ସୁପରକିଙ୍ଗ୍ସର ନାଟକୀୟ ବିଜୟ

ଜୟପୁର, ୧୧ା୪(ଏଜେନ୍ସି): ମହେନ୍ଦ୍ର ସିଂ ଧୋନି ଓ ଅମ୍ବାତି ରାୟୁଡୁଙ୍କ ଦାୟିତ୍ୱପୂର୍ଣ୍ଣ ଅର୍ଦ୍ଧଶତକ ବଳରେ ଚେନ୍ନାଇ ସୁପରକିଙ୍ଗ୍ସ ୪ ୱିକେଟ୍ରେ ଘରୋଇ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ରୟାଲ୍ସ ୭/୧୫୧ ରନ୍ ସଂଗ୍ରହ କରିଥିଲା । ଜବାବରେ ସୁପରକିଙ୍ଗ୍ସ ୬ ୱିକେଟ୍ ହରାଇ ବିଜୟ ହାସଲ କରିନେଇଥିଲା ।
ପ୍ରତି ଓଭରରେ ମ୍ୟାଚ୍ ମୋଡ଼ ବଦଳାଇଥିଲା । ସୁପରକିଙ୍ଗ୍ସ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ରାୟୁଡୁ ଓ ଧୋନି ୯୫(ପଞ୍ଚମ ୱିକେଟ୍)ରନ୍ର ଭାଗିଦାରୀ ଗଠନ କରି ବିଜୟ ଆଶା ଉଜ୍ଜ୍ୱଳ ରଖିଥିଲେ । ଅନ୍ତିମ ଓଭର(ତୃତୀୟ ବଲ୍)ରେ ଧୋନି ଆଉଟ୍ ହେବା ପରେ ରୟାଲ୍ସର ବିଜୟ ସମ୍ଭାବନା ସୃଷ୍ଟି ହୋଇଥିଲା । ଶେଷ ୩ଟି ବଲ୍ରେ ସୁପରକିଙ୍ଗ୍ସକୁ ବିଜୟ ପାଇଁ ୮ ରନ୍ ଆବଶ୍ୟକ ଥିଲା । ଚତୁର୍ଥ ଓ ପଞ୍ଚମ ବଲ୍ରେ ୪ ରନ୍ ସଂଗୃହୀତ ହୋଇଥିଲା । ଶେଷ ବଲ୍ରେ ୪ ଆବଶ୍ୟକ ହେଉଥିଲା । ଷ୍ଟୋକ୍ସ ୱାଇଡ୍ ପକାଇବା ଫଳରେ ସବୁ ଫଳାଫଳ ପଲଟି ଯାଇଥିଲା । ପରବଲ୍ରେ ସାଣ୍ଟନର ବିଶାଳ ଛକା ମାରି ବିଜୟ ଛଡ଼ାଇ ନେଇଥିଲେ ।
ଏହି ମ୍ୟାଚ୍ରେ ଟସ୍ ଜିତି ସୁପରକିଙ୍ଗସ୍ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା । ଘରୋଇ ଦଳର ଦୁଇ ଓପନର ଅଜିଙ୍କ୍ୟ ରାହାଣେ ଓ ଜୋସ ବଟଲର ଦ୍ରୁତ ୩୧ ରନ୍ ସଂଗ୍ରହ କରିଥିଲେ । ତୃତୀୟ ଓଭରରେ ରାହାଣେ ୧୪ରନ୍ କରି ପ୍ରଥମେ ଆଉଟ୍ ହୋଇଥିଲେ । ଏହାପରେ ଆରମ୍ଭ ହୋଇ ଯାଇଥିଲା ବିପର୍ଯ୍ୟୟ । ବଟଲର ୧୦ଟି ବଲ୍ରୁ ୨୩(୪ଚୌକା, ୧ଛକା) ରନ୍ କରି ଆଉଟ୍ ହୋଇଥିବାବେଳେ ସଞ୍ଜୁ ସାମସନ ୬ ଓ ରାହୁଲ ତ୍ରିପାଠୀ ୧୦ ରନ୍ କରି ପାଭିଲିୟନ ଫେରିଥିଲେ । ୬୯ ରନ୍ରେ ଦଳ ୪ଟି ୱିକେଟ୍ ହରାଇ ସଂକଟରେ ପଡ଼ି ଯାଇଥିଲା । ସୁପରକିଙ୍ଗ୍ସ ଶୃଙ୍ଖଳିତ ବୋଲିଂ କରି ଦ୍ରୁତ ରନ୍ କରିବାକୁ ଘରୋଇ ଦଳର ବ୍ୟାଟ୍ସମ୍ୟାନମାନଙ୍କୁ ସୁଯୋଗ ଦେଇ ନଥିଲେ । ଷ୍ଟିଭେନ ସ୍ମିଥ୍ ୧୫ ରନ୍ କରି ଆଉଟ୍ ହେବା ପରେ ବଡ ସ୍କୋର ହେବା ନେଇ ଆଶଙ୍କା ଦେଖାଦେଇଥିଲା । ମଧ୍ୟଭାଗରେ ବେନ୍ ଷ୍ଟୋକ୍ସ(୨୮) ଓ ଶେଷ ଭାଗରେ ଶ୍ରେୟାସ୍ ଗୋପାଳ ଉପଯୋଗୀ ବ୍ୟାଟିଂ କରିବାରୁ ଦଳୀୟ ସ୍କୋର ୧୫୧ରେ ପହଞ୍ଚିଥିଲା । ଗୋପାଳ ୭ଟି ବଲ୍ରୁ ଅପରାଜିତ ୧୯(୨ଚୌକା, ୧ଛକା) ରନ୍ କରିଥିଲେ ।
ଜବାବରେ ସୁପରକିଙ୍ଗ୍ସ ୨୪ ରନ୍ରେ ୪ଟି ୱିକେଟ୍ ହରାଇଥିଲା । ସେନ ୱାଟସନ୍ ଖାତା ଖୋଲିପାରି ନଥିବାବେଳେ ଫାଫ ଡୁ ପ୍ଲେସି ୭, ସୁରେଶ ରାଇନା ୪ ଓ କେଦାର ଯାଦବ ୧ ରନ୍ କରି ପାଭିଲିୟନ ଫେରିଥିଲେ । ରାୟୁଡୁ ଓ ଧୋନି ଲଢୁଆ ବ୍ୟାଟିଂ କରି ପଞ୍ଚମ ୱିକେଟ୍ରେ ୯୫ ରନ୍ ଯୋଗ କରି ବିଜୟ ଆଶା ଉଜ୍ଜୀବିତ ରଖିଥିଲେ । ଦଳୀୟ ସ୍କୋର ୧୧୯ ବେଳେ ବ୍ୟକ୍ତିଗତ ୫୭(୨ଚୌକା, ୩ଛକା) ରନ୍ କରି ରାୟୁଡୁ ଆଉଟ୍ ହୋଇଥିଲେ । ଧୋନି ଆକ୍ରମଣ ଜାରି ରଖିଥିଲେ । ଶେଷ ଓଭରରେ ବିଜୟ ପାଇଁ ୧୮ ରନ୍ ଆବଶ୍ୟକ ଥିଲା । ପ୍ରଥମ ବଲ୍ରେ ରବିନ୍ଦ୍ର ଜାଡେଜା ଛକା ମାରିଥିଲେ । ପରବର୍ତ୍ତୀ ବଲ୍ ‘ନୋ-ବଲ୍’ ରହିଥିଲା । ଜାଡେଜା ଏକ ରନ୍ ସଂଗ୍ରହ କରିଥିଲେ । ଦ୍ୱିତୀୟ ବଲ୍ରେ ଧୋନି ୨ ରନ୍ ନେଇଥିଲେ । ତୃତୀୟ ବଲ୍ରେ ଧୋନି(୫୮)ଙ୍କୁ ବୋଲ୍ଡ କରି ଷ୍ଟୋକ୍ସ ବାଜି ପଲଟାଇ ଦେଇଥିଲେ । ହେଲେ ଶେଷ ବଲ୍ରେ ୱାଇଡ୍ ପକାଇବା ଫଳରେ ରୟାଲ୍ସର ବିଜୟ ଆଶା ମଉଳି ଯାଇଥିଲା । ସାଣ୍ଟନର ୧୦ ଓ ଜାଡେଜା ୯ ରନ୍ କରି ଅପରାଜିତ ରହିଥିଲେ ।