ବ୍ରାଉନ୍‌ସୁଗର କାରବାର ମାମଲାରେ ରାଜାର ଫ୍ଲାଟ୍‌ ସିଲ୍‌ କଲା ଏସ୍‌ଟିଏଫ୍‌

ବାଲେଶ୍ୱର ୨୪/୯: କ୍ରାଇମ୍‌ବ୍ରାଞ୍ଚ୍‌ ସ୍ପେଶାଲ ଟାସ୍କ ଫୋର୍ସ (ଏସ୍‌ଟିଏଫ) ଟିମ୍‌ ପୁଣି ବ୍ରାଉନସୁଗର ମାଫିଆ ଶେଖ୍‌ ରାଜା ଘରେ ଚଢ଼ଉ କରିଥିଲା । ପରେ ଏହି ଟିମ୍‌ ତେଲଙ୍ଗାସାହି ସ୍ଥିତ ସମ୍ବେଦନା ଆପାର୍ଟମେଣ୍ଟରେ ରାଜାର ଫ୍ଲାଟ୍‌ରେ ପହଞ୍ଚିଥିଲା । ଛାନଭିନ ପରେ ଫ୍ଲାଟ ସିଲ୍‌ କରିବା ସହ ଏକ ନୋଟିସ୍‌ ମାରିଛି ଏସ୍‌ଟିଏଫ୍‌ ।

ସୋମବାର ଅପରାହ୍ନରେ ଅତିରିକ୍ତ ଏସ୍‌ପି ତେଜରାଜ ପଟେଲ ଓ ଡିଏସ୍‌ପି ମନୋଜ ରାଉତଙ୍କ ନେତୃତ୍ୱରେ ୪ ଜଣିଆ ଟିମ୍‌ ଅତର୍କିତ ତେଲଙ୍ଗାସାହିରେ ଥିବା ରାଜାର ଫ୍ଲାଟ୍‌ରେ ପହଞ୍ଚିଥିଲେ । ସେଠାରେ ଥିବା ରାଜାଙ୍କ ସ୍ତ୍ରୀ ପ୍ରିୟା ତମାଙ୍ଗ ଓରଫ ପ୍ରିୟା ବିବିଙ୍କ ସହ ଦୀର୍ଘ ସମୟ ଆଲୋଚନା କରିଥିଲା । ପରେ ଏହି ଟିମ୍‌ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ଫ୍ଲାଟ୍‌କୁ ସିଲ୍‌ କରିଥିଲା । ଆପାର୍ଟମେଣ୍ଟର ୧୦୬ ନମ୍ବର ଥ୍ରି ବିଏଚ୍‌କେ ଫ୍ଲାଟ୍‌କୁ ରାଜା ଗତ ଜୁଲାଇରେ ୭୦ ଲକ୍ଷରୁ ଊଦ୍ଧ୍ୱର୍ ଟଙ୍କାରେ ନିଜ ସ୍ତ୍ରୀ ନାମରେ କିଣିଥିଲା । ରାଜାର ମାମଲା ଏବେ ବିଚାରଧୀନ ଥିବାରୁ ଏହି ଫ୍ଲାଟ୍‌କୁ କେହି ନ କିଣିବା ପାଇଁ ଏସ୍‌ଟିଏଫ୍‌ ପକ୍ଷରୁ ନୋଟିସ୍‌ ଲଗାଯାଇଛି ।

ମଙ୍ଗଳବାର ରାଜାର ରିମାଣ୍ଡ ଅବଧି ଶେଷ ହେଉଛି । ଅଧିକ ତଥ୍ୟ ପାଇଁ ପୁନଶ୍ଚ ତାକୁ ରିମାଣ୍ଡରେ ଅଣାଯାଇପାରେ । ଏହି କାରଣରୁ ଅରଡ଼ବଜାର ସ୍ଥିତ ଘରକୁ ସିଲ୍‌ କରାଯାଇନି ବୋଲି ଅତିରିକ୍ତ ଏସ୍‌ପି ଶ୍ରୀ ପଟେଲ ସୂଚନା ଦେଇଛନ୍ତି । ସେ ଆହୁରି କହିଛନ୍ତି, ରିମାଣ୍ଡରେ ଟିମ୍‌କୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହସ୍ତଗତ ହୋଇଛି । ତାହାକୁ ଆଧାର କରି ଆଗାମୀ ଦିନରେ ତଦନ୍ତ ପ୍ରକ୍ରିୟା ଜାରି ରହିବ ସେ କହିଛନ୍ତି ।

କେବଳ ଅରଡ଼ବଜାର କିମ୍ବା ତେଲଙ୍ଗା ସାହି ନୁହେଁ, ରାଜା ନାଁରେ ବାଲେଶ୍ୱରର ୭ରୁ ଊଦ୍ଧ୍ୱର୍ ସ୍ଥାନରେ ଜମି ରହିଛି । ସେହିସବୁ ସ୍ଥାନକୁ ଏସ୍‌ଟିଏଫ ଟିମ୍‌ ଚିହ୍ନଟ କରିଛି । ଏହାବ୍ୟତୀତ ଯେଉଁମାନେ ତାକୁ ଏହି କାରବାରରେ ସହଯୋଗ କରିଥିଲେ, ସେମାନଙ୍କ ତାଲିକା ପ୍ରସ୍ତୁତ ହୋଇଛି । ସେମାନଙ୍କୁ ଖୁବ୍‌ ଶୀଘ୍ର ଧରିବା ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହୋଇଥିବା ଅତିରିକ୍ତ ଏସ୍‌ପି ଶ୍ରୀ ପଟେଲ ସୂଚନା ଦେଇଛନ୍ତି ।

   ସମ୍ବନ୍ଧିତ ଖବର


ଦିନ ଦ୍ୱିପ୍ରହରେ ଲୁଟ୍, ସାଢେ ୩ ଲକ୍ଷ ଟଙ୍କା ଲୁଟିଲେ ଦୁର୍ବୃତ୍ତ

ପତ୍ନୀକୁ ଠେଙ୍ଗାରେ ପିଟି ହତ୍ୟା

ମହିଳାମାନଙ୍କୁ ଭିଡିଓ କଲ୍ କରି ଉଲଗ୍ନ ହୋଇଯାଉଥିଲା, ଖୋଜି ଖୋଜି ଗିରଫ କଲା ପୋଲିସ

ଖଣ୍ତାରେ ଜନ୍ମଦିନ କେକ୍ କାଟିଲେ ଯୁବକ , ଭିଡ଼ିଓ ଭାଇରାଲ ହେବା ପରେ ଗିରଫ କଲା ପୁଲିସ୍

ନବ ଦମ୍ପତ୍ତିଙ୍କୁ କତରର ହନିମୁନ୍ ପ୍ୟାକେଜ୍ ଦେଇ ଫଶାଇଲେ ଆଣ୍ଟି, ଡ୍ରଗ୍ଦ କେସରେ ସଜା କାଟୁଛନ୍ତି ସ୍ବାମୀ-ସ୍ତ୍ରୀ

ରାଜଧାନୀରେ ବେଲଗାମ ଅପରାଧୀ, ଚଳନ୍ତି ବସ୍‌ରେ ଦିଲ୍ଲୀ ପୁଲିସ୍‌ର କନେଷ୍ଟବଳଙ୍କୁ ଅପହରଣ