ଗରିବ ସବର୍ଣ୍ଣଙ୍କ ୧୦ % ସଂରକ୍ଷଣ ଉପରେ ରୋକ ଲଗାଇବାକୁ ମନାକଲେ ସୁପ୍ରିମକୋର୍ଟ, ୨୮ରେ ହେବ ଆଗାମୀ ଶୁଣାଣୀ

ନୂଆଦିଲ୍ଲୀ,୧୧।୩: ସାଧାରଣ ବର୍ଗର ଆର୍ଥିକ ପଛୁଆ ବର୍ଗଙ୍କୁ ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଉପରେ ରୋକ ଲଗାଇବାକୁ ଆଜି ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। ଏ ସମ୍ପର୍କରେ ସୁପ୍ରିମକୋର୍ଟରେ ଏକ ପିଟିସନ୍ ଦାଖଲ କରାଯାଇଥିଲା। ଯାହାର ଶୁଣାଣି ଆଜି ସୁପ୍ରିମକୋର୍ଟ କରିଛନ୍ତି। ଶୁଣାଣି ବେଳେ ସୁପ୍ରିମକୋର୍ଟ କହିଛନ୍ତି ଆଗାମୀ ଶୁଣାଣୀରେ କୋର୍ଟ ନିଷ୍ପତ୍ତି ନେବେ ଏହି ମାମଲାର ଶୁଣାଣୀ ସମ୍ବିଧାନିକ ପୀଠରେ ହେବା ଦରକାର କି ନାହିଁ। ସୁପ୍ରିମକୋର୍ଟରେ ଏହି ମାମଲାର ଆଗାମୀ ଶୁଣାଣୀ ଆସନ୍ତା ୨୮ରେ ହେବ।
ଅନ୍ୟପକ୍ଷେ ବରିଷ୍ଠ ଆଇନଜୀବି ରାଜୀବ ଧଓ୍ବନ କହିଛନ୍ତି, ଏହି ମାମଲାର ଶୁଣାଣି ସମ୍ବିଧାନିକ ଖଣ୍ଡପୀଠଙ୍କ ନିକଟରେ କରାଯିବା ଦରକାର। ଏନେଇ କୋର୍ଟ ସମସ୍ତ ପକ୍ଷଙ୍କୁ ଲିଖିତ ଭାବରେ ଦାବି ରଖିବାକୁ କହିଛନ୍ତି। ଉଲ୍ଳେଖନୀୟ ଯେ ଗତ ଶୁଣାଣି ସମୟରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରି ଜବାବ୍ ମାଗିଥିଲେ ଓ ଆଇନ ଉପରେ ରୋକ ଲଗାଇବାକୁ ମନା କରିଦେଇଥିଲେ। ଆବେଦନରେ ସୁପ୍ରିମକୋର୍ଟରେ ୧୨୪ତମ ସମ୍ବିଧାନ ସଂଶୋଧନକୁ ଚ୍ୟାଲେଞ୍ଜ କରାଯାଇଥିଲା। ଏହି ପିଟିସନ୍ ୟୁଥ ଫର ଇକ୍ବାଲିଟି ଓ ଆଇନଜୀବି କୌଶଳକାନ୍ତ ମିଶ୍ରଙ୍କ ପକ୍ଷରୁ ଦାଖଲ କରାଯାଇଥିଲା। ତାଙ୍କର କହିବା ଅନୁସାରେ ସଂରକ୍ଷଣର ଆଧାର ଆର୍ଥିକ ହୋଇପାରିବ ନାହିଁ। ଏହି ବିଲ୍ ସମ୍ବିଧାନର ସଂରକ୍ଷଣ ଦେଉଥିବା ମୂଳ ସିନ୍ଧାନ୍ତ ବିରୋଧରେ ଅଛି।
ଉଲ୍ଳେଖନୀୟ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ୍ ଚଳିତ ବର୍ଷ ୭ ଜାନୁଆରୀରେ ସରକାରୀ ଚାକିରୀ ଓ ଶିକ୍ଷା ପ୍ରତିଷ୍ଠାନରେ ଆର୍ଥିକ ରୂପରେ ଦୁର୍ବଳ ବର୍ଗର ଲୋକଙ୍କୁ ୧୦ ପ୍ରତିଶତ ସଂରକ୍ଷଣ ଦେବାର ନିଷ୍ପତ୍ତି ନେଇଥିଲେ। ଭିନ୍ନ ଭାବରେ ସଂରକ୍ଷଣର ଏହି ବ୍ୟବସ୍ଥା ଲାଗୁ କରିବାପାଇଁ ସମ୍ବିଧାନରେ ସଂଶୋଧନ କରାଯାଇଥିଲା। ୯ ଜାନୁଆରୀରେ ସଂଶୋଧିତ ବିଲ୍ ରାଜ୍ୟସଭାରେ ଦୀର୍ଘ ବିତର୍କ ପରେ ପାସ୍ ହୋଇଥିଲା ଓ ତା’ପର ଦିନ ଲୋକସଭାରେ ଏହି ବିଲକୁ ମଞ୍ଜୁରୀ ମିଳିଥିଲା।
ସଂସଦର ଦୁଇ ସଦନରେ ଏହା ପାସ ହେବାପରେ ୧୨ ଜାନୁଆରୀରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏଥିରେ ନିଜର ସ୍ବାକ୍ଷର କରିଥିଲେ। ଯାହାଫଳରେ ଏହି ବ୍ୟବସ୍ଥା ଲାଗୁ ହୋଇଥିଲା। ଶାସକ ଭାରତୀୟ ଜନତା ପାର୍ଟିର ଏହି ପଦକ୍ଷେପକୁ ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ସହିତ ପ୍ରାୟ ଅନ୍ୟ ସମସ୍ତ ଦଳ ସମର୍ଥନ କରିଥିଲେ। କିନ୍ତୁ ଲାଲୁ ପ୍ରସାଦ ଯାଦବଙ୍କ ଦଳ ଆରଜେଡି, ଅସଦୁଦ୍ଦିନ ଓଓ୍ବେସୀଙ୍କ ଏଆଇଏମଆଏମ ଓ ତାମିଲନାଡୁର ଏଆଇଏଡିଏମକେ ବିରୋଧ କରିଥିଲା।