ମିଳିତ ଜାତିସଂଘରେ ସମର୍ ତାଲିମ ନେବେ ସୋଆ ଛାତ୍ରୀ

ଭୁବନେଶ୍ୱର/ଢେଙ୍କାନାଳ, ୧୪ା୪(ବ୍ୟୁରୋ, ଆପ୍ର): ସୋଆ(ଡିମ୍ଡ ଟୁ ବି ୟୁନିଭରସିଟି)ର ଏଲଏଲଏମ୍ ଛାତ୍ରୀ ଶୁଭଲକ୍ଷ୍ମୀ ପଟ୍ଟନାୟକ ଜାତିସଂଘର ସମର ଷ୍ଟଡି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଶୁଭଲକ୍ଷ୍ମୀଙ୍କ ସହ ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ଆଦ୍ୟାଶା ନନ୍ଦ ଓ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟୁରିଜିମ ଆଣ୍ଡ ଟ୍ରାଭେଲ ମ୍ୟାନେଜମେଣ୍ଟ ଛାତ୍ର ଫାକ୍ସ ସାହୁ ମଧ୍ୟ ଏହି କାର୍ଯ୍ୟକ୍ରମ ପାଇଁ ମନୋନୀତ ହୋଇଛନ୍ତି । ଏ ସମସ୍ତଙ୍କ ଘର ଢେଙ୍କାନାଳରେ । ଆସନ୍ତା ଜୁନ୍ ମାସ ୩ରୁ ୭ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିବ ।
ଗତ ମାର୍ଚ୍ଚ ମାସରେ ଉଫୁନା ସହଯୋଗରେ ସେମାନେ ଅନ୍ଲାଇନ୍ରେ ପରୀକ୍ଷା ଦେବାପରେ ଯୋଗ୍ୟ ବିବେଚିତ ହୋଇଥିଲେ । ଚଳିତ ମାସ ପ୍ରଥମ ସପ୍ତାହରେ ସେଟନ୍ ହଲ୍ ବିଶ୍ୱବିଦ୍ୟାଳୟର ବରିଷ୍ଠ ଡିନ୍ ତଥା କାର୍ଯ୍ୟକ୍ରମ ନିର୍ଦ୍ଦେଶକ କଟ୍ନି ବି ସ୍ମିଥ୍ ଶୁଭେଚ୍ଛା ସହ ଚିଠି ଲେଖି ଏ ସଂପର୍କରେ ଅବଗତ କରିଛନ୍ତି । ଅଶୋକ କୁମାର ନନ୍ଦଙ୍କ ଝିଅ ଆଦ୍ୟାଶା ନନ୍ଦ, ବର୍ତ୍ତମାନ ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଯୁକ୍ତ ୩ ଇଂରାଜୀ ଅନର୍ସ ପଢୁଥିଲାବେଳେ ସେ ଓଡିଶା ଓ ଓଡିଶା ବାହାରର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ମଡେଲ୍ ୟୁଏନ୍ ପ୍ରୋଗ୍ରାମ୍ ଉପସ୍ଥାପନା କରି ସୁନାମ ଅର୍ଜନ କରିଛନ୍ତି । ସେହିପରି ମନୋଜ ପଟ୍ଟନାୟକଙ୍କ କନ୍ୟା ଶୁଭଲକ୍ଷ୍ମୀ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ (ସୋଆ)ରେ ଏଲ୍ଏଲ୍ଏମ୍ ଛାତ୍ରୀ । କିଶୋର ଚନ୍ଦ୍ର ସାହୁଙ୍କ ପୁଅ ଫ୍ୟାକ୍ସ ସାହୁ ବର୍ତ୍ତମାନ କେନ୍ଦ୍ର ସରକାରଙ୍କର ପର୍ଯ୍ୟଟନ ମନ୍ତ୍ରଣାଳୟ ଅଧିନରେ ଥିବା ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟ୍ୟୁରିଜିମ୍ ଆଣ୍ଡା ଟ୍ରାଭେଲ ମ୍ୟାନେଜ୍ମେଣ୍ଟ୍ର ଶେଷବର୍ଷର ଛାତ୍ର । ସେ ଜଣେ ଫୁଟବଲ, ଟେନିସ୍ର ଜାତୀୟସ୍ତରର ଖେଳାଳି ମଧ୍ୟ । ଛାତ୍ରଛାତ୍ରୀମାନେ ଯୋଗଦେବାକୁ ଥିବା ଏହି ତାଲିମ୍ କାର୍ଯ୍ୟକ୍ରମରେ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ବ୍ୟକ୍ତି ବିଶେଷ ମିଳିତ ଜାତିସଂଘ ବିଭିନ୍ନ ବିଭାଗ ବାସ୍ତବରେ କିଭଳି କାର୍ଯ୍ୟ କରେ, ସେ ବିଷୟରେ ତାଲିମ୍ ଦେବେ । ଆନ୍ତର୍ଜାତିକ ସମ୍ପର୍କ, ରାଜନୈତିକ ବିଜ୍ଞାନ ଓ କୂଟନୀତି ତଥା ଦେଶ ଦେଶ ଭିତରେ ସମ୍ପର୍କ ଆଦି ବିଷୟରେ ସେମାନେ ତାଲିମ୍ ପାଇବେ ।