ଭାରତ ବିପକ୍ଷରେ କିଛି ମ୍ୟାଚ ଖେଳିବେନି ଏହି ଅଷ୍ଟ୍ରେଲିଆ କ୍ରିକେଟର, କ’ଣ ପାଇଁ ଜାଣନ୍ତୁ

ନୂଆଦିଲ୍ଲୀ, ୩୦/ ୧୦: ଆଇପିଏଲ ମହାସମର ପରେ ଅଷ୍ଟ୍ରେଲିଆ ଗସ୍ତ କରିବ ଟିମ୍‌ ଇଣ୍ଡିଆ। ବହୁ ସମୟ ବ୍ୟବଧାନ ପରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ କ୍ରିକେଟ ମ୍ୟାଚ୍‌ ଦେଖିବାକୁ ମିଳିବ। ଭାରତୀୟ କ୍ରିକେଟ୍‌ ଟିମ୍‌ ନଭେମ୍ବର ୨୭ରୁ ୨୦୨୧ ଜାନୁଆରୀ ୨୧ ତାରିଖ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ବିପକ୍ଷରେ ଟି-୨୦, ଦିନିକିଆ ଓ ଟେଷ୍ଟ ମ୍ୟାଚ୍‌ ଖେଳିବ। ଏଥିପାଇଁ ଦୁଇ ଦେଶର କ୍ରିକେଟ୍‌ ଟିମ୍‌ ଘୋଷଣା ମଧ୍ୟ ହୋଇ ସାରିଛି। ଭାରତୀୟ ଟିମରେ ବହୁ ଯୁବ ଖେଳାଳିଙ୍କୁ ସ୍ଥାନ ମିଳିଥିବା ବେଳେ ଅଷ୍ଟ୍ରେଲିଆ ଟିମରେ ମଧ୍ୟ ଯୁବ ଖେଳାଳିଙ୍କୁ ପ୍ରାଧାନ୍ୟ ଦିଆଯାଇଛି। ଅଷ୍ଟ୍ରେଲିଆର ଷ୍ଟାର ଖେଳାଳି ଷ୍ଟିଭ୍‌ ସ୍ମିଥ୍, ଡେଭିଡ ଓ୍ବାର୍ଣ୍ଣର ଓ ପ୍ୟାଟ କମିନ୍ସ ଭାରତ ବିପକ୍ଷରେ ସମସ୍ତ ମ୍ୟାଚ ଖେଳିବେ ନାହିଁ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ଟିମ୍‌ ଇଣ୍ଡିଆ ବିପକ୍ଷ ଟି-୨୦ ଓ ଦିନିକିଆ ସିରିଜରେ ଅଷ୍ଟ‌୍ରେଲିଆ ଟିମର ତିନି ଷ୍ଟାର ଖେଳାଳି ଷ୍ଟିଭ୍‌ ସ୍ମିଥ୍, ଡେଭିଡ ଓ୍ବାର୍ଣ୍ଣର ଓ ପ୍ୟାଟ୍‌ କମିନ୍ସ ସବୁ ମ୍ୟାଚରେ ଉପଲବ୍ଧ ହେବେ ନାହିଁ। କ୍ରିକେଟ ଅଷ୍ଟ୍ରେଲିଆର ଚୟନକର୍ତ୍ତାଙ୍କ ନଜର ବର୍ଡର ଗାଭାସ୍କର ଟ୍ରଫି ଉପରେ । ପୁଣିଥରେ ଏହି ଟ୍ରଫିକୁ ହାତେଇବା ପାଇଁ କ୍ରିକେଟ ଅଷ୍ଟ୍ରେଲିଆ ଟେଷ୍ଟ ମ୍ୟାଚରେ ତାର ବେଷ୍ଟ ଇଲେଭେନ ପ୍ଲେୟାର ଓହ୍ଲାଇବାକୁ ନଜରରେ ରଖିଛି। ସେଥିପାଇଁ ଟେଷ୍ଟ ସିରିଜ ପୂର୍ବରୁ ଅଷ୍ଟ୍ରେଲିଆର ଷ୍ଟାର ଖେଳାଳିଙ୍କୁ ବିଶ୍ରାମ ଦିଆଯାଇପାରେ।

ଅଷ୍ଟ୍ରେଲିଆ ଖେଳାଳି ଏବେ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ୨୦୨୦ରେ ଖେଳୁଛନ୍ତି। ୨ ମାସ ଧରି ସେ ଦୁବାଇରେ ରହିଛନ୍ତି। ସେଥିପାଇଁ ଖେଳାଳିଙ୍କ ସ୍ବାସ୍ଥ୍ୟ ଓ ମାନସିକ ସ୍ଥିତିକୁ ସଦୃଢ଼ କରିବା ପାଇଁ ତାଙ୍କୁ ବିଶ୍ରାମ ନିହାତି ଦରକାର ବୋଲି ଅଷ୍ଟ୍ରେଲିଆ ଟିମର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ଭାରତ ଓ ଅଷ୍ଟ‌୍ରେଲିଆ ମଧ୍ୟରେ ହେବାକୁ ଥିବା ବର୍ଡର ଗାଭାସ୍କର ଟ୍ରଫି ଉପରେ ସମସ୍ତଙ୍କ ନଜର ରହିବ। କାରଣ ଓ୍ବାଲ୍ଡ ଟେଷ୍ଟ ଚାମ୍ପିଅନସିପ୍‌ ପଏଣ୍ଟ ଟେବୁଲରେ ଭାରତ ଏକ ନମ୍ବର ସ୍ଥାନରେ ଥିବା ବେଳେ ଅଷ୍ଟ୍ରେଲିଆ ଦ୍ବିତୀୟ ନମ୍ବରରେ ଅଛି। ସେହିପରି ଟେଷ୍ଟ ର‍୍ୟାଙ୍କିଙ୍ଗରେ ଅଷ୍ଟ୍ରେଲିଆ ୧୧୬ ପଏଣ୍ଟ ସହ ଏକ ନମ୍ବରରେ ଥିବାବେଳେ ୧୧୪ ପଏଣ୍ଟ ସହ ଟିମ୍‌ ଇଣ୍ଡିଆ ୩ୟ ସ୍ଥାନରେ ଅଛି। ଏଥିପାଇଁ ଅଷ୍ଟ୍ରେଲିଆ ଓ ଟିମ୍‌ ଇଣ୍ଡିଆ ମଧ୍ୟରେ ହେବାକୁ ଥିବା ଟେଷ୍ଟ ସିରିଜ ଖୁବ୍‌ ରୋମଞ୍ଚକର ହେବ ବୋଲି କ୍ରିକେଟ ବିଶେଷଜ୍ଞ ମାନେ ମତ ରଖିଛନ୍ତି।