ଆଜି ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ଜୟନ୍ତୀ

ସମ୍ବଲପୁର, ୨୩/୦୧ : ଆଜି ଓଡ଼ିଶାର ଅନ୍ୟତମ ବୀର ସ୍ୱାଧୀନତା ସଂଗ୍ରାମୀ ସୁରେନ୍ଦ୍ର ସାଏଙ୍କ ଜନ୍ମ ଜୟନ୍ତୀ । ଏହି ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରେ ତାଙ୍କର ଜନ୍ମ ଜୟନ୍ତୀ ପାଳନ କରାଯାଉଛି। ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ବିଭିନ୍ନ ସ୍ଥାନରେ ଥିବା ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବା ସହ ଜୟନ୍ତ୍ରୀ ପାଳନ କରାଯାଇଛି।
ଆଜିର ଦିନରେ ୧୮୦୯ ମସିହାରେ ଓଡ଼ିଶାରେ ସମ୍ବଲପୁର ଜିଲ୍ଲାର ଖିଣ୍ଡା ଗ୍ରାମର ଜନ୍ମଗ୍ରହଣ କରିଥିଲେ ବୀରପୁତ୍ର ବୀର ସୁରେନ୍ଦ୍ର ସାଏ। ସିପାହୀ ବିଦ୍ରୋହର ୩୦ ବର୍ଷ ପୂର୍ବରୁ ରାଜଗାଦିର ଉତ୍ତରାଧିକାରୀତ୍ୱ ନେଇ ବ୍ରିଟିଶ ସରକାର ବିରୋଧରେ ସେ ଆନ୍ଦୋଳନ ଆରମ୍ଭ କରିଥିଲେ । ଇଂରେଜମାନଙ୍କ ବିରୁଦ୍ଧରେ ନିରବଚ୍ଛିନ୍ନ ଲଢ଼େଇ କରି ଜୀବନ କାଳର ୩୬ ବର୍ଷ ସେ କାରାଗାରରେ କାଟିଥିଲେ । ତାଙ୍କର ଅଦ୍ଭୁତ ସଂଗଠନ ଶକ୍ତି, ଅସୀମ ପରାକ୍ରମ, ଅସାଧାରଣ ରଣକୌଶଳ ବ୍ରିଟିଶ ଶାସକ ଓ ସୈନ୍ୟବାହିନୀକୁ ଚକିତ କରିଥିଲା । ଶେଷ ପର୍ଯ୍ୟନ୍ତ ସେ ବନ୍ଦୀ ଜୀବନ ବିତାଇଥିଲେ ।
୧୮୮୪ ଫେବ୍ରୁଆରୀ ୨୮ରେ ମଧ୍ୟପ୍ରଦେଶର ଅସୀରଗଡ଼ ଦୁର୍ଗରେ ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କ ସମ୍ମାନରେ ବୁର୍ଲା ସ୍ଥିତ ୟୁନିଭର୍ସିଟି କଲେଜ ଅଫ୍ ଇଂଜିନିଅରିଂର ନାମ ବଦଳାଇ ୨୦୦୯ରେ ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି ରଖାଯାଇଥିଲା । ବୀର ସୁରେନ୍ଦ୍ର ସାଏ ଭେଷଜ ମହାବିଦ୍ୟାଳୟ ମଧ୍ୟ ତାଙ୍କ ସ୍ମୃତି ବହନ କରେ । ପ୍ରଥମ ପର୍ଯ୍ୟାୟରେ ଇଂରେଜମାନଙ୍କ ବିରୁଦ୍ଧରେ ତାଙ୍କ ସଂଗ୍ରାମ ୧୮୨୭-୧୮୪୦ ମସିହା ପର୍ଯ୍ୟନ୍ତ ଥିଲା । ତେବେ ଦ୍ୱିତୀୟ ପର୍ଯ୍ୟାୟରେ ତାଙ୍କ ବିଦ୍ରୋହ ଅଧିକ ସୁସଙ୍ଗଠିତ ଥିଲା । ୧୮୦୯ ମସିହା, ଜାନୁଆରୀ ୨୩ ତାରିଖରେ ସମ୍ବଲପୁର ସ୍ଥିତ ଖିଣ୍ଡା ଗ୍ରାମରେ ସେ ଜନ୍ମଗ୍ରହଣ କରିଥିଲେ ।