ମହିଳାଙ୍କ ପତ୍ତା ମିଳୁନି, ଚୁପ ବସିଛି ପୁଲିସ

ଭୁବନେଶ୍ୱର,୨୧ା୨(ବ୍ୟୁରୋ): ସୁରବାବାଙ୍କ ଯୌନ କେଳେଙ୍କାରୀ ମାମଲାରେ ଅଭିଯୋଗକାରିଣୀ ମହିଳାଙ୍କୁ ଅପହରଣ ଘଟଣାକୁ ଇତିମଧ୍ୟରେ ଦୁଇ ଦିନ ବିତିଲାଣି । ତଥାପି ତାଙ୍କ ପତ୍ତା ମିଳୁନି । ପୁଲିସ ମଧ୍ୟ ଘଟଣାକୁ ଗୁରୁତର ସହ ନେଉନି । ୨ ଦିନ ତଳେ ସଂପୃକ୍ତ ମହିଳାଙ୍କୁ ଡାକି ବୟାନ ରେକର୍ଡ କରାଯିବ ବୋଲି କହିଥିବା ପୁଲିସ ଏବେ ତାଙ୍କୁ ଖୋଜିବାକୁ ବି ଚେଷ୍ଟା କରୁନି ।
ମହିଳାଙ୍କ ସମ୍ପର୍କୀୟ ଭାଇ ନାରାୟଣ ଗୌଡ଼ଙ୍କ କହିବା ମୁତାବକ, ତାଙ୍କ ଭଉଣୀ ରସୁଲଗଡର ଏକ ହଷ୍ଟେଲରେ ରହୁଥିଲେ । ମଙ୍ଗଳବାର ରାତିରୁ ସେ ନିଖୋଜ ଅଛନ୍ତି । ଏନେଇ ନାରାୟଣ ତାଙ୍କ ମାମୁ ଓ ବୋଉଙ୍କୁ ଜଣାଇଥିଲେ । ମହିଳା ଜଣକ କେଉଁଠି ଥିବେ? କେମିତି ଅବସ୍ଥାରେ ଥିବେ? ଏନେଇ ତାଙ୍କ ପରିବାର ଲୋକ ଚିନ୍ତିତ । ହେଲେ ସୁରବାବାଙ୍କ ଭୟରେ ସେମାନେ ପାଟି ଖୋଲୁନାହାନ୍ତି । ଏମିତିକି ପୁଲିସକୁ ମଧ୍ୟ ଜଣାଇବାକୁ ସାହାସ କରୁନାହାନ୍ତି । ମଞ୍ଚେଶ୍ୱର ଥାନାରେ ମହିଳାଙ୍କ ନିଖୋଜ ନେଇ ଅଭିଯୋଗ ହୋଇନାହିଁ । ସେପଟେ ମହିଳାଙ୍କୁ ଅପହରଣ କରାଯାଇ ଘଟଣାକୁ ଚପାଇବା ପାଇଁ ତାଙ୍କ ଉପରେ ଚାପ ପ୍ରୟୋଗ କରାଯାଉଥିବା ତାଙ୍କ ଭାଇ ନାରାୟଣ କହିଛନ୍ତି ।
ମହିଳାଙ୍କୁ ଡକାଯାଇ ଥାନାରେ ଘଟଣା ସମ୍ପର୍କରେ ବୟାନ ରେକର୍ଡ କରାଯିବ ବୋଲି ଖୋଦ୍ ପୁଲିସ କମିଶନର ସତ୍ୟଜିତ୍ ମହାନ୍ତି କହିଥିଲେ । ଏବେ ଦିନ ପରେ ଦିନ ଗଡ଼ି ଚାଲିଥିଲେ ବି ପୁଲିସ ତାଙ୍କୁ ଖୋଜିବାକୁ ତିଳେ ହେଲେ ପ୍ରୟାସ କରୁନି । ଏପରିକି ବାବାଙ୍କୁ ଧରାଇଥିବା ନୋଟିସ୍ ସରିବାର ଦିନ ଗଣୁଛି । ହେଲେ ଅନ୍ୟ ୩ ଅଭିଯୁକ୍ତଙ୍କୁ କାହିଁକି ଡାକି ପଚାରୁନି ତାହା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ଘଟଣାରେ ବାବାଙ୍କୁ ଘଣ୍ଟ ଘୋଡ଼ାଇବାକୁ ଉଦ୍ୟମ ଚଳାଇଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।