ଆଚରଣ ବିଧି ଉଲ୍ଲଂଘନ ମାମଲାରେ ସୁପ୍ରିମ୍କୋର୍ଟଙ୍କ ଟିପ୍ପଣୀ; ନିର୍ବାଚନ କମିଶନ ଏବେ ଚେଇଁଲେ

ୂଆଦିଲ୍ଲୀ,୧୬ ।୪(ଏଜେନ୍ସି): ନିର୍ବାଚନ ପ୍ରଚାର ସମୟରେ ଆପତ୍ତିଜନକ କିମ୍ବା ଉତ୍ତେଜକ ବୟାନବାଜି କରି ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରୁଥିବା ରାଜନେତାଙ୍କ ବିରୋଧରେ ନିର୍ବାଚନ କମିଶନ (ଇସି)ଙ୍କ କାର୍ଯ୍ୟାନୁଷ୍ଠାନକୁ ସୁପ୍ରିମକୋର୍ଟ ଆଜି ଦୃଢ଼ ସମର୍ଥନ କରିଛନ୍ତି । କହିଛନ୍ତି ବର୍ତ୍ତମାନ ଏହି ମାମଲାରେ ଆଉ କୌଣସି ଆଦେଶର ଆବଶ୍ୟକତା ନାହିଁ ।
ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଓ ବିଚାରପତି ସଞ୍ଜୀବ ଖାନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ, କମିଶନ ଏବେ ଚେଇଁ ଉଠିଲେ ଏବଂ ତାଙ୍କ କ୍ଷମତା ବିଷୟରେ ଅବଗତ ହୋଇ ରାଜନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ । କମିଶନଙ୍କୁ ବର୍ତ୍ତମାନ ଶକ୍ତି ମିଳିଗଲା । ଗତକାଲି ମାମଲାର ଶୁଣାଣି ବେଳେ ପ୍ରଚାର ସମୟରେ ଉତ୍ତେଜକ ଭାଷଣ ଦେଇଥିବା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ବହୁଜନ ସମାଜ ପାର୍ଟି ମୁଖ୍ୟ ମାୟାବତୀଙ୍କ ବିରୋଧରେ କମିଶନ ତାଙ୍କ କ୍ଷମତାକୁ ଠିକ୍ ଭାବେ ବ୍ୟବହାର କରୁନଥିବାରୁ ସର୍ବୋଚ୍ଚ ଅଦାଲତ ଅସନ୍ତୋଷ ପ୍ରକାଶ କରିଥିଲେ । କମିଶନ ଦନ୍ତହୀନ ଓ କ୍ଷମତାହୀନ ହୋଇପଡିଥିବା ଦର୍ଶାଇ ଏହାର କ୍ଷମତା ପରିସର କ’ଣ ସେହି ବିଷୟରେ ସମୀକ୍ଷା କରିବା ଲାଗି କହିଥିଲେ । ତେବେ ସର୍ବୋଚ୍ଚ ଅଦାଲତଙ୍କ ଏଭଳି ମତାମତ ପରେ କମିଶନ ଉଭୟ ଯୋଗୀ ଓ ମାୟାବତୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ଯୋଗୀଙ୍କୁ ୭୨ ଘଣ୍ଟା ଓ ମାୟାବତୀଙ୍କୁ ୪୮ ଘଣ୍ଟା ପ୍ରଚାର ବ୍ୟାନ ଲଗାଇଥିଲେ । ଏଥିସହିତ କମିଶନ ମଧ୍ୟ ଉଭୟଙ୍କୁ କଡା ତାଗିଦ କରିଥିଲେ । ସେହିଭଳି ବିବାଦୀୟ ବୟାନ ପାଇଁ ସମାଜବାଦୀ ପାର୍ଟି ନେତା ଆଜମ ଖାନ୍ଙ୍କୁ ୭୨ ଘଣ୍ଟା ଓ କେନ୍ଦ୍ରମନ୍ତ୍ରୀ ମେନକା ଗାନ୍ଧୀଙ୍କୁ ୪୮ ଘଣ୍ଟା ପ୍ରଚାର ବ୍ୟାନ ମଧ୍ୟ ଲଗାଯାଇଥିଲା ।
କୋର୍ଟରେ ଶୁଣାଣି ସମୟରେ କମିଶନଙ୍କ ଓକିଲ ସି.ଏ. ସୁନ୍ଦରମ ଦର୍ଶାଇଥିଲେ ଯେ ଆଚରଣ ବିଧି ଉଲ୍ଲଂଘନ କରୁଥିବା ନେତାଙ୍କ ବିରୋଧରେ ଇସି କେବଳ ନୋଟିସ ଜାରି କରିବେ ଓ ତାହାର ଜବାବ ମାଗିପାରିବେ । ଏଥିସହ କମିଶନ କେବଳ ପରାମର୍ଶ ଜାରି କରିପାରିବେ ଓ ଅତିବେଶୀରେ ନେତାଙ୍କ ବିରୋଧରେ ଏଫଆଇଆର ରୁଜୁ କରିବାକୁ ପୁଲିସକୁ ନିର୍ଦ୍ଦେଶ ଦେଇପାରିବେ । କିନ୍ତୁ କୌଣସି ରାଜନୈତିକ ଦଳର ସ୍ୱୀକୃତି ରଦ୍ଦ କିମ୍ବା କୌଣସି ପ୍ରାର୍ଥୀଙ୍କୁ ଅଯୋଗ୍ୟ ଘୋଷଣା କରିପାରିବେ ନାହିଁ । ଏହା ଉପରେ କଡା ପ୍ରତିକ୍ରିୟା ପ୍ରକାଶ କରିଥିଲେ ସୁପ୍ରିମକୋର୍ଟ । କହିଥିଲେ ଆପଣଙ୍କ କହିବାନୁଯାୟୀ ଉତ୍ତେଜକ ଭାଷଣ ମାମଲାରେ କମିଶନଙ୍କ କୌଣସି କ୍ଷମତା ନାହିଁ ଓ କମିଶନ ଦନ୍ତହୀନ ଅଟନ୍ତି । ଏଥିସହିତ କୋର୍ଟ କମିଶନଙ୍କ ଓକିଲଙ୍କୁ ଆଜିର ଶୁଣାଣି ବେଳେ ଉପସ୍ଥିତ ରହିବାକୁ ମଧ୍ୟ ନୋଟିସ ଜାରି କରିବା ସହିତ କମିଶନଙ୍କ କ୍ଷମତା କ’ଣ ତାହା ଉପରେ ସମୀକ୍ଷା କରିବାକୁ କହିଥିଲେ । ହରପ୍ରିତ୍ ମନସୁଖାନୀ ନାମକ ସାର୍ଜାହରେ ରହୁଥିବା ଜଣେ ପ୍ରବାସୀ ଭାରତୀୟ (ଏନ୍ଆରଆଇ) ଯୋଗ ଶିକ୍ଷକଙ୍କ ପକ୍ଷରୁ ଆଗତ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ଏହି ରାୟ ଦେଇଛନ୍ତି । ନିର୍ବାଚନ ସମୟରେ ଜାତି ଓ ଧର୍ମ ନାମରେ ଯେଉଁ ନେତାମାନେ ଗଣମାଧ୍ୟମରେ ବିବାଦୀୟ ବୟାନବାଜି ଦେଉଛନ୍ତି ସେହି ରାଜନୈତିକ ଦଳ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି କମିଶନଙ୍କୁ ନିର୍ଦ୍ଦେଶ ଦେବାକୁ ସେ ଅନୁରୋଧ କରିଥିଲେ ।