ଆମେରିକା ଆକାଶରେ ଉଡିଲା ବିଶ୍ବର ସବୁଠାରୁ ବଡ଼ ବିମାନ ‘ଷ୍ଟ୍ରାଟୋଲଂଚ’

ଓ୍ବାଶିଂଟନ,୧୪।୪: ବିଶ୍ବର ସବୁଠାରୁ ବଡ ବିମାନ ‘ଷ୍ଟ୍ରାଟୋଲଂଚ’ ଗତ ଶନିବାର ପରୀକ୍ଷାମୂଳକ ଭାବରେ କାର୍ଲିଫର୍ଣିଆରେ ଆକାଶରେ ପ୍ରଥମ ଥର ଉଡାଣ ଭରିଛି। ପରୀକ୍ଷଣର ପ୍ରାୟ ଦେଢଘଣ୍ଟା ପର୍ଯ୍ୟନ୍ତ ମୋଜାଭେ ମରୁଭୂମି ଉପରେ ଏହା ଉଡିଥିଲା। ଦୀର୍ଘ ବର୍ଷର ଅପେକ୍ଷା ପରେ ପ୍ରଥମ ଥର ପାଇଁ ଗତକାଲି ଉଡିଛି ବିଶ୍ୱର ସବୁଠୁ ବଡ଼ ଉଡାଜାହାଜ । ୬ଟି ଇଂଜିନ୍ ବିଶିଷ୍ଟ ଏହି ବିମାନର ଡେଣାର ଆକାର ହେଉଛି ୩୮୫ ଫୁଟ, ଯାହାକି ଏକ ଫୁଟବଲ ପଡ଼ିଆ ଆକାର ସହ ସମାନ ବୋଲି କୁହାଯାଉଛି । ଏୟାରକ୍ରାଫ୍ଟର ଲମ୍ବ ୨୩୮ ଫୁଟ, ଓଜନ ୨୨୬ ଟନ୍ରୁ ଅଧିକ । ଏହା ୧୭ ହଜାର ଫୁଟ ଉଚ୍ଚତା ପର୍ଯ୍ୟନ୍ତ ଯାଇଥିବା ବେଳେ ଏହା ଘଣ୍ଟା ପ୍ରତି ୧୭୦ ମାଇଲ ଗତିରେ ଯାଇପାରିଥିଲା। ଏଥିରେ ଦୁଇଟି କକଫିଟ ମଧ୍ୟ ରହିଛି । ମାକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ପଲ୍ ଆଲେନଙ୍କ ‘ଷ୍ଟ୍ରାଟୋଲଂଚ ସିଷ୍ଟମ୍ସ’ କଂପାନୀ ୨୦୧୧ ମସିହାରେ ଏହି ବିମାନର ବିକାଶ କାର୍ଯ୍ୟରେ ଲାଗିଥିଲା । ଏହି ଏୟାରକ୍ରାଫ୍ଟ ଉଡନ୍ତା ଲଂଚ ପ୍ୟାଡ୍ ଭାବେ କାମ କରିବ ।

ବିଶେଷ କରି ପୃଥିବୀର ନିମ୍ନ କକ୍ଷରେ ସାଟେଲାଇଟ୍ ପ୍ରକ୍ଷେପଣ କରିବା ଉଦ୍ଦେଶ୍ୟରେ ଏହାକୁ ନିର୍ମାଣ କରାଯାଇଛି । ନାସାର ମହାକାଶ ଗବେଷଣାରେ ମଧ୍ୟ ଏହା ସହାୟକ ହେବ । ସାମରିକ ଓ ଘରୋଇ କଂପାନୀଗୁଡିକ ପାଇଁ କାମ କରିବ ଏହି ମେଗା ଜେଟ୍ । ଯଦି ଏହି ଯୋଜନା ସଫଳ ହେବା ତେବେ ଉପଗ୍ରହକୁ କକ୍ଷ ପର୍ଯ୍ୟନ୍ତ ପଠାଇବାରେ ସବୁଠାରୁ ଭଲ ବିକଳ୍ପ ଭାବରେ ଜଣାଯିବ। ଏହା ସହ ଉପଗ୍ରହକୁ ଛାଡିବାର ଖର୍ଚ୍ଚ ମଧ୍ୟ କମ୍ ହେବ।