ନାଇଟ୍ ରାଇଡର୍ସକୁ ହରାଇ ଶୀର୍ଷରେ ସୁପରକିଙ୍ଗସ

ଚେନ୍ନାଇ, ୯ା୪(ଏଜେନ୍ସି): ଘରୋଇ ଚେନ୍ନାଇ ସୁପରକିଙ୍ଗ୍ସ ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଅନୁଷ୍ଠିତ ଆଇପିଏଲ୍ର ୨୩ତମ ଲିଗ୍ ମ୍ୟାଚ୍ରେ ଘରୋଇ ଦଳ ୭ ୱିକେଟ୍ରେ ସହଜ ବିଜୟ ହାସଲ କରିଛି । ଏହି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ନାଇଟ୍ ରାଇଡର୍ସ ୯ ୱିକେଟ୍ ବିନିମୟରେ ୧୦୮ ରନ୍ ସଂଗ୍ରହ କରିଥିଲା । ଜବାବରେ ସୁପରକିଙ୍ଗ୍ସ ୧୭.୨ ଓଭରରେ ୩ ୱିକେଟ୍ ହରାଇ ବିଜୟ ହାସଲ କରିଥିଲା ।
ପଞ୍ଚମ ବିଜୟ ସହ ସୁପରକିଙ୍ଗ୍ସ ମୋଟ୍ ୧୦ ପଏଣ୍ଟ ହାସଲ କରି ଶୀର୍ଷ ସ୍ଥାନକୁ ଉନ୍ନୀତ ହୋଇଥିଲା । ପୂର୍ବରୁ ଶୀର୍ଷରେ ରହିଥିବା ନାଇଟ ରାଇଡର୍ସ ପଏଣ୍ଟ ତାଲିକାର ଦ୍ୱିତୀୟକୁ ଖସି ଆସିଛି । ଟସ୍ ଜିତି ସୁପରକିଙ୍ଗ୍ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା । ନାଇଟ୍ ରାଇଡର୍ସ ପକ୍ଷରୁ କ୍ରିସ୍ ଲିନ୍ ଓ ସୁନୀଲ ନାରାଏନ୍ ପାଳି ଆରମ୍ଭ କରିଥିଲେ । ପ୍ରଥମ ଓଭରରେ ଲିନ୍(୦)ଙ୍କୁ ଏଲ୍ବିଡବ୍ଲ୍ୟ କରି ଦୀପକ ଚହର ବିପର୍ଯ୍ୟୟ ସୃଷ୍ଟି କରିଥିଲା । ଦ୍ୱିତୀୟ ଓଭରରେ ହରଭଜନ ସିଂହ ଅନ୍ୟ ଓପନର ସୁନିଲ ନାରାଏନ୍(୫)ଙ୍କୁ ପାଭିଲିୟନ ପଠାଇ ଦେଇଥିଲେ । ସେହିପରି ତୃତୀୟ ଓଭରରେ ନିତିଶ ରାଣା(୦) ଓ ପଞ୍ଚମ ଓଭରରେ ରବିନ ଉଥପ୍ପା(୧୧) ଚହରଙ୍କ ଶିକାର ସାଜିଥିଲେ । ୨୪ରନ୍ରେ ୪ଟି ୱିକେଟ୍ ହରାଇ ନାଇଟ୍ ରାଇଡର୍ସ ସଂକଟରେ ପଡ଼ିଯାଇଥିଲା । ଅଧିନାୟକ କାର୍ତ୍ତିକଙ୍କ ସହ ଗିଲ୍ କ୍ରିଜ୍ରେ ଯୋଗ ଦେଇ ଦଳୀୟ ସ୍କୋରକୁ ୪୪ରେ ପହଞ୍ଚାଇଥିଲେ । ନବମ ଓଭରରେ କାର୍ତ୍ତିକ ବ୍ୟକ୍ତିଗତ ୧୯(୩ଚୌକା) ରନ୍ କରି ଆଉଟ୍ ହୋଇଥିଲେ ।
ଆନ୍ଦ୍ରେ ରସେଲ କ୍ରିଜ୍ରେ ଯୋଗ ଦେବା ପରେ ଦଳୀୟ ସ୍କୋର ଦ୍ରୁତ ବେଗରେ ଆଗେଇବା ଆଶା କରାଯାଉଥିଲା । ହେଲେ ଅନ୍ୟ ବ୍ୟାଟ୍ସମ୍ୟାନମାନେ ସୁପରକିଙ୍ଗ୍ସ ବୋଲରଙ୍କ ମୁକାବିଲା କରିପାରି ନଥିଲେ । ରସେଲ ଗୋଟିଏ ପଟେ ସୁପରକିଙ୍ଗ୍ସ ରଣନୀତିକୁ ପରଖୁଥିବା ବେଳେ ଅନ୍ୟ ପଟରେ ୱିକେଟ୍ର ପତନ ଘଟିଥିଲା । କୌଣସି ବ୍ୟାଟ୍ସମ୍ୟାନ୍ କ୍ରିଜ୍ରେ ତିଷ୍ଠି ପାରି ନଥିଲେ । ରସେଲ ଶେଷ ବଲ୍ ପର୍ଯ୍ୟନ୍ତ ଗୋଟିଏ ପଟେ ଜମି ରହି ଦଳୀୟ ସ୍କୋରକୁ ୧୦୮ରେ ପହଞ୍ଚାଇଥିଲେ । ସେ ୪୪ଟି ବଲ୍ରୁ ୫ଟି ଚୌକା ଓ ୩ଟି ଛକା ବଳରେ ୫୦ ରନ୍ ସଂଗ୍ରହ କରିଥିଲେ । ଅନ୍ୟ କେହି ଦୁଇ ଅଙ୍କ ଛୁଇଁ ପାରି ନଥିଲେ । ସୁପରକିଙ୍ଗ୍ସ ପକ୍ଷରୁ ଚହର ୩ଟି ୱିକେଟ୍ ଅକ୍ତିଆର କରିଥିବାବେଳେ ହରଭଜନ ଓ ଇମ୍ରାନ ତାହିର ୨ଟି ଲେଖାଏଁ ୱିକେଟ୍ ନେଇଥିଲେ ।
ଜବାବରେ ସୁପରକିଙ୍ଗ୍ସ ୧୮ ରନ୍ରେ ପ୍ରଥମ ୱିକେଟ୍ ହରାଇଥିଲା । ୧୭(୨ଚୌକା, ୧ଛକା) ରନ୍ କରି ୱାଟସନ୍ ପ୍ରଥମେ ଆଉଟ୍ ହୋଇଥିଲେ । ଅନ୍ୟ ଓପନର ଡୁ ପ୍ଲେସି ଗୋଟିଏ ପଟେ ଧୈର୍ଯ୍ୟର ସହ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । ସେ ସୁରେଶ ରାଇନା(୧୪)ଙ୍କ ସହ ଦ୍ୱିତୀୟ ୱିକେଟ୍ରେ ୧୭, ଅମ୍ବାତି ରାୟୁଡୁଙ୍କ ସହ ତୃତୀୟ ୱିକେଟ୍ରେ ୪୬ ରନ୍ ଯୋଗ କରି ଦଳକୁ ବିଜୟୀ କରାଇଥିଲେ । ନାଇଟ୍ ରାଇଡର୍ସ ପକ୍ଷରୁ ସୁନିଲ ନାରାଏନ ୨ଟି ୱିକେଟ୍ ନେଇଥିଲେ ।