ବାଂଲାଦେଶ ବିମାନ ଅପହରଣକାରୀ ପାଖରେ ଥିଲା ନକଲି ପିସ୍ତଲ

ଢାକା,୨୫।୨: ବାଂଲାଦେଶରେ ଗତ ରବିବାର ଢାକାରୁ ଦୁବାଇ ଅଭିମୁଖେ ଯାଉଥିବା ବିମାନକୁ ଅପହରଣ କରିବାକୁ ଉଦ୍ୟମ କରାଯାଇଥିଲା। ତେବେ ଏଥିରେ ଅପହରଣକାରୀ ବିଫଳ ହୋଇଥିଲା ଏବଂ ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହୋଇଥିଲା। ଏହି ମାମଲାରେ ସୋମବାର ବାଂଲାଦେଶ ପୋଲିସ ସୂଚନା ଦେଇ କହିଛି ଅପହରଣକାରୀ ପାଖରେ ଖେଳନା ପିସ୍ତଲ ଥିଲା। ତା ପାଖରୁ କୌଣସି ବିସ୍ଫୋରକ ଉଦ୍ଧାର କରାଯାଇ ନାହିଁ। ଏବେ ଏହି ମାମଲାର ତଦନ୍ତ ଜାରି ରହିଛି। କୁହାଯାଉଛି ଢାକାରୁ ବିମାନ ଉଡାଣ ଆରମ୍ଭ କରିବାର ଅଧଘଣ୍ଟା ପରେ ଜଣେ ବନ୍ଧୁକଧାରୀ କକପିଟ୍ ଭିତରକୁ ପଶିଆସିଥିଲା। ଏହାପରେ ଚିଟାଗଙ୍ଗର ଶାହ ଅମାନତ ଅନ୍ତଃର୍ଜାତୀୟ ବିମାନବନ୍ଦରରେ ଜରୁରୀକାଳୀନ ପରିସ୍ଥିତିରେ ଅବତରଣ କରିଥିଲା। ବିମାନକୁ ବାଂଲାଦେଶୀ ସୁରକ୍ଷାକର୍ମୀ ଚାରିପଟୁ ଘେରାଉ କରିଦେଇଥିଲେ। ୧୩୪ ଜଣ ଯାତ୍ରୀଙ୍କ ସହ ୧୪ ଜଣ ବିମାନ କର୍ମଚାରୀଙ୍କୁ ସୁରକ୍ଷିତ ଭାବରେ ବାହାର କରାଯାଇଥିଲା।
ଏଠାରେ ଉଲ୍ଳେଖନୀୟ ଯେ, ସୁରକ୍ଷାକର୍ମୀଙ୍କ ଗୁଳିକାଣ୍ଡରେ ୨୫ ବର୍ଷୀୟ ଅପହରଣକାରୀ ମହାଦୀ ନିହତ ହୋଇଥିଲା। ପୋଲିସ ଅପହରଣକାରୀର ଯେଉଁ କାହାଣୀ କହିଛନ୍ତି ତାହା ଖୁବ୍ ଆଶ୍ଚର୍ଯ୍ୟକଲା ଭଳି। ବିମାନବନ୍ଦର ମ୍ୟାନେଜରଙ୍କ ଓ୍ବିଙ୍ଗ କମାଣ୍ଡର ସରଭର-ଏ-ଜମାଁ କହିଛନ୍ତି ବ୍ୟକ୍ତିଜଣକ ମାନସିକ ଭାବରେ ଅସ୍ଥିର ଥିଲା। ତା ସ୍ତ୍ରୀ ସହ ଝଗଡା ହୋଇଥିବାରୁ ବିମାନ ଅପହରଣ କରିଥିଲା ଓ ସେ ପ୍ରଧାନମନ୍ତ୍ରୀ ଶେଖ୍ ହାସିନାଙ୍କ ସହ କଥା ହେବାକୁ ଚାହିଁଥିଲା।