ଘର ଲୋକ ପର କରିଦେଲା ପରେ ଭିକମାଗି ବଞ୍ଚିଲେ ,ଏବେ ଖାକି ପୋଷାକରେ ତିଆରି କରିବେ ନିଜର ପରିଚୟ

https://www.bhaskar.com/
ଛତିଶଗଡ଼ – ଯେତେବେଳେ ନିଜ ଲୋକ ପର କରିଦିଅନ୍ତି ସେତେବେଳେ ମନରୁ ସବୁ ଦମ୍ଭ ଭାଙ୍ଗିଯାଏ । ସବୁ ଆଶା ମଉଳିଯାଏ । ଦୁନିଆଟା ଅନ୍ଧକାରମୟ ଲାଗେ । ବିଶ୍ୱାସ ବି ବିଷ ପାଲଟି ଯାଏ । ଆଉ କାହାର ସହଚର୍ଯ୍ୟ ପାଇବାକୁ ହୃଦୟ ବିରୋଧ କରେ । ଏକା ବାଟୋଇ ପରି ଜୀବନ ପଥ ଚାଲିବାକୁ ବାଧ୍ୟ ହୁଏ ମଣିଷ । ଏମିତି ଘିଟିଛି କିଛି କିନ୍ନରଙ୍କ ଜୀବନରେ । ହେଲେ ସେମାନେ ନିଜ ପଥ ନିଜେ ତିଆରି କରିଛନ୍ତି । ପରିବାର ଲୋକ ହାତ ଛାଡ଼ି ଦେଲା ପରେ ସେ ନିଜର ପରିଚୟ ତିଆରି କରିଛନ୍ତି । ଆଉ ଦୁନିଆକୁ ଦେଖେଇ ଦେଇଛନ୍ତି ନିଜର କରିସ୍ମା । ଆସନ୍ତୁ ଏମିତି କିଛି କିନ୍ନରଙ୍କର ସଂଘର୍ଷ ଓ ସଫଳତା ବିଷୟରେ ଜାଣିବା ।
ସୋମବାର ଦିନ ପୁଲିସ୍ କନଷ୍ଟେବଲ ଭର୍ତ୍ତିର ଫଳାଫଳ ପ୍ରକାଶ ପାଇଛି । ୨୨୫୯ଟି ପଦରେ ସାରା ରାଜ୍ୟରୁ ପ୍ରାର୍ଥୀଙ୍କର ଚୟନ ହୋଇଥିଲା । ଖାସ୍ କଥା ହେଲା ପ୍ରଥମ ଥର ଛତିଶଗଡ଼ ପୁଲିସ୍ରେ ଥାର୍ଡ ଜେଣ୍ଡର(କିନ୍ନର) ସାମିଲ ହେବାକୁ ଯାଉଛନ୍ତି । ରାଜ୍ୟର ୧୫ଜଣ କିନ୍ନରଙ୍କର ମଧ୍ୟ କନଷ୍ଟେବଲ ପଦ ପାଇଁ ଚୟନ ହୋଇଛି। ସମ୍ଭବତଃ ଏହା ଦେଶର ପ୍ରଥମ ରାଜ୍ୟ, ଯେଉଁଠି ଏତେ ସଂଖ୍ୟାରେ କିନ୍ନର ପୁଲିସ୍ରେ ସାମିଲ ହେଉଛନ୍ତି।
ରାୟପୁରରେ ରହୁଥିବା ବିଦ୍ୟା ରାଜପୂତ କିନ୍ନର ଗୋଷ୍ଠୀଙ୍କ ଅଧିକାର ପାଇଁ ଅନେକ ବର୍ଷରୁ କାମ କରୁଛନ୍ତି । ସୋମବାର ଦ୍ୱିପ୍ରହରରେ ଯେବେ ପୁଲିସ୍ ଭର୍ତ୍ତିର ଫଳାଫଳ ଆସିଲା ତ ତାଲିକାରେ ନିଜର ସାଥିଙ୍କ ନାମ ଦେଖି ଆଶ୍ଚର୍ଯ୍ୟ ହେବା ସହ ଖୁସି ହୋଇଯାଇଥିଲେ ସେ । ଏହା ପ୍ରଥମ ଯାହାକି ଏହି ପ୍ରକାରର ସରକାରୀ ଚାକିରୀରେ ସମାଜର ତିରସ୍କାର ସହୁଥିବା ବର୍ଗକୁ ସୁଯୋଗ ଦିଆଯାଇଛି ।

ପୁଲିସ୍ରେ ଭର୍ତ୍ତି ହୋଇଥିବା ସେହି କିନ୍ନରଙ୍କ ମଧ୍ୟରୁ ଜଣେ ହେଲେ ସବୁରୀ । ଯିଏ କି କହିଛନ୍ତି ନିଜର ଦୁଃଖ ଓ ଦୁର୍ଦ୍ଦିନର କଥା । ପିଲାଦିନ ଗାଳି ଶୁଣିବାରେ ବିତିଥିଲା , ସମସ୍ତେ ତାଙ୍କୁ ନେଇ ମଜାକ୍ ଉଡାଉ ଥିଲେ । ଗାଳି ଦେଉଥିଲେ । ସେତେବେଳେ ସେ ଦେଖିଲେ ସମସ୍ତେ ପୁଲିସ୍କୁ ଡ଼ରୁଛନ୍ତି ସମ୍ମାନ କରୁଛନ୍ତି । ଏଥିପାଇଁ ସେ ପୁଲିସ୍ ଚାକିରୀ କରିବାକୁ ମନରେ ଆଶା ବାନ୍ଧି ନେଇଥିଲେ । ଆଉ ଆଜି ତାର ବାସ୍ତବ ରୂପ ତାଙ୍କ ସାମନାରେ । ଯେଉଁ ଦୁନିଆ ତାଙ୍କୁ ଗାଳି ଓ ମଜାକ କରୁଥିବା ସେହି ଲୋକେ ତାଙ୍କୁ ସମ୍ମାନିତ କରିବେ ।

ଏମିତି ଆଉ ଜଣେ କିନ୍ନର ହେଲେ ଶିବନ୍ୟା। ଅର୍ଥ ଅଭାବରୁ ମାଆ ସହ ଝାଡ଼ୁ –ସଫେଇ କାମ କରୁଥିଲେ । ଝିଅ ପରି ଯେବେ ରହିବାକୁ ଚେଷ୍ଟା କଲେ , ମାଲିକ କାମରୁ ବାହାର କରିଦେଲା । କଲେଜ୍ରେ ଟଏଲେଟ୍ ଯିବାବେଳେ ପୁଅମାନେ କମେଣ୍ଟ କଲେ । ବହୁ କଷ୍ଟରେ ସେ ନିଜର ପାଠ ପଢ଼ା ଜାରି ରଖିଥିଲେ ।

ଆଉ ଜଣେ କିନ୍ନର ହେଲେ ଦିପ୍ଶା । ଯିଏକି ଅନେକ ଘାତ ପ୍ରତିଘାତକୁ ସହ୍ୟ କରି ଲଢ଼ିବା ଶିଖିଥିଲେ । ହାରି ଯାଇନଥିଲେ । ସେ ଦିନେ ଆତ୍ମହତ୍ୟା କରିବାକୁ ବି ବାହାରି ଥିଲେ । ସେ ବିଷ ପିଇ ଦେଇଥିଲେ । ହେଲେ ଡାକ୍ତର ମାନେ ତାଙ୍କୁ ନୂଆ ଜୀବନ ଦେଇଥିବା ସେ କୁହନ୍ତି ।

ରାୟପୁରର ଆଉ ଜଣେ କିନ୍ନର ନୈନା କୁହନ୍ତି ୪ବର୍ଷ ପୂର୍ବେ ବ୍ୟବହାରରେ ପରିବର୍ତ୍ତନ ଲକ୍ଷ୍ୟ କରି ଘର ଲୋକେ ମୋତେ ଘରୁ ବାହାର କରିଦେଲେ। ଘର ଲୋକ ମୋତେ ଜଣେ ପୁଅ ପରି ରହିବାରୁ ବାଧ୍ୟ କରୁଥିଲେ। ହେଲେ ମୁଁ ନିଜ ଭିତରେ ଜଣେ ମହିଳା ଭାବେ ଅନୁଭବ କରୁଥିଲି । ଘରୁ ବାହାରି ଗଲା ପରେ , କପଡ଼ା ଦୋକାନରେ କାମ କରୁଥିଲେ । ଲକ୍ ଡାଉନ୍ରେ ଚାକିରୀ ଚାଲିଗଲା ପରେ ହାଇୱେରେ ଟ୍ରକ୍ ଚାଳକଙ୍କୁ ଭିକ ମାଗି ପେଟ ପୋଷିଥିଲେ। ଏହି ଅବସ୍ଥାରେ ସେ ପୁଲିସ୍ ବିଭାଗରେ ଚାକିରୀ ପାଇଁ ପ୍ରସ୍ତୁତ ହେଲେ । ଏବେ ସେ ସିଲେକ୍ସନ ହୋଇଛନ୍ତି ।
ଏ ହେଉଛି ସେହି କିନ୍ନରଙ୍କ କାହାଣା । ଯେଉଁମାନେ ଦୁଃଖକୁ ପ୍ରତିହତ କରି ନିଜ ପାଇଁ ନିଜର ଏକ ଦୁନିଆ ତିଆରି କରିଛନ୍ତି। ନିଜର ସଫଳତା ହିଁ ତାଙ୍କର ଆଜି ପରିଚୟ ଓ ସମ୍ମାନ ସାଜିଛି । ଆଉ ସେମାନେ ଅନ୍ୟ କିନ୍ନର ଓ ସମାଜ ପାଇଁ ପ୍ରେରଣା ପାଲଟିଛନ୍ତି ।