ମାଇକ୍ରୋସଫ୍ଟ ଟିମ୍‌ ମାଧ୍ୟମରେ ପଢ଼ିବେ ପିଲା, ସ୍କୁଲ ଅଧୀନରେ ୨୫୦ ଛାତ୍ରଛାତ୍ରୀ ପଢ଼ିପାରିବେ

ଭୁବନେଶ୍ୱର ୯/୫: କୋଭିଡ୍‌-୧୯ ସଙ୍କଟ ପାଇଁ ଲକ୍‌ଡାଉନ୍‌ ଚାଲିଛି । ଏଭଳି ସମୟରେ ସରକାରୀ ସ୍କୁଲର ପିଲାଙ୍କୁ ଶିକ୍ଷା ସଂଯୋଗ ମାଧ୍ୟମରେ ପଢ଼ାଯାଉଛି । ଏହାକୁ ଅଧିକ ବ୍ୟାପକ କରିବାକୁ ପିଲାମାନଙ୍କୁ ମାଇକ୍ରୋସଫ୍ଟ ଟିମ୍‌ ଦ୍ୱାରା ପଢ଼ାଯିବ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବ୍ୟବସ୍ଥା କରାଯାଉଛି । ବର୍ତ୍ତମାନ ପରୀକ୍ଷା ମୂଳକ ଭାବେ ଖୋର୍ଦ୍ଧା ଜିଲ୍ଲାର ୧୦ଟି ସ୍କୁଲରେ ଏହାର ସାହାଯ୍ୟରେ ଶିକ୍ଷାଦାନ ଆରମ୍ଭ ହୋଇଛି । ଖୁବଶୀଘ୍ର ରାଜ୍ୟର ଅନ୍ୟ ଜିଲ୍ଲା ଗୁଡିକରେ ମାଇକ୍ରୋସଫ୍ଟ ଟିମ୍‌ ଦ୍ୱାରା ପାଠ ପଢ଼ାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି ।
  

ଲକ୍‌ଡାଉନ୍‌ ସମୟରେ ପିଲାମାନେ ଘରେ ରହି ଯେଭଳି ପାଠ ପଢ଼ିବେ ସେଥିପାଇଁ ମେ ୪ ତାରିଖରୁ ସାରା ରାଜ୍ୟରେ ଆରମ୍ଭ ହୋଇଛି ଶିକ୍ଷା ସଂଯୋଗ କାର୍ଯ୍ୟକ୍ରମ । ହ୍ୱାଟସ୍‌ଆପ୍‌ ଗ୍ରୁପ୍‌ କରାଯାଇ ପିଲାଙ୍କୁ ପଢ଼ାଯାଉଛି । ଏହା ସହ ପ୍ରଥମରୁ ଦଶମ ଶ୍ରେଣୀ ପିଲାଙ୍କୁ ଡିଡି ଓଡିଆ ଓ ହ୍ୱାଟସ୍‌ଆପ୍‌ ମାଧ୍ୟମରେ ମଧୁ ଆପ୍‌ ଓ ଏଜୁସାଟ୍‌ ଦ୍ୱାରା ଶିକ୍ଷାଦାନ ଜାରି ରହିଛି । ଏହି ବ୍ୟବସ୍ଥାକୁ ଆହୁରି ବ୍ୟାପକ କରାଯାଇ ପିଲାଙ୍କୁ ମାଇକ୍ରୋସଫ୍ଟ ଟିମ୍‌ ଦ୍ୱାରା ପଢ଼ାଇବାକୁ ବିଭାଗ ପକ୍ଷରୁ ବ୍ୟବସ୍ଥା ହେଉଛି । ଏହାଦ୍ୱାରା ବେସରକାରୀ ଇଂରାଜୀ ମାଧ୍ୟମ ସ୍କୁଲ ଭଳି ମାଇକ୍ରୋସଫ୍ଟ ଟିମ୍‌ ମାଧ୍ୟମରେ ଛାତ୍ରଛାତ୍ରୀମାନେ ଶିକ୍ଷକଙ୍କ ସହ ସିଧାସଳଖ ଆଲୋଚନା ଓ ପର୍ଯ୍ୟାଲୋଚନା କରି ପଢ଼ିପାରିବେ । ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ଖୋର୍ଦ୍ଧା ଜିଲ୍ଲାରେ ୧୦ଟି ସ୍କୁଲରେ ପରୀକ୍ଷା ମୂଳକ ଭାବେ ଶିକ୍ଷାଦାନ ଆରମ୍ଭ ହୋଇଛି ।

ପ୍ରତି ସ୍କୁଲର ପ୍ରଧାନଶିକ୍ଷକ ଓ ୨ ଜଣ ସହକାରୀ ଶିକ୍ଷକଙ୍କୁ ଏସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇଛି । ଏହା ସହ ୨୪ଟି ଜିଲ୍ଲାର ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କୁ ୨ ଦିନ ପୂର୍ବରୁ ପ୍ରଶିକ୍ଷଣ ଦିଆସରିଛି । ୨୪ଟି ଜିଲ୍ଲାର ୧୦ଟି ଲେଖାଏଁ ମୋଟ୍‌ ୨୪୦ଟି ସ୍କୁଲରେ ମାଇକ୍ରୋସଫ୍ଟ ଟିମ୍‌ ଦ୍ୱାରା ଶିକ୍ଷାଦାନ ପ୍ରଦାନ କରିବାକୁ ବିଭାଗ ପକ୍ଷରୁ କାର୍ଯ୍ୟ ଜାରି ରହିଛି ବୋଲି ବିଭାଗୀୟ ମନ୍ତ୍ରୀ ସମୀର ରଞ୍ଜନ ଦାଶ ପ୍ରକାଶ କରିଛନ୍ତି । ଏହାଦ୍ୱାରା ଗୋଟିଏ ସ୍କୁଲ ଅଧୀନରେ ୨୫୦ଜଣ ଛାତ୍ରଛାତ୍ରୀ ଏହି ଶିକ୍ଷାସଂଯୋଗ ମାଧ୍ୟମରେ ପାଠ ପଢ଼ିପାରିବେ ।

   ସମ୍ବନ୍ଧିତ ଖବର


ଚିନ୍ତାର କଥା ! ପରୀକ୍ଷଣ ସମୟରେ କରୋନା ଟିକାରେ ହେଲା ମୃତ୍ୟୁ…

କରୋନାରୁ ରକ୍ଷା କରିବ ଏହି ‘ଛତୁ’–ଷ୍ଟାର୍ଟ ଅପ୍‌ କମ୍ପାନୀ ତିଆରି କଲେ ଇମ୍ୟୁନିଟି ବୁଷ୍ଟର

କରୋନା ଭୟରେ ଏହି ଦେଶରେ ବନ୍ଦ ହେଲା ମାଛ ମାର୍କେଟ୍, ଲାଗିଲା କର୍ଫ୍ୟୁ

ଇଜ୍ଜତ ନେବି ବଦନାମ୍ କରିବି ‘ଶହେ କିଲୋମିଟର ଦୂରରୁ ଏମିତି ଧମକ ଦେଉଛି ଦୁର୍ବୃତ୍ତ’ ଅଥଚ- ଆତଙ୍କିତ ବିଧବା ମହିଳାଙ୍କୁ ମିଳୁନି ପୋଲିସ୍ ସୁରକ୍ଷା

ପରିବା କ୍ଷେତରୁ ବଜାର ପହଞ୍ଚିବା ପରେ ଦାମ ହେଇଯାଉଛି ଦୁଇଗୁଣା, ଜାଣନ୍ତୁ କଣ’ ରହିଛି କାରଣ…

ସ୍କୁଲ ଭିତରେ ଶିକ୍ଷୟିତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ, ଏସଏମ୍‌ସି ସଭାପତି ନାଁ ଥାନାରେ ଏତଲା