ଦେବଗଡ଼ କଲେଜ +୨ ବିଜ୍ଞାନ ପରୀକ୍ଷାର୍ଥୀଙ୍କ ଅଜବ ଡିମାଣ୍ଡ: କପି ଦାବିରେ ବାରଣ୍ଡାରେ ପରୀକ୍ଷା ଦେଲେ

ଦେବଗଡ଼/ତିଳେଇବଣି, ୧୨ା୩ (ଆପ୍ର): ନିୟମିତ କ୍ଲାସ ହେବାରେ କଲେକ କର୍ତ୍ତୃପକ୍ଷଙ୍କ ଅବହେଳା ଅଭିଯୋଗ ସହ ପରୀକ୍ଷା କେନ୍ଦ୍ରରେ ସିସିଟିଭିକୁ ବିରୋଧ କରି ଆଜି ଦେବଗଡ଼ କଲେଜରେ କେତେକ ଯୁକ୍ତ ୨ ବିଜ୍ଞାନ ପରୀକ୍ଷାର୍ଥୀ ହଲ୍ ବାହାରେ ବାରଣ୍ଡାରେ ବସି ପରୀକ୍ଷା ଦେଇଥିଲେ । ସିସିଟିଭି ଲାଗିଥିବା ହଲ୍ରେ ପରୀକ୍ଷା ଦେବେ ନାହିଁ ବୋଲି ପରୀକ୍ଷାର୍ଥୀମନେ ଏଭଳି ଜିଦ୍ କରିଥିଲେ ଯେ କଲେଜ କର୍ତ୍ତୃପକ୍ଷ ହାତ ଟେକି ଦେଇଥିଲେ । ଖବର ପାଇ ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲ ଓ ଏସ୍ପି ରାହୁଲ ଜୈନ ପହଞ୍ଚି ପରିସ୍ଥିତିକୁ ସମ୍ଭାଳିଥିଲେ ଏବଂ ପରୀକ୍ଷାର୍ଥୀଙ୍କୁ ବୁଝାସୁଝା କରିଥିଲେ । ପରୀକ୍ଷାର୍ଥୀମାନେ କ୍ଲାସରୁମ୍ ବାହାରକୁ ଆସି ଜୋର୍ ଜବରଦସ୍ତ ବାରଣ୍ଡାରେ ବସି ପରୀକ୍ଷା ଦେଇଥିଲେ । ଅପରପକ୍ଷରେ, ପରୀକ୍ଷା ନିୟମ ଉଲ୍ଲଂଘନ କରିଥିବା ୪୪ ଛାତ୍ର ଓ ୨୪ ଛାତ୍ରୀଙ୍କ ବିରୋଧରେ ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ ସମ୍ବଲପୁରସ୍ଥିତ କାଉନସିଲ କଣ୍ଟ୍ରୋଲର୍ଙ୍କୁ ଜଣାଇଥିବା କଲେଜ ଅଧ୍ୟକ୍ଷା ସନ୍ତୋଷିନୀ ଶତପଥୀ କହିଛନ୍ତି । ଆଜି ଯୁକ୍ତ ୨ ବିଜ୍ଞାନର ଫିଜିକ୍ସ ବିଷୟରେ ମୋଟ ୧୨୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ଅନୁପସ୍ଥିତ ରହିଥିଲେ । ସିସିଟିଭି ଲାଗିଥିବା କଲେଜର ପୁରୁଣା ବିଲ୍ଡିଂରେ ପରୀକ୍ଷା ଚାଲିଥିଲା । ପରୀକ୍ଷା ଆରମ୍ଭ ହେବାର କିଛି ସମୟ ପରେ ହଠାତ ଛାତ୍ରଛାତ୍ରୀ କ୍ଲାସ୍ ରୁମ୍ରେ ଲାଗିଥିବା ସିସିଟିଭି ଘଟଣାକୁ ନେଇ ହୋହଲ୍ଲା କରିବା ସହ ବାହାରେ ପରୀକ୍ଷା ଦେବାକୁ ସେଠାରେ ଉପସ୍ଥିତ ପରୀକ୍ଷକଙ୍କ ନିକଟରେ ଦାବି କରିଥିଲେ । ସମ୍ପୃକ୍ତ ଅଧ୍ୟାପକ ଏଭଳି ପରିସ୍ଥିତି ସମ୍ପର୍କରେ ଅଧ୍ୟକ୍ଷା ଶ୍ରୀମତୀ ଶତପଥୀ ଖବର ପାଇ ସେଠାରେ ପହଞ୍ଚିଥିଲେ । ସେ ପହଞ୍ଚିବା ବେଳକୁ ୪୪ ଛାତ୍ର ଓ ୨୪ ଜଣ ଛାତ୍ରୀ ନିଜର ପ୍ରଶ୍ନପତ୍ର ଓ ଉତ୍ତର ଖାତା ନେଇ କଲେଜ ବାରଣ୍ଡାରେ ବସିଥିବା ବେଳେ ଅନ୍ୟ ୫୯ ଜଣ ଛାତ୍ରଛାତ୍ରୀ କ୍ଲାସ ରୁମ ଭିତରେ ପରୀକ୍ଷା ଦେଉଥିଲେ । ଏପରିକି କଲେକ କର୍ତ୍ତୃପକ୍ଷ କପି ପାଇଁ ଜିଦ୍ ଧରିଥିବା ସମ୍ପୃକ୍ତ ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରିବା ବେଳେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା । ସଙ୍ଗେ ସଙ୍ଗେ ଶ୍ରୀମତୀ ଶତପଥୀ ଏକଥା ଜିଲ୍ଲାପାଳ, ଏସ୍ପି ଓ ପରୀକ୍ଷା ନିୟନ୍ତ୍ରକଙ୍କୁ ଜଣାଇଥିଲେ । ଫଳରେ ଜିଲ୍ଲାପାଳ ଓ ଏସ୍ପି ପ୍ରମୁଖ କଲେଜରେ ପହଞ୍ଚି ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରିବା ସହ ନିୟମ ମୁତାବକ ପରୀକ୍ଷା ଦେବାକୁ କହିଥିଲେ । ବିଶୃଙ୍ଖଳାକାରୀ ଛାତ୍ରଛାତ୍ରୀଙ୍କ ନାମ ଓ ରୋଲ ନମ୍ବର ଟିପିନେବା ସହ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିମନ୍ତେ କଲେଜ ଅଧ୍ୟକ୍ଷାଙ୍କୁ ନିର୍ଦ୍ଦେଶ ଦେଇଥିଲେ ।