ନିରଞ୍ଜନଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସୁମିତ୍ରା, ଟିକେଟ ଅସନ୍ତୋଷ ନେଇ ଅପରାହ୍ନରେ ବୈଠକ

ଭୁବନେଶ୍ବର ୧/୪: ପିସିସି ସଭାପତିଙ୍କ ସହ ଆଲୋଚନା ପରେ ଅନଶନରୁ ଓହରିଲେ ମହିଳା କଂଗ୍ରେସ ସଭାନେତ୍ରୀ । ସୋମବାର ପିସିସି ସଭାପତିଙ୍କ ସହ ଆଲୋଚନା ପରେ ସଭାନେତ୍ରୀ ସୁମିତ୍ରା ଜେନା କହିଛନ୍ତି ଯେ ଟିକେଟ ବଣ୍ଟନ ନେଇ ଏବେବି ବିଚାରଧୀନ ଅଛି । ଟିକେଟ ଅସନ୍ତୋଷ ନେଇ ଅପରାହ୍ନରେ ରାଜ୍ୟ ପ୍ରଭାରୀ ଟି.ଏସ୍‌ ସିଂହଦେଓଙ୍କ ସହ ବୈଠକ ବସିବ । ତେବେ ଗତକାଲି କଂଗ୍ରେସ ଭବନରେ ସୁମିତ୍ରାଙ୍କୁ ଟଣାଓଟରା ଘଟଣାରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପିସିସି ସଭାପତି ପ୍ରତିଶୃତି ଦେଇଛନ୍ତି ।

ଗତକାଲି କଂଗ୍ରେସ ଭବନରେ ଟିକେଟ ନପାଇବାରୁ ମହିଳା କଂଗ୍ରେସ, କଂଗ୍ରେସ ଭବନରେ ତାଲା ପକାଇବା ସହ ଧାରଣାରେ ବସିଥିଲା । ତେବେ ଏହି ସମୟରେ ଭଦ୍ରକ ଜିଲ୍ଲାର ଆଉ କିଛି ନାରୀନେତ୍ରୀ ସେଠାରେ ପହଞ୍ଚି ସୁମିତ୍ରାଙ୍କୁ ଧମକ ଦେଇଥିଲେ । ଏହି ସମୟରେ ୨ ଗୋଷ୍ଠୀ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା ।

ତେବେ ଅଣ କଂଗ୍ରେସ କର୍ମୀ ତାଙ୍କୁ ଟଣାଓଟରା କରିଥିବା ଅଭିଯୋଗରେ ଧାରଣାରେ ବସିଥିଲେ ସୁମିତ୍ରା । ଏହାର ସମାଧାନ ନହେବା ପର୍ଯ୍ୟନ୍ତ ସେ ଅନଶନରେ ବସିବେ ବୋଲି କହିଥିଲେ । ତେବେ ଆଜି ନିରଞ୍ଜନଙ୍କ ସହ ଆଲୋଚନା ପରେ ସେ ଧାରଣାରୁ ଓହରି ଥିଲେ ।

ତେବେ  ଯେଉଁ ବାହାର ଲୋକ ଆସି ଗଣ୍ଡଗୋଳ କରିଥିଲେ ସେମାନଙ୍କୁ ଗିରଫ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଥିବା ସୂଚନା ଦେଇଛନ୍ତି ସୁମିତ୍ରା । ଏନେଇ ଏକ ତଦନ୍ତ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି ନିରଞ୍ଜନ ପ୍ରତିଶୃତି ଦେଇଛନ୍ତି ।