ସରକାରୀ କର୍ମଚାରୀ କଟକଣା ନମାନିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର ୨୬/୩: କରୋନାରୁ ମୁକ୍ତି ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଯେଉଁସବୁ କଟକଣା ଲଗାଇଛନ୍ତି ତାହାର ଉଲ୍ଲଂଘନ ସରକାରୀ କର୍ମଚାରୀଙ୍କ ପାଇଁ ବିଶୃଙ୍ଖଳା ଆଚରଣ । ଏହି ଅଭିଯୋଗରେ ସମ୍ପୃକ୍ତ ସରକାରୀ କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମ୍ବନ ସହ ତାଙ୍କ ବିରୋଧରେ ଦୃଢ଼ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ ବୋଲି ଆଇନ୍‌ ବିଶାରଦମାନେ ମତ ଦେଉଛନ୍ତି । ଏଯାବତ୍‌ ବିଧିବଦ୍ଧ ଭାବେ ଏ ସଂକ୍ରାନ୍ତରେ କୌଣସି ସରକାରୀ ଘୋଷଣାନାମା ହୋଇନାହିଁ ।

କରୋନା ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବାବେଳେ ଏଥିରୁ ନିସ୍ତାର ପାଇଁ ଏକମାତ୍ର ବିକଳ୍ପ ଲୋକେ ସାମାଜିକ ଦୂରତା ବଜାୟ ରଖିବା । ଏହି ଗୁରୁତର ସମସ୍ୟାକୁ ଦୃଷ୍ଟିରେ ରଖି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନେ ଶିକ୍ଷାନୁଷ୍ଠାନ ସମେତ ଅନେକ ଦପ୍ତର ବନ୍ଦ କରିଛନ୍ତି । ଓଡ଼ିଶା ସରକାର ପର୍ଯ୍ୟାୟକ୍ରମେ ସମଗ୍ର ରାଜ୍ୟରେ ଲକ୍‌ଡାଉନ୍‌ ଜାରି କରିଥିବାବେଳେ କେନ୍ଦ୍ର ସରକାର ମଧ୍ୟ ପ୍ରଥମ ପର୍ଯ୍ୟାୟରେ ୨୧ ଦିନ ପାଇଁ ସମଗ୍ର ଦେଶରେ ଲକ୍‌ଡାଉନ୍‌ କରିଛନ୍ତି । ମାତ୍ର ଏହି ସରକାରୀ କଟକଣାକୁ କେତେକ ସରକାରୀ କର୍ମଚାରୀ ହାଲୁକା ଭାବେ ନେଇ ଛୁଟି ମନାଇବା ସହ ରାସ୍ତାଘାଟରେ ଭିଡ଼ ଜମାଉଛନ୍ତି ।

ରାଜ୍ୟ ସରକାର କେବଳ ଅତି ଜରୁରି ବିଭାଗର ସୀମିତ ସଂଖ୍ୟକ କର୍ମଚାରୀଙ୍କୁ ଦପ୍ତର ଆସିବା ପାଇଁ କହିଥିବାବେଳେ ଅନ୍ୟମାନେ ଘରେ ବସି କାମ କରିବା ଏବଂ ଯେଉଁମାନଙ୍କ ପାଇଁ କାମନାହିଁ ସେମାନେ ୨୪ ଘଣ୍ଟା ଘରେ ରହି ଫୋନ୍‌ କଲ୍‌ ପାଇବାମାତ୍ରେ ଦାୟିତ୍ୱ ସମ୍ପାଦନ କରିବାକୁ କୁହାଯାଇଛି । ଏ ପରିପ୍ରେକ୍ଷୀରେ ଦାୟିତ୍ୱ ରହିତ କିଛି ସରକାରୀ କର୍ମଚାରୀ ଯାନବାହନ ଧରି ପରିସ୍ଥିତିକୁ ଉପଭୋଗ କରିବା ପାଇଁ ରାସ୍ତାଘାଟରେ ବୁଲୁଥିବା ଓ ଏବଂ ଖୋଲା ରହିଥିବା ହାଟ ବଜାରରେ ଅଯଥାରେ ଭିଡ଼ ଜମାଉଛନ୍ତି । ଏମିତିକି କେତେକ ମିଛରେ ଡାକ୍ତରଖାନା ଯାଉଥିବା କହୁଛନ୍ତି । ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଏବେ ପୁଲିସ୍‌ ଏଭଳି ଲୋକଙ୍କୁ ଅଟକାଇବା ସହିତ ସେମାନଙ୍କ ଗାଡ଼ିମୋଟର ଆଦି ଜବତ କରିବାକୁ ବାଧ୍ୟ ହେଉଛି । ଏମିତିକି କେତେକ ସ୍ଥାନରେ ଜରିମାନା ଆଦାୟ କରିବା ସହ ମାମଲା ବି ରୁଜୁ ହେଉଛି ।

ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଯଦି କୌଣସି ସରକାରୀ କର୍ମଚାରୀ କଟକଣା ଉଲ୍ଲଂଘନ କରି ଧରାପଡ଼ନ୍ତି, ତାଙ୍କ ବିରୋଧରେ ଫୌଜଦାରୀ ଓ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ । ତେଣୁ ସରକାରୀ କର୍ମଚାରୀମାନେ ଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରିବା ସହ ପ୍ରଶାସନକୁ ସହଯୋଗ କରିବା ଆବଶ୍ୟକ ।

   ସମ୍ବନ୍ଧିତ ଖବର


କ୍ବାରେଣ୍ଟାଇନରେ ଥିବା ଯୁବକ ଉଲଘ୍ନ ଅବସ୍ଥାରେ ଖସି ପଳାଇଲେ, ରାଗରେ ପଡୋଶୀ ମହିଳାଙ୍କୁ କାମୁଡିବା ପରେ ମୃତ୍ୟୁ

କରୋନା ଲକଡାଉନ ଭିତରେ ଭୟଙ୍କର ସ୍ଥିତି, ଘରକୁ ଫେରିବାକୁ ଆନନ୍ଦ ବିହାରରେ ହଜାର ହଜାର ସଂଖ୍ୟାରେ ଶ୍ରମିକଙ୍କ ଭିଡ

ଲକ ଡାଉନ : ୨୧ ବର୍ଷୀୟ ଯୁବକ ଜୀବନ ହାରିଦେଲେ !

କରୋନା ବେଶରେ ଲୋକଙ୍କୁ ଲକ୍‌ଡାଉନ୍‌ ବିଷୟରେ ବୁଝାଇଲା ପୁଲିସ୍‌