକୁ ସଫଳ କରିବାକୁ ମନ୍ତ୍ର ଦେଇଛନ୍ତି ନିଜେ ସ୍ୱାସ୍ଥ୍ୟମନ୍ତ୍ରୀ ।
ସମ୍ମିଳନୀରେ ମନ୍ତ୍ରୀ ମାଗଣା ଔଷଧ ଯୋଗାଣ କାର୍ଯ୍ୟକ୍ରମ ନିରାମୟ, ଚିକିତ୍ସାଳୟରେ ପରିମଳ ବ୍ୟବସ୍ଥା ଲାଗି କାର୍ଯ୍ୟକାରୀ ହେଉଥିବା ନିର୍ମଳ, ସାର୍ବଜନୀନ ଚକ୍ଷୁ ଚିକିତ୍ସା ବ୍ୟବସ୍ଥା ସୁନେତ୍ର ଏବଂ ଡିଜିଟାଲ ଡିସ୍‌ପେନସାରୀ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି । ନିରାମୟ ଯୋଜନାରେ ରୋଗୀ ଯେଭଳି ସହଜରେ ମାଗଣା ଔଷଧ ପାଇପାରିବେ ମନ୍ତ୍ରୀ ଶ୍ରୀ ଦାସ ତାହା ଉପରେ ଗୁରୁତ୍ୱ ଦେଉଛନ୍ତି ।

ଯେଉଁଠାରେ ନିରାମୟ ଯୋଜନାରେ ଔଷଧ ନଥିବ, ସେଠାରେ ଡାକ୍ତରଖାନା କର୍ତ୍ତୃପକ୍ଷ ବଜାରରୁ ଔଷଧ କିଣି ରୋଗୀଙ୍କୁ ଯୋଗାଇବେ । ଏଥିପାଇଁ ରାଜ୍ୟ ସରକାର ବଜେଟ୍‌ରେ ଅର୍ଥ ବ୍ୟବସ୍ଥା କରିଛନ୍ତି । ମେଡିକାଲ କଲେଜ ସମେତ ଜିଲ୍ଲା ହସ୍ପିଟାଲଗୁଡ଼ିକୁ ଏଥିପାଇଁ ଅର୍ଥ ଯୋଗାଇ ଦିଆଯାଉଛି । ସେହିଭଳି ନିର୍ମଳ ଯୋଜନାରେ ଡାକ୍ତରଖାନାଗୁଡ଼ିକ ଯେଭଳି ସଫାସୁତୁରା ଓ ପରିବେଶ ଅନୁକୂଳ ରହିବ ତାହା ଉପରେ ମଧ୍ୟ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଛି । ରୋଗୀଙ୍କୁ ସଫା ବେଡ୍‌ସିଟ ସହ ହସ୍ପିଟାଲ ସୁରକ୍ଷାକୁ ମଧ୍ୟ ସୁଦୃଢ଼ କରାଯିବ । ଏହାବାଦ୍‌ ଅଣସଂକ୍ରାମକ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ ମାଧ୍ୟମରେ ରୋଗ ଚିହ୍ନଟ କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ କରିବାକୁ ସିଡିଏମ୍‌ଓଙ୍କୁ କୁହାଯାଇଛି । ଜନନୀ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କୁ ଯେଭଳି ଠିକଣା ଅର୍ଥ ପ୍ରଦାନ କରାଯିବ ସେ ଦିଗରେ ପଦକ୍ଷେପ ନେବାକୁ ମନ୍ତ୍ରୀ କହିଛନ୍ତି ।

ସମ୍ମିଳନୀରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ, ରାଜ୍ୟ ମେଡିକାଲ ନିଗମ ପରିଚାଳନା ନିର୍ଦ୍ଦେଶକ ୟାମିନୀ ଷଡ଼ଙ୍ଗୀ, ଯୁଗ୍ମ ସଚିବ ଗୁହା ପୁନମ ତାପସ କୁମାରଙ୍କ ସମେତ ସମସ୍ତ ସିଡିଏମ୍‌ଓ ଏବଂ ବିଭାଗର ସ୍ୱତନ୍ତ୍ର ସଚିବଙ୍କଠାରୁ ଆରମ୍ଭକରି ଅନ୍ୟାନ୍ୟ ପଦସ୍ଥ ଅଧିକାରୀମାନେ ଉପସ୍ଥିତ ଥିଲେ ।

   ସମ୍ବନ୍ଧିତ ଖବର


ଅଧିବେଶନ ପୂର୍ବରୁ ପରୀକ୍ଷା : ଆଉ ୬ ବିଧାୟକଙ୍କୁ କରୋନା

ଆଜିଠୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ, ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ବାଧ୍ୟତାମୂଳକ

ଅକ୍ଟୋବର ୪ ତାରିଖରେ ଖୋଲିବ ନନ୍ଦନକାନନ

ବିଧାନସଭାର ୧୪ ସଦସ୍ୟଙ୍କୁ କରୋନା

ବିଜେଡ଼ିରୁ ବିଦା ହେଲେ କଳ୍ପତରୁ ଓଝା: ଦଳବିରୋଧୀ କାର୍ଯ୍ୟ ପାଇଁ ବହିଷ୍କାର କଲେ ସୁପ୍ରିମୋ ନବୀନ ପଟ୍ଟନାୟକ

ବ୍ୟୋମକେଶ ରାୟଙ୍କୁ ବିଜୁ ଯୁବ ଜନତା ଦଳର ସଭାପତି, ଦେବୀ ରଞ୍ଜନ ତ୍ରିପାଠୀଙ୍କୁ ବିଜୁ ଛାତ୍ର ଜନତା ଦଳର ସଭାପତି ଦାୟିତ୍ୱ