ମେହନତି ମହିଳା-ଚାଷ କରି ପୋଷୁଛନ୍ତି ପରିବାର

କେନ୍ଦୁଝର: ଯୁଗ ବଦଳୁଛି । ବଦଳୁଛି ଚିନ୍ତାଧାରା । କେବଳ ଚାକିରି କିମ୍ବା ବ୍ୟବସାୟ ନୁହେଁ, କୃଷି କ୍ଷେତ୍ରରେ ମଧ୍ୟ ନିଜର ପରାକାଷ୍ଠା ଦେଖାଉଛନ୍ତି ମହିଳା । ସମ୍ପ୍ରତ୍ତି ସାମୂହିକ ବା ଗୋଷ୍ଠୀଗତ କୃଷି ମହିଳାମାନଙ୍କ ସଫଳତାରେ ସହାୟକ ହୋଇଥିବାବେଳେ ସରକାରଙ୍କ କୃଷି ଉତ୍ପାଦନ କ୍ଲଷ୍ଟର ପ୍ରକଳ୍ପ ମହିଳାଙ୍କ ଆୟ ଦ୍ୱିଗୁଣିତ କରିବାର ସ୍ୱପ୍ନକୁ ପୂରଣ କରିଛି । ଜ ି ଲ ୍ଲ । ପ୍ରଶାସନ ସହାୟତାରେ କେନ୍ଦୁଝର ଜିଲ୍ଲାର ୫ଟି ବ୍ଲକ୍ରେ ବର୍ତ୍ତମାନ ଏହି କୃଷି ଉତ୍ପାଦନ କ୍ଲଷ୍ଟର ମାଧ୍ୟମରେ ମହିଳା ଉତ୍ପାଦିକା ଗୋଷ୍ଠୀ ଗଠନ କରାଯାଇ ବିଭିନ୍ନ ଚାଷ କାର୍ଯ୍ୟ କରାଯାଉଛି ।
ଖଣି ପ୍ରଭାବିତ ୩ଟି ବ୍ଲକ୍ ଯଥା ସଦର, ଝୁମ୍ପୁରା ଏବଂ ବାଂଶପାଳର ଉତ୍ପାଦିକା ଗୋଷ୍ଠୀଙ୍କୁ ଆନୁସଙ୍ଗିକ ପୁଞ୍ଜି ସହାୟତା ପ୍ରଦାନ କରୁଛି ଜିଲ୍ଲା ଖଣିଜ ପ୍ରତିଷ୍ଠାନ ବା ଡିଏମ୍ଏଫ୍ । ଡିଏମ୍ଏଫ୍ ସହାୟତାରେ ବ୍ଲକ୍ ଅଧୀନ ୪୧ ଟି ଉତ୍ପାଦିକା ଗୋଷ୍ଠୀର ୬୦୦୦ ମହିଳା ଚାଷ କରି ଆୟକୁ ଦ୍ୱିଗୁଣିତ କରିପାରୁଛନ୍ତି । କୃଷି ଉତ୍ପାଦନ ପ୍ରକଳ୍ପ ଜରିଆରେ ମହିଳା ଚାଷୀଙ୍କୁ ନେଇ ଉତ୍ପାଦିକା ଗୋଷ୍ଠୀ ଗଠନ କରାଯାଇଛି । ପ୍ରତି ଉତ୍ପାଦିକା ଗୋଷ୍ଠୀରେ ୧୫୦ ପର୍ଯ୍ୟନ୍ତ ସଦସ୍ୟା ରହୁଥିବାବେଳେ ସେମାନଙ୍କୁ ସାମୂହିକ ଭାବେ ପନିପରିବା ତଥା ବିଭିନ୍ନ ଚାଷ କରିବା ପାଇଁ ପ୍ରେରଣା ଯୋଗାଇ ଦିଆଯାଉଛି । ସଦର ଓ ଝୁମ୍ପୁରା ବ୍ଲକ୍ର ମହିଳା ମାନଙ୍କୁ ସଂଗଠିତ କରି ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆଡିଏ ପକ୍ଷରୁ ବିଭିନ୍ନ କୃଷି ସମ୍ବନ୍ଧୀୟ ବୈଷୟିକ ଜ୍ଞାନ ପ୍ରଦାନ କରାଯାଉଥିବାବେଳେ ସଦର ବ୍ଲକ୍ର ଭାଟୁଣିଆ ଗ୍ରାମରେ ଏହି କ୍ରମରେ ପବନସୂତ ଉତ୍ପାଦିକା ଗୋଷ୍ଠୀ ଗଠନ କରାଯାଇଛି ।
ଏହି ଉତ୍ପାଦିକା ଗୋଷ୍ଠୀରେ ୧୦୦ ଜଣ ସଦସ୍ୟା ରହିଛନ୍ତି । ପୂର୍ବରୁ ଗ୍ରାମବାସୀମାନେ ଚାଷ କରୁଥିଲେ ମଧ୍ୟ ସ୍ୱଳ୍ପ ପରିମାଣର ଜମିରେ ମିଶ୍ରିତ ପନିପରିବା ଚାଷ କରୁଥିଲେ । ଉତ୍ପାଦିକା ଗୋଷ୍ଠୀ ଗଠନ ପରେ ମହିଳାମାନେ ସାମୂହିକ ଭାବେ ପନି ପରିବା ଚାଷ ଆରମ୍ଭ କରିଥିବାବେଳେ ରବି ଋତୁରେ ୮୦ ଟନ୍ ଏବଂ ଖରିଫ ଋତୁରେ ୧୫ ଟନ ବାଇଗଣ, ବିଲାତି, କୋବି ଆଦି ପରିବା ଉତ୍ପାଦନ କରିବା ପାଇଁ ସକ୍ଷମ ହୋଇଛନ୍ତି । ଗତ ବର୍ଷ ଏହି ଉତ୍ପାଦିକା ଗୋଷ୍ଠୀର ମହିଳାମାନେ ୧୨୦ ଟନ୍ ବିଲାତି ଉତ୍ପାଦନ କରି ୬ଲକ୍ଷ ଟଙ୍କା ବିକ୍ରି କରିଥିବାବେଳେ ୨୦ ଟନ ବାଇଗଣ ଉତ୍ପାଦନ କରି ୩ଲକ୍ଷ ଟଙ୍କା ବିକ୍ରି କରିଥିଲେ । ଡିଏମ୍ଏଫ୍ ପକ୍ଷରୁ ଏଠାରେ ୬ଟି ସୋଲାର ଉଠା ଜଳ ସେଚନ ବସାଯାଇଛି । ନରସିଂହପୁର ଗ୍ରାମର ଭରାଳୀପାଟ ଉତ୍ପାଦିକା ଗୋଷ୍ଠୀର ମହିଳା ଚାଷୀମାନେ ୬ ଲକ୍ଷ ଟଙ୍କାର କଲରା ଏବଂ ୧ ଲକ୍ଷ ଟଙ୍କାର ବାଇଗଣ ବିକ୍ରି କରିଥିବାବେଳେ କୁଶପଦା ଗ୍ରାମର ମା ଗ୍ରାମ୍ୟ ଉଜାଲା ଉତ୍ପାଦିକା ଗୋଷ୍ଠୀର ମହିଳାମାନେ ଝୁଡଙ୍ଗ, କଲରା ଓ ଭେଣ୍ଡୀରୁ ୭ ଲକ୍ଷ ଟଙ୍କା ରୋଜଗାର କରିଥିବା ଉତ୍ପାଦିକା ଗୋଷ୍ଠୀ ଗୁଡିକର ସମ୍ପାଦକ ମାନେ ସୂଚନା ଦେଇଛନ୍ତି । ସେହିଭଳି ଝୁମ୍ପୁରା ବ୍ଲକ୍ ଲକ୍ଷ୍ମୀପଶି ଗ୍ରାମର ମା’ ଗ୍ରାମ ଠାକୁରାଣୀ ଉତ୍ପାଦିକା ଗୋଷ୍ଠୀର ମହିଳାମାନେ ଚଳିତ ବର୍ଷ ରେକର୍ଡ ସଂଖ୍ୟକ ବାଇଗଣ ଓ କଲରା ବିକ୍ରି କରିଛନ୍ତି ।
ବର୍ତ୍ତମାନ ମଧ୍ୟ ଏଠାରେ ବାଇଗଣ ବିକ୍ରି ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ପାଖାପାଖି ୩ ଲକ୍ଷ ଟଙ୍କାର ବାଇଗଣ ବିକ୍ରି କଲେଣି ମହିଳାଚାଷୀମାନେ । ମଲଚିଂ ପ୍ରଣାଳୀରେ କଲାରା ଚାଷ କ ର ି ୨ଲକ୍ଷ ଟଙ୍କାର କଲରା ବିକ୍ରି କରି ସାରିଥିବାବେଳେ ପୁଣିଥରେ କଲରା ଫଳିବା ଆରମ୍ଭ କରିଥିବା ପ୍ରକାଶ କରିଛନ୍ତି ଲକ୍ଷ୍ମୀପଶି ମା’ ଗ୍ରାମ ଠାକୁରାଣୀ ଉତ୍ପାଦିକା ଗୋଷ୍ଠୀର ସମ୍ପାଦିକା ବାସନ୍ତୀ ମୁଣ୍ଡା । ଉତ୍ପାଦିକା ଗୋଷ୍ଠୀ ଗଠନ ପରେ ମହିଳାମାନଙ୍କ ମଧ୍ୟରୁ ଜଣେ ସଭାନେତ୍ରୀ, ଜଣେ ସମ୍ପାଦକ ଏବଂ ଜଣେ କୋଷାଧ୍ୟକ୍ଷ ଦାୟିତ୍ୱରେ ରହୁଛନ୍ତି ।
ବ୍ୟାଙ୍କ୍ରେ ଯୁଗ୍ମ ଖାତା ଖୋଲଲା ଯାଉଥିବାବେଳେ ଚାଷ ଜମିର ପରିମାଣ ଅନୁସାରେ ଖଣି ପ୍ରଭାବିତ ଅଞ୍ଚଳର ଉତ୍ପାଦିକା ଗୋଷ୍ଠୀଙ୍କୁ ଡିଏମ୍ଏଫ୍ ପକ୍ଷରୁ ଆନୁସଙ୍ଗିକ ପୁଞ୍ଜି ସହାୟତା କରାଯାଉଛି । ବାଡ ବୁଜିବା ଠାରୁ ଆରମ୍ଭ କରି ଜଳ ସେଚନ, ପକ୍କାଘର, ଶୀତଳୀକରଣ ଭଳି ବ୍ୟବସ୍ଥା କରାଯାଉଛି । ଆଗକୁ ସୋଲାର ଜଳ ସେଚନ, ଚାରା ଉତ୍ପାଦନ ଏବଂ ମଲଚିଂ ଆଦିରେ ମଧ୍ୟ ସହଯୋଗ ପାଇଁ ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି ଏପିସି ପ୍ରକଳ୍ପ ଅଧିକାରୀ ସୀତାକାନ୍ତ ପାତ୍ର । ଚାଷ ପାଇଁ ଆଇଟିଡିଏ ପକ୍ଷରୁ ମହିଳା ମାନଙ୍କୁ ମଞ୍ଜି ଓ ଜୈବିକ ସାର ଯୋଗାଇ ଦିଆଯାଉଛି । ଚାଷ ମାଧ୍ୟମରେ ଦିନକୁ ଦିନ ମହିଳାଙ୍କ ରୋଜଗାର ବଢୁଥିବାବେଳେ ଚାଷର ପରିସର ମଧ୍ୟ ବୃଦ୍ଧି ଘଟୁଛି । ଫଳରେ ଗ୍ରାମାଞ୍ଚଳର ଲୋକଙ୍କ ଜୀବନଜୀବିକାରେ ଉନ୍ନତି ଘଟୁଥିବାବେଳେ ବାହାର ଜିଲ୍ଲାକୁ କାମ ଖୋଜିବାକୁ ଯିବାକୁ ପଡୁ ନାହିଁ ।