ଗାନ୍ଧୀବାଦୀ ସର୍ବୋଦୟ ନେତ୍ରୀ ସୁମିତ୍ରା ଚୌଧୁରୀଙ୍କ ପରଲୋକ

କଟକ ୨୩/୯: ପ୍ରଖ୍ୟାତ ଗାନ୍ଧୀବାଦୀ ସର୍ବୋଦୟ ନେତ୍ରୀ ସୁମିତ୍ରା ଚୌଧୁରୀଙ୍କ ଆଜି ପରଲୋକ ହୋଇଯାଇଛି । ତାଙ୍କୁ ୯୫ବର୍ଷ ହୋଇଥିଲା । ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମ ସ୍ୱର୍ଗତ ମନମୋହନ ଚୌଧୁରୀଙ୍କ ପତ୍ନୀ ସୁମିତ୍ରା ମହାତ୍ମା ଗାନ୍ଧୀଙ୍କ ପଟ୍ଟ ଶିଷ୍ୟା ତଥା ଐତିହାସିକ ଚୌଧୁରୀ ପରିବାରର ଦୀପଶିଖା ଥିଲେ । କିଛିଦିନ ହେବ ସେ ଅସୁସ୍ଥ ହୋଇପଡିଥିବା ବେଳେ ରବିବାର ପ୍ରାୟ ୧୧ଟା ସମୟରେ ବାଖରବାଦସ୍ଥିତ ଚୌଧୁରୀ ବାସଭବନରେ ତାଙ୍କର ଦେହାନ୍ତ ହୋଇଯାଇଥିଲା ।

ସୁମିତ୍ରା ଚୌଧୁରୀ ପଶ୍ଚିମବଙ୍ଗର ଏକ ସ୍ୱାଧୀନତା ସଂଗ୍ରାମୀ ତଥା ନୈଷ୍ଠିକ ବ୍ରାହ୍ମଣ ପରିବାରରେ ୧୯୨୪ ମସିହା ନଭେମ୍ୱର ୧୫ ତାରିଖରେ ଜନ୍ମଗ୍ରହଣ କରିଥିଲେ । ପିତା ବିଭୂତି ଭୂଷଣ ବନ୍ଦୋପାଧ୍ୟାୟ ଓ ମାତା ସୁଧାନନୀ ଦେବୀ ସହ ଭାଇଭଉଣୀ ମିଶି ୧୨ ଜଣ ଥିଲେ ତାଙ୍କ ପରିବାର । କଲେଜ ଜୀବନରୁ ହିଁ ତାଙ୍କଠି ଦେଶପ୍ରୀତିର ଝଲକ ଦେଖିବାକୁ ମିଳିଥିଲା । କଲେଜ ଛାତ ଉପରେ ତ୍ରିରଙ୍ଗା ପତାକା ଉଡାଇବା ପାଇଁ ସେ ଏକ ଛାତ୍ର ଆନ୍ଦୋଳନ ଆରମ୍ଭ କରିଥିଲେ । ଗାନ୍ଧିଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ସ୍ୱାଧୀନତା ଆନ୍ଦୋଳନରେ ସାମିଲ୍‌ ହୋଇ ବନ୍ଦୀ ଜୀବନ କାଟିଥିଲେ । ଉଚ୍ଚ ଶିକ୍ଷା ପାଇଁ ସେ ଗାନ୍ଧିଜୀଙ୍କ ପ୍ରତିଷ୍ଠିତ ମହାରାଷ୍ଟ୍ରସ୍ଥିତ ସେବାଗ୍ରାମକୁ ଚାଲି ଆସିଥିଲେ । ସେଠାରେ ତାଙ୍କର ପରିଚୟ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଗୋପବନ୍ଧୁ ଚୌଧୁରୀଙ୍କ ପୁତ୍ର ମନମୋହନ ଚୌଧୁରୀଙ୍କ ସହ ହୋଇଥିଲା । ପରେ ମନମୋହନଙ୍କ ସହ ସୁମିତ୍ରାଙ୍କ ବିବାହ ହୋଇଥିଲା । ଯାହାଦ୍ୱାରା ସୁମିତ୍ରା ଓଡ଼ିଶାର ବିଖ୍ୟାତ ଚୌଧୁରୀ ପରିବାରକୁ ବୋହୂ ହୋଇ ଆସିଥିଲେ । ଚୌଧୁରୀ ପରିବାର ସହ ସାମିଲ ହୋଇ ଦେଶ ସେବାକୁ ଜୀବନର ବ୍ରତ ଭାବରେ ସେ ଗ୍ରହଣ କରିନେଇଥିଲେ ।

ବିନୋବାଜୀଙ୍କ ଆଦର୍ଶରେ ପ୍ରଭାବିତ ହୋଇ ଭୂଦାନ ଆନ୍ଦୋଳନ ମାଧ୍ୟମରେ ସେ ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର, ବରୀ ଆଦି ଅଞ୍ଚଳରେ ସେ ଭୂମିଭିକ୍ଷା କରି ସଫଳ ହୋଇଥିଲେ । ବିନୋବାଜୀଙ୍କ ନୀତି ଅନୁସରଣ କରି ସେ “ନିଧିମୁକ୍ତ’ ଓ “ସଂସ୍ଥାମୁକ୍ତ’ରେ ସାମିଲ୍‌ ହୋଇଥିଲେ । ସେ କସ୍ତୁରବା ଗାନ୍ଧୀ ସ୍ମାରକ ଟ୍ରଷ୍ଟ ଉତ୍କଳ ଶାଖାର ପରିଚାଳନା ଭାର ଗ୍ରହଣ କରିଥିଲେ । ଦେଶରେ ଜରୁରିକାଳୀନ ପରସ୍ଥିତି ଜାରି ହେବା ସମୟରେ ସେ କସ୍ତୁରବା ଟ୍ରଷ୍ଟରୁ ଇସ୍ତଫା ଦେଇ ସମ୍ପୂର୍ଣ୍ଣ କ୍ରାନ୍ତି ଆନ୍ଦୋଳନରେ ଯୋଗଦଲେ । ସେ ଥିଲେ ଆନ୍ଦୋଳନର କୋଷାଧ୍ୟକ୍ଷ । ସେ “ସେବାସମିତି’ ଓ ଗ୍ରାମସେବକ ସମବାୟ ପ୍ରେସ୍‌ର ସଂପାଦିକା ଭାବରେ କାର୍ଯ୍ୟ କରିଥିଲେ ।

ଏହାସହ ନିଜର ବ୍ୟସ୍ତ ବହୁଳ ଜୀବନକାଳ ମଧ୍ୟରେ ଅନେକ ପୁସ୍ତକ ମଧ୍ୟ ଅନୁବାଦ କରିଥିଲେ । ତନ୍ମମଧ୍ୟରୁ ଜନ୍‌ ହୋଲ୍‌ଟଙ୍କ ଇଂରାଜୀ ପୁସ୍ତକର ଅନୁବାଦ “ପିଲାଏ ଶିଖନ୍ତି କିପରି’, ଅନ୍ୟ ଏକ ଇଂରାଜୀ ପୁସ୍ତକର ଅନୁବାଦ- “ଅଦ୍ଭୁତ ଭିକ୍ଷୁ’ ଓ ବଙ୍ଗଳାରୁ “ଗାନ୍ଧୀଜୀଙ୍କ ଜୀବନ କଥା’ ଉଲ୍ଲେଖ ଯୋଗ୍ୟ । ସୁମିତ୍ରା ଚୌଧୁରୀ ତାଙ୍କର କର୍ମ ଦକ୍ଷତା ଓ ନିଷ୍ଠା ନିମନ୍ତେ ଗୋପବନ୍ଧୁ ରମାଦେବୀ ସମ୍ମାନ, କସ୍ତୁରବା ସ୍ମୃତି ସମ୍ମାନ, ରାଷ୍ଟ୍ରୀୟ ଯୁବା ସଂଗଠନ ସମ୍ମାନ, ସେବା ସୁବର୍ଣ୍ଣ ସମ୍ମାନ ଭଳି ବହୁ ସମ୍ମାନ ଓ ପୁରସ୍କାରର ଅଧିକାରୀ ହୋଇପାରିଥିଲେ ।

ଶେଷ ଶଯ୍ୟା ନିକଟରେ ଦୁଇ ଭଣଜା ଡ. ଜ୍ଞାନଦେବ ମହାରଣା ଓ ଡ. କର୍ମଦେବ ମହାରଣା, ଭଣଜା-ବୋହୂ ଡ. ସ୍ୱପ୍ନା ମାହାପ୍ତର, ସହଯୋଗୀ ପୂର୍ଣ୍ଣଚନ୍ଦ୍ର ବେହେରା, ଉର୍ମିଳା ସାହୁ, ପ୍ରହଲାଦ ସିଂହ, ଡଲି ଦାସ, ସର୍ବୋଦୟର ସଂପାଦକ ଡ. ବିଶ୍ୱଜିତ, ସାନ ଭାଇ ଅମିତାଭ ବାନାର୍ଜୀ ପ୍ରମୁଖ ଉପସ୍ଥିତ ଥିଲେ । ତାଙ୍କ ମୃତ୍ୟୁ ଖବର ଶୁଣି ବାରବାଟୀ-କଟକ ବିଧାୟକ ଇଂ. ମହମ୍ମଦ ମୋକିମ୍‌, ଉତ୍କଳ ବିଶ୍ୱବିଦ୍ୟାଳୟ ପୂର୍ବତନ କୁଳପତି ଡ. ଗୋକୁଳାନନନ୍ଦ ଦାସ, ବିଶିଷ୍ଠ ଶିକ୍ଷାବିତ୍‌ ଡ. ବିରେନ୍ଦ୍ର ନାୟକ, ପାବକ କାନୁନଗୋ, ଡ. ସତ୍ୟ ରାୟ, ଜୟନ୍ତ କୁମାର ଦାସ, ରବି ରଞ୍ଜନ ସାହୁ, ବନଲତା ଦେବୀ, ଡ. ଜେପି ଦାସ, ଶୈଳେଜ ରବି, ପ୍ରଶାନ୍ତ ଦାସ, ଚିତ୍ତ ରଞ୍ଜନ ମହାନ୍ତି, ଦୀପକ କାନୁନଗୋ, ଭଗବାନ ନାଥ, କୃଷ୍ଣା ମହାନ୍ତି ପ୍ରମୁଖ ବିଶିଷ୍ଟ ବ୍ୟକ୍ତିମାନେ ବାସଭବନରେ ପହଞ୍ଚି ତାଙ୍କର ଶେଷ ଦର୍ଶନ କରିଥିଲେ ।

ଆସନ୍ତାକାଲି ତାଙ୍କ ଝିଅ ମାଧବୀ ଦାସ ଓ ବୋହୂ ଆରତୀ ଚୌଧୁରୀ ବିଦେଶରୁ ଆସିବା ପରେ ତାଙ୍କ ମର ଶରୀରକୁ ତାଙ୍କର କର୍ମକ୍ଷେତ୍ର ଥୋରିଆ ସାହି ସ୍ଥିତ ଗୁଣନିଧୀ ଭବନକୁ ନିଆଯିବ । ଖାନନଗର ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ସୂଚନା ମିଳିଛି ।

   ସମ୍ବନ୍ଧିତ ଖବର


ଶୂନ୍ୟକାଳରେ ଟୋକନ୍ ତାତି : ଦିନ ୩ଟା ପର୍ଯ୍ୟନ୍ତ ଗୃହ ମୁଲତବି

ଭୁବନେଶ୍ୱରର ସବୁ ଆହାର କେନ୍ଦ୍ରକୁ ଆଇଏସ୍‌ଓ ମାନ୍ୟତା

ଆଜିଠୁ ସୋଆରେ ‘ଗ୍ଲୋବାଲ୍‌ ମଦର୍ସ’ ଅନ୍ତର୍ଜାତୀୟ ସମ୍ମିଳନୀ

କାଠଗଡ଼ାରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର: ୭ ଦିନ ଭିତରେ ଉତ୍ତର ରଖିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ,୩ ଜଣଙ୍କୁ କାରଣ ଦର୍ଶାଅ ନୋଟିସ୍‌