ଅଷ୍ଟ୍ରେଲିଆ ଗସ୍ତରୁ ରୋହିତ ବାଦ ପଡ଼ିବା ପରେ ପ୍ରଶ୍ନ କଲେ ଗାଭାସ୍କର, କହିଲେ-ଯିଏ ନେଟ୍‌ ପ୍ରାକ୍ଟିସ୍‌ କରୁଛି…

ନୂଆଦିଲ୍ଲୀ, ୨୭/ ୧୦: ସୋମବାର ଦିନ ରାତିରେ ଭାରତୀୟ କ୍ରିକେଟ ବୋର୍ଡ(ବିସିସିଆଇ) ଅଷ୍ଟ୍ରେଲିଆ ଗସ୍ତ ପାଇଁ ଟିମ୍‌ ଇଣ୍ଡିଆର ଖେଳାଳିଙ୍କ ନାମ ଘୋଷଣା କରିଛି। ନଭେମ୍ବର ୧୦ରେ ଆଇପିଏଲ ସରିବା ପରେ ଟିମ୍‌ ଇଣ୍ଡିଆ ଅଷ୍ଟ୍ରେଲିଆ ଗସ୍ତ କରିବ। ଟିମ୍‌ ଇଣ୍ଡିଆ ସେଠାରେ ଅଷ୍ଟ୍ରେଲିଆ ବିପକ୍ଷରେ ୩ଟ ଟି-୨୦, ୩ଟି ଦିନିକିଆ ଓ ୪ଟି ଟେଷ୍ଟ ମ୍ୟାଚ ଖେଳିବ। ସେଥିପାଇଁ ସୋମାର ବିସିସିଆଇ ଘୋଷଣା କରିଛି ଖେଳାଳିଙ୍କ ନାମ। ତିନୋଟି ଫର୍ମାଟର ଅଧିନାୟକ ଭାବେ ପୂର୍ବଭଳି ବିରାଟ କୋହଲିଙ୍କୁ ଦାୟିତ୍ବ ମିଳିଛି। ସବୁଠୁ ବଡ଼ କଥା ହେଲା ଆହତ କାରଣରୁ ଟିମ୍‌ ଇଣ୍ଡିଆର ଷ୍ଟାର ଖେଳାଳି ରୋହିତ ଶର୍ମା ଓ ଈଶାନ୍ତ ଶର୍ମା ଏହି ଅଷ୍ଟ୍ରେଲିଆ ଗସ୍ତରୁ ବାଦ ପଡ଼ିଛନ୍ତି। ବିସିସିଆଇ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ ରୋହିତ ଶର୍ମା ଓ ଈଶାନ୍ତ ଶର୍ମାଙ୍କ ସ୍ବାସ୍ଥ୍ୟ ଉପରେ ବିସିସିଆଇ ଡାକ୍ତରୀ ଦଳ ନଜର ରଖିବେ। ହେଲେ ଟିମ୍‌ ଘୋଷଣା ହେବା ପରେ ଏକ ମଜାଦାର ଘଟଣା ଘଟିଛି।

ବିସିସିଆଇ ଟିମ୍‌ ଘୋଷଣା କରିବାର କିଛି ସମୟ ପରେ ଅର୍ଥାତ୍‌ ସୋମାବାର ରାତି ୧୦ଟା ୩୬ ମିନିଟରେେ ରୋହିତ ଶର୍ମା ନେଟ୍‌ ପ୍ରାକ୍ଟସି କରିବାର ଭିଡିଓ ସେୟାର କରିଛି ମୁମ୍ବାଇ ଇଣ୍ଡିଆନ୍ସ। ଆହତ କାରଣରୁ ଟିମ ଇଣ୍ଡିଆରୁ ବାଦ ପଡ଼ିଥିବା ରୋହିତଙ୍କ ଏହି ଭିଡିଓକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି।

ଭାରତୀୟ କ୍ରିକେଟ ଦଳର ପୂ୍ର୍ବତନ ଖେଳାଳି ସୁନିଲ ଗାଭାସ୍କର ରୋହିତ ଅଷ୍ଟ୍ରେଲିଆ ଗସ୍ତରୁ ବାଦ ପଡ଼ିବା ନେଇ ସଫେଇ ମାଗିଛନ୍ତି। ଗାଭାସ୍କର ଗତକାଲି କିଙ୍ଗସ୍‌ ଇଲେଭେନ୍‌ ପଞ୍ଜାବ ଓ କୋଲକାତା ନାଇଟ ରାଇଡର୍ସ ମ୍ୟାଚ୍‌ ପରେ ଷ୍ଟାର ସ୍ପୋର୍ଟସକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଯଦି ରୋହିତ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ନେଟ୍‌ ପ୍ରାକ୍ଟିସ୍‌ କରୁଛନ୍ତି ତେବେ ମୋତେ ଲାଗୁଛି ଯେ ତାଙ୍କର କୌଣସି ଇଞ୍ଜୁରି ହୋଇଥିବ। ସେ ଆହୁରି କହିଛନ୍ତି ଯେ, ରୋହିତଙ୍କ ଇଞ୍ଜୁରୀକୁ ନେଇ ସ୍ବଚ୍ଛତା ରହିବା ଦରକାର। ତାଙ୍କର ପ୍ରକୃତ ଅସୁବିଧା କ’ଣ ହୋଇଛି ତାହା କ୍ରିକେଟ ପ୍ରେମୀ ଜାଣିବା ଦରକାର।

ଏଥିସହିତ ଗାଭାସ୍କାର ମୟଙ୍କ ଅଗ୍ରଓ୍ବାଲଙ୍କ କଥା କହିଛନ୍ତି। ସେ କହିଛନ୍ତି ଯେ, ମୟଙ୍କ କିଙ୍ଗସ୍‌ ଇଲେଭେନ୍‌ ପଞ୍ଜାବ ପକ୍ଷରୁ ଶେଷ ୨ ମ୍ୟାଚ୍‌ ଖେଳିନାହାନ୍ତି। ତଥାପି ତାଙ୍କ ନାମ ତିନୋଟି ଫର୍ମାଟରେ ରହିଛି। ରୋହିତ ମଧ୍ୟ ୨ଟି ମ୍ୟାଚ୍‌ ଖେଳି ନାହାନ୍ତି ହେଲେ ତାଙ୍କ ନାମ ୩ଟି ଯାକ ଫର୍ମାଟରେ ନାହିଁ। ଏହା କେମିତି ସମ୍ଭବ ବୋଲି ଗାଭାସ୍କର କହିଛନ୍ତି।