ପାକିସ୍ତାନକୁ ଆତଙ୍କବାଦୀଙ୍କ ଲାଶ୍ ଉଠାଇବାକୁ ଆମ ଯବାନ ଯାଇନଥଲେ: ସୁଷମା

ମୁମ୍ବାଇ,୧୦।୩: ଭାରତୀୟ ବାୟୁସେନାର ଏୟାର ଷ୍ଟ୍ରାଇକ୍ ଉପରେ ପ୍ରଶ୍ନ ଉଠାଉଥିବା ବିରୋଧୀ ଦଳଙ୍କୁ ପୁଣିଥରେ ଟାର୍ଗେଟ କରିଛନ୍ତି ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜ। ମୁମ୍ବାଇର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସୁଷମା କହିଛନ୍ତି ଯଦି କେହି ଆପଣଙ୍କୁ କୁହନ୍ତି ପାକିସ୍ତାନରେ ହୋଇଥିବା ଏୟାର ଷ୍ଟ୍ରାଇକର ପ୍ରମାଣ ଦେଖାଅ ତେବେ ତାଙ୍କୁ କହିବେ ଆମର ଯବାନ ପାକିସ୍ତାନରେ ଆତଙ୍କବାଦୀଙ୍କୁ ମାରିବାକୁ ଯାଇଥିଲେ, ତାଙ୍କର ଲାଶ୍ ଉଠାଇବାକୁ ଯାଇନଥିଲେ। ଯାହାକୁ ସେମାନେ ଏଇଠି ଦେଖେଇ ପାରିବେ।
ଏହାପରେ ସୁଷମା କହିଥିଲେ ବିଜେପିର କର୍ମୀ ଭୋଟରଙ୍କୁ ପଚାରନ୍ତୁ ଯେଉଁମାନେ ୨୬ ଫେବୃଆରୀରେ ଏୟାରଷ୍ଟ୍ରାଇକ୍ ଓ ତା’ ପର ଦିନ ପାକିସ୍ତାନର ଯୁଦ୍ଧ ବିମାନ ସହିତ ଆକାଶ ମାର୍ଗରେ ହୋଇଥିବା ଲଢେଇକୁ ନେଇ ସେନାର ବୀରତ୍ବ ଉପରେ ପ୍ରଶ୍ନ ଉଠାଇଛନ୍ତି ସେମାନଙ୍କୁ କ’ଣ ଭୋଟ ଦେବେ? ଯେଉଁମାନେ ବିଚ୍ଛିନ୍ନତାବାଦୀଙ୍କ ସହିତ ଅଛନ୍ତି ଆପଣମାନେ କ’ଣ ସେହି ଦଳକୁ ସମର୍ଥନ କରିବେ? ଆତଙ୍କବାଦୀଙ୍କ ଶିବିର ଉପରେ ବମ୍ ପକାଇବା ପରେ ତାଙ୍କର ମୃତଦେହ ଗଣିବା ଦରକାର ଥିଲା ନା ସୁରକ୍ଷିତ ଭାବରେ ଫେରିବା ଦରକାର ଥିଲା? ବିରୋଧୀ ଦଳ ମୋଦି ସରକାରଙ୍କୁ ଜୈଶ-ଇ-ମହମ୍ମଦର ଆତଙ୍କୀ ଶିବିରରେ ହୋଇଥିବା ଏୟାରଷ୍ଟ୍ରାଇକ୍ ପରେ ମୃତକଙ୍କ ସଂଖ୍ୟାର ପ୍ରମାଣ ମାଗୁଛି।
ଏହି ସମୟରେ ସୁଷମା ଦଳୀୟ କର୍ମୀଙ୍କୁ କହିଛନ୍ତି ଭୋଟରଙ୍କୁ ଲିଫଲେଟ୍ ମାଧ୍ୟମରେ ପ୍ରଶ୍ନ ପଚାରିବା ଦରକାର। ଦଳୀୟ କର୍ମୀଙ୍କ ପାଖରେ ୨ଟି ଲିଫଲେଟ୍ ରହିବ। ଯେଉଁଥିରେ ଗୋଟିଏରେ ପ୍ରଶ୍ନର ଯବାବରେ ତାର୍କିକ ବୟାନ ରହିବ। ବିଜେପି କର୍ମୀଙ୍କୁ ନିର୍ବାଚନ ପ୍ରଚାର ବେଳେ ଏହାକୁ ବ୍ୟବହାର କରିବା ଦରକାର। ଦ୍ବିତୀୟ ଲିଫଲେଟ୍ ମହିଳାଙ୍କ ପାଇଁ ସରକାରଙ୍କ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ରହିବ।