ଧବଳେଶ୍ୱର ସ୍କୁଲ୍‌ର ଶହେ ବର୍ଷର ପରମ୍ପରା: ରବିବାର ସ୍କୁଲ୍‌ ଖୋଲା, ସୋମବାର ବନ୍ଦ

କଟକ/ଚୌଦ୍ୱାର-ଗୁରୁଡ଼ିଝାଟିଆ, ୧୩ା୨(ବ୍ୟୁରୋ/ଆପ୍ର): ୨୦୦୨ ମସିହାରେ ଏକ ସରକାରୀ ଚାକିରି ପାଇଁ ହେଉଥିବା ଲିଖିତ ମନୋନୟନ ପରୀକ୍ଷାରେ ପ୍ରଶ୍ନ ଆସିଥିଲା-‘ଓଡ଼ିଶାର କେଉଁ ସ୍କୁଲ୍‌ ରବିବାର ଖୋଲା ରହେ? ତାହା କେଉଁଠି ଅବସ୍ଥିତ?’ ଅନେକ ପରୀକ୍ଷାର୍ଥୀ ଉତ୍ତର ତ’ ଦେଇଥିଲେ । କିନ୍ତୁ ଅଳ୍ପ ସଂଖ୍ୟକ ପରୀକ୍ଷାର୍ଥୀଙ୍କ ଉତ୍ତର ଠିକ୍‌ ଥିଲା । ଠିକ୍‌ ଉତ୍ତରଟି ଥିଲା -‘କଟକ ଜିଲ୍ଲା ଆଠଗଡ଼ ଅଞ୍ଚଳର ଧବଳେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ’ । ଆଜି କି’ କାଲିର ନୁହେଁ, ଦୀର୍ଘ ୧୦୪ ବର୍ଷ ଧରି ଏହି ସ୍କୁଲ୍‌ଟିରେ ରବିବାରିଆ ଛୁଟି ନିୟମ ଜାରି ରହିଛି ।

ରାଜ୍ୟର ସମସ୍ତ ସ୍କୁଲ୍‌ ରବିବାର ଛୁଟି ରହେ । ଏହା ସରକାରୀ ନିୟମ । ଦୀର୍ଘ ବର୍ଷ ଧରି ଏହି ନୀତିରେ ରାଜ୍ୟର ପ୍ରତ୍ୟେକ ସ୍କୁଲ୍‌ ଚାଲୁ ରହିଆସିଛି । କିନ୍ତୁ ଧବଳେଶ୍ୱର ସ୍କୁଲ୍‌ରେ ରହିଛି ଏକ ବ୍ୟତିକ୍ରମ । ରବିବାର ସ୍କୁଲ୍‌ ଖୋଲା ରହେ ଏବଂ ସୋମବାର ବନ୍ଦ ରହେ । ଏ ନେଇ ନିର୍ଦ୍ଦିଷ୍ଟ କାରଣ ମଧ୍ୟ ରହିଛି । ସ୍କୁଲ୍‌ଟି ମହାପ୍ରଭୁ ବାବା ଧବଳେଶ୍ୱରଙ୍କ ପୀଠ ନିକଟରେ ରହିଥିବାରୁ ଏହି ବ୍ୟବସ୍ଥା ଏଠାରେ ଚାଲୁ ରହିଛି । ବର୍ଷର ପ୍ରତ୍ୟେକ ସୋମବାର ଏହି ପ୍ରସିଦ୍ଧ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳେ । ହଜାର ହଜାର ଲୋକେ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବା ପାଇଁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଏଠାକୁ ଆସନ୍ତି । ମାଘ, ଶ୍ରାବଣ ଓ କାର୍ତ୍ତିକ ମାସର ପ୍ରାୟ ପ୍ରତ୍ୟେକ ଦିନ ଏଠାରେ ଅସମ୍ଭାଳ ଭିଡ଼ ଲାଗି ରହୁଥିବାରୁ ଛାତ୍ରଛାତ୍ରୀଙ୍କ ପାଠ ପଢା, ଯାଆସ ନେଇ ସମ୍ଭାବ୍ୟ ସମସ୍ୟାକୁ ବହୁ ପୂର୍ବରୁ ଅନୁମାନ କରାଯାଇଥିଲା ।

୧୯୧୫ ମସିହାରେ ପ୍ରତିଷ୍ଠା ହୋଇଥିବା ଏହି ସ୍କୁଲ୍‌ ଆରମ୍ଭ ସମୟରେ ପ୍ରାୟ ବର୍ଷେ ରବିବାର ଛୁଟି ରହିଥିଲା । କିନ୍ତୁ ମନ୍ଦିରର ପ୍ରସିଦ୍ଧି ବଢୁଥିବାରୁ ଭବିଷ୍ୟତରେ ସମସ୍ୟା ସୃଷ୍ଟି ହେବାର ଆକଳନ କରି ତତ୍‌କାଳୀନ ରାଜା ବିଶ୍ୱନାଥ ଦେବବର୍ମାଙ୍କୁ ଅବଗତ କରାଇଥିଲେ ଧବଳେଶ୍ୱର ମନ୍ଦିରର ପୂଜକ । ପୂଜକଙ୍କ କଥା ରଖି ଏନେଇ ସେତେବେଳର ଇଂରେଜ ସରକାରଙ୍କୁ ଅବଗତ କରାଇଥିଲେ ରାଜା ଦେବବର୍ମା । ଏହାକୁ ବିଚାରକୁ ନେଇ ରବିବାର ନୁହେଁ ବରଂ ସୋମବାର ସ୍କୁଲ୍‌ ଛୁଟି ରହିବ ବୋଲି ବ୍ରିଟିସ୍‌ କମିସନ ଅନୁମତି ଦେଇଥିଲେ । ସେବେଠାରୁ ଏହି ନିୟମରେ ସ୍କୁଲ୍‌ ପରିଚାଳିତ ହେଉଥିବା ଜଣାପଡିଛି । ସୂଚନାଯୋଗ୍ୟ, ୧୦୪ ବର୍ଷର ଏହି ସ୍କୁଲ୍‌ରେ ଏବେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢା ବ୍ୟବସ୍ଥା ରହିଛି । ଏଠାରେ ପ୍ରାୟ ୧୨୦ରୁ ଅଧିକ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ତେବେ ରବିବାର ଛୁଟି ଯୋଗୁଁ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଉପରେ କୌଣସି ପ୍ରଭାବ ପଡୁନାହିଁ । ପ୍ରଚଳିତ ଧାରା ଓ ଅଭ୍ୟାସରେ ପଡିଯାଇଥିବାରୁ ସବୁ କିଛି ସ୍ୱାଭାବିକ ଚାଲିଛି ।

   ସମ୍ବନ୍ଧିତ ଖବର


ଓସିଏର ନୂଆ ଚୟନ କମିଟିର ଅଧ୍ୟକ୍ଷ ହେଲେ ପ୍ରଭଞ୍ଜନ ମଲ୍ଲିକ

ଶ୍ରୀମନ୍ଦିର ନାମକ ବସ୍‌ରେ ଲାଗିଲା ନିଆଁ, ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ

କଟକ IIFL ଶାଖାରୁ ଲୁଟ୍ ଘଟଣା : ଜଣେ ମହିଳାଙ୍କ ସମେତ ୪ କର୍ମଚାରୀଙ୍କୁ ଅଟକ ରଖି ପଚରାଉଚରା

କଟକ IIFL‌ ଡକାୟତି ଘଟଣାର ପର୍ଦ୍ଦାଫାଶ : ୨୦ କୋଟିର ଲୁଟେରାଙ୍କୁ ବାନ୍ଧିଲା ପୋଲିସ, କମ୍ପାନୀ କର୍ମଚାରୀ ମାଷ୍ଟରମାଇଣ୍ଡ

ଆଜିଠୁ ୨୭ ତାରିଖ ଯାଏଁ ମିଳିବ ମାଟ୍ରିକ୍ ‌ ସପ୍ଲିମେଣ୍ଟାରୀ ସାର୍ଟିଫିକେଟ୍‌

ଫେସ୍‌ବୁକ୍‌ରେ ଅଶ୍ଲୀଳ ଭିଡିଓ ଭାଇରାଲ ! ଥାନାରେ ଅଭିଯୋଗ କଲେ ଓଲିଉଡ୍‌ର ଲୋକପ୍ରିୟ ଅଭିନେତ୍ରୀଙ୍କ ଭଉଣୀ