ରାହୁଲଙ୍କୁ ମହଙ୍ଗା ପଡିଲା ‘ଚୌକିଦାର ଚୋର ହେ’ ମନ୍ତବ୍ୟ, ସୁପ୍ରିମକୋର୍ଟ ଦେଲେ ନୋଟିସ୍

ନୂଆଦିଲ୍ଳୀ,୧୫।୪; ‘ଚୌକିଦାର ଚୋର ହେ’ ମନ୍ତବ୍ୟ ଦେବା ଏବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଭାରି ପଡିଛି। ତାଙ୍କର ଏଭଳି ମନ୍ତବ୍ୟକୁ ନେଇ ଆଜି ନେଇ ସୁପ୍ରିମକୋର୍ଟ ରାହୁଲଙ୍କ ବିରୋଧରେ ନୋଟିସ୍ ଜାରି କରିଛନ୍ତି ।ରାହୁଲ ଗାନ୍ଧୀ ରାଫେଲ ଡିଲ ଶୁଣାଣି ପରେ ଏପରି ଟିପ୍ପଣୀ ଦେଇଥିଲେ । ରାହୁଲଙ୍କ ବିରୋଧରେ କୋର୍ଟର ଅବମାନନା କରିବା ନେଇ ନୋଟିସ୍ ଜାରି କରାଯାଇଛି । ଏହି ମାମଲାରେ ଆସନ୍ତା ୨୩ ତାରିଖରେ ଶୁଣାଣି ହେବ । ତେବେ ତା ପୂର୍ବରୁ ଅର୍ଥାତ ୨୨ ତାରିଖ ସୁଦ୍ଧା ରାହୁଲଙ୍କୁ ଜବାବ ଦେବାକୁ ପଡ଼ିବ।
ରାହୁଲଙ୍କ ବିରୋଧରେ ବିଜେପି ନେତ୍ରୀ ମୀନାକ୍ଷୀ ଲେଖି ସୁପ୍ରିମକୋର୍ଟରେ ଅଭିଯୋଗ କରିଥିଲେ । ମୀନାକ୍ଷୀ ତାଙ୍କ ଅଭିଯୋଗରେ ଉଲ୍ଲେଖ କରିଥିଲେ ଯେ ରାଫେଲ ମାମଲାରେ କୋର୍ଟଙ୍କ ନିଷ୍ପତ୍ତିକୁ ନେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ନିକଟରେ ଯେଉଁଭଳି ମନ୍ତବ୍ୟ ଦେଇଛନ୍ତି ତାହା ଦ୍ବାରା ସୁପ୍ରିମକୋର୍ଟଙ୍କ ଅବମାନନା ହୋଇଛି। ରାହୁଲ କୋର୍ଟରେ ଭୁଲ ଢଙ୍ଗରେ ନିଜର ବୟାନ ଦେଇଛନ୍ତି। ସେ ନିଜର ବ୍ୟକ୍ତିଗତ ଟିପ୍ପଣୀ (ଚୌକିଦାର ଚୋର ହେ’)କୁ ସୁପ୍ରିମକୋର୍ଟରେ ରଖିଛନ୍ତି।
ଶୁଣାଣିବେଳେ ସୁପ୍ରିମକୋର୍ଟର ପ୍ରଧାନବିଚାରପତି ରଞ୍ଜନ ଗୋଗଇ କହିିଥିଲେ, ‘ଚୌକିଦାର ଚୋର ହେ’ ବୋଲି କୋର୍ଟ କେବେ ବି କହିନାହାନ୍ତି । ମିଡିଆରେ ଯାହା କୁହାଯାଇଛି ତାହା ସତ ନୁହେଁ । ରାହୁଲ ଗାନ୍ଧୀ ଏଭଳି କହିବା ସମ୍ପୂର୍ଣ୍ଣ ଭାବରେ ଭୁଲ । ଗତ ସପ୍ତାହରେ ରାଫେଲ ପ୍ରସଙ୍ଗରେ ପୁନଃବିଚାର କରିବାକୁ ସୁପ୍ରିମକୋର୍ଟ ରାଜି ହୋଇଥିଲେ । ଏହା ପରେ ରାହୁଲ ଗାନ୍ଧି ଗଣମାଧ୍ୟମକୁ ଏକ ସାକ୍ଷାତକାରରେ କହିଥିଲେ, କିଛି ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ତାଙ୍କୁ ସୁପ୍ରିମକୋର୍ଟରୁ କ୍ଳିନ ଚିଟ୍ ମିଳିସାରିଛି। କିନ୍ତୁ ଏବେ ସୁପ୍ରିମକୋର୍ଟ ମଧ୍ୟ ମାନିସାରିଛନ୍ତି ‘ଚୌକିଦାର ଚୋର ହେ।’
ଉଲ୍ଲେଖନୀୟ ଯେ ରାଫେଲ ଡିଲ୍ ନେଇ କଂଗ୍ରେସ ସଭାପତି ନିଜର ରାଲିରେ ମୋଦି ସରକାରଙ୍କୁ ବାରମ୍ବାର ଟାର୍ଗେଟ କରୁଛନ୍ତି। ଅନେକ ଥର ରାହୁଲ ତାଙ୍କର ସଭାରେ ‘ ଚୌକିଦାର ଚୌର ହେ’ ବୋଲି କହିସାରିଛନ୍ତି । ତାଙ୍କ ଅଭିଯୋଗ ଅନୁସାରେ, ରାଫେଲ ଡିଲରେ ମୋଦି ସରକାର ବଡ ଧରଣର ଦୁର୍ନୀତି କରିଛନ୍ତି। ଯାହାଫଳରେ ଅନିଲ ଅମ୍ବାନୀଙ୍କୁ ପ୍ରାୟ ୩୦ ହଜାର କୋଟି ଟଙ୍କାର ଫାଇଦା ହୋଇଥିବାର ପୂର୍ବରୁ ବହୁବାର ଅଭିଯୋଗ ଆଣିସାରିଛନ୍ତି ରାହୁଲ।