ସୋସିଆଲ୍‌ ମିଡିଆରେ ଟ୍ରୋଲ୍‌ ହେଉଥିବା ସ୍ୱରାଙ୍କର ରହିଛି ଏହି ଗୁଣ

ନାୟିକା ହେବା ଆଶାରେ ଆସିଥିଲେ ବଲିଉଡ । କିନ୍ତୁ ହୋଇଗଲେ ସୋସିଆଲ୍‌ ମିଡିଆର ତୀବ୍ର ସମାଲୋଚିତ ତାରକା । ପାଶ୍ୱର୍ନାୟିକାରେ ସନ୍ତୁଷ୍ଟ ରହିବାକୁ ପଡ଼ିଲା । ସ୍ୱରା ଭାସ୍କରଙ୍କ ନାମରେ ଅନେକ ଥର ବୟକଟ୍‌ ସ୍ୱର ଉଠିଛି । ନେଟିଜେନ୍‌ମାନେ ତାଙ୍କୁ ବିଦ୍ରୁପ କରିଛନ୍ତି । ଦିଲ୍ଲୀର ମିରାଣ୍ଡା ହାଉସ୍‌ରୁ ଇଂରାଜୀରେ ସ୍ନାତକ କରିଥବା ସ୍ୱରା ଜେଏନ୍‌ୟୁରୁ ସମାଜବିଜ୍ଞାନରେ ସ୍ନାତକୋତ୍ତର କରିଛନ୍ତି । ସ୍ୱରାଙ୍କ ବାପା ଥିଲେ ସେନାର ଉଚ୍ଚପଦସ୍ଥ ଅଧିକାରୀ, ମା ଥିଲେ ଜେଏନୟୁର ଫିଲ୍ମ ଷ୍ଟଡିଜ୍‌ର ପ୍ରଫେସର୍‌ । ସେମାନେ ଚାହିଁଥିଲେ ସ୍ୱରା ଅଧିକ ପାଠ ପଢ଼ିବା ପାଇଁ ବିଦେଶ ଯାଆନ୍ତୁ । କିନ୍ତୁ ସ୍ୱରା ବାଛିଥିଲେ ଓଲଟା ପଥ । ଅଭିନୟ ନିଶାରେ ଦିଲ୍ଲୀ ଛାଡ଼ି ମୁମ୍ବାଇ ଚାଲି ଆସିଥିଲେ । ମୁମ୍ବାଇରେ ପହଞ୍ଚିଲା ମାତ୍ରେ ଆରମ୍ଭ ହୋଇଯାଇଥିଲା ତାଙ୍କ ଷ୍ଟ୍ରଗଲ୍‌ । ମୁମ୍ବାଇ ଭଳି ବ୍ୟୟବହୁଳ ସହରରେ ଚଳିବା ପାଇଁ ଏକ ପତ୍ରିକାରେ କପିରାଇଟର୍‌ ଭାବେ କାମ କଲେ ।

ଏହାରି ମଧ୍ୟରେ ଅଭିନୟ ପାଇଁ ଅଡିସନ୍‌ ଦେଇଥିଲେ । ଅଳ୍ପଦିନ ମଧ୍ୟରେ ସେ ବୁଝିପାରିଥିଲେ ମଞ୍ଚ ଏବଂ ରୁପେଲି ପରଦା ମଧ୍ୟରେ ଫରକ ଆକାଶ ପାତାଳ । ଫିକା ଜିନ୍ସ ଏବଂ କୁର୍ତ୍ତା ପିନ୍ଧି ସେ ଅଡିସନ୍‌ ଦେବାକୁ ଯାଉଥିଲେ । ପ୍ରତ୍ୟାଖ୍ୟାତ ହେଉ ହେଉ ସେ ବୁଝିପାରିଥିଲେ ରୁପେଲି ପରଦାର ନାୟିକା ହେବା ପାଇଁ ପୋଷାକ ଏବଂ ମେକଅପ୍‌ ଉଭୟ ଗୁରୁତ୍ୱପୂର୍ଣ୍ଣ । ନିଜକୁ ଗ୍ରୁମିଂ କରିଥିଲେ । ତଥାପି ଅବସ୍ଥାରେ ବିଶେଷ ପରିବର୍ତ୍ତନ ଘଟିନଥିଲା । ସ୍ୱରାଙ୍କୁ ଶୁଣିବାକୁ ହୋଇଥିଲା ଯେ ସେ ନାୟିକା ହେବା ପାଇଁ ଉପଯୁକ୍ତ ନୁହନ୍ତି ।

ପୁଣି ଏକଥା ବି ଶୁଣିବାକୁ ହୋଇଥିଲା ଅଭିନେତ୍ରୀ ହେବା ପାଇଁ ସ୍ୱରାଙ୍କ ଯୋଗ୍ୟତା ଆବଶ୍ୟକତା ଠାରୁ ଢେର ଅଧିକ । ନିର୍ଦ୍ଦେଶକଙ୍କ ଦ୍ୱାରା ମାନସିକ ନିର୍ଯାତନାର ଶିକାର ମଧ୍ୟ ହୋଇଥିଲେ । ଦୀର୍ଘ ଚେଷ୍ଟା ପରେ ୨୦୦୯ରେ ତାଙ୍କ ସୁଯୋଗ ମିଳିଥିଲା । ତେବେ ୨୦୧୧ ମସିହାରେ ‘ତନୁ ୱେଡସ୍‌ ମନୁ’ରେ ତାଙ୍କ ପରିଚୟ ଟିକେ ବ୍ୟାପକ ହୋଇଥିଲା । ‘ପ୍ରେମ ରତନ ଧନ ପାୟୋ’ରେ ସ୍ୱରାଙ୍କୁ ସଲମାନଙ୍କ ଭଉଣୀ ଚରିତ୍ରରେ ଅଭିନୟ କରିବାକୁ ପଡ଼ିଥିଲା । ଅନ୍ୟ ଅଭିନେତ୍ରୀମାନେ ଏହି ଚରିତ୍ର ପାଇଁ ମନା କରିଥିବା ବେଳେ ସ୍ୱରା ହଁ ଭରିଥିଲେ । ସେଦିନ ଠାରୁ ସଲ୍ଲୁଙ୍କ ସହିତ ସ୍ୱରାଙ୍କ ସଂପର୍କ ଭଲ । ଏହା ସତ୍ତେ୍ୱ ବି ବଲିଉଡର ଆଗଧାଡ଼ିର ନାୟିକା ହୋଇପାରିଲେ ନାହିଁ ସ୍ୱରା । ଏହା ମଧ୍ୟରେ ସେ ଦୁଇଟି ସମାନ୍ତରାଳ ସିନେମାରେ ମଧ୍ୟ ଅଭିନୟ କରିସାରିଥିଲେ । ଫିଲ୍ମ ‘ବିରେ ଦି ୱେଡ଼ିଂ’ରେ ଏକ ବିବାଦୀୟ ଦୃଶ୍ୟରେ
ଅଭିନୟ କରିଥିବାରୁ ତାଙ୍କୁ ଟ୍ରୋଲ୍‌ର ସମ୍ମୁଖୀନ ହେବାକୁ ପଡ଼ିଥିଲା । ଫିଲ୍ମ ‘ସୁଲତାନ’ରେ ସଲମାନଙ୍କ ନାୟିକା ହେବା ପାଇଁ ଯଶରାଜ ମୁଭିଜ୍‌କୁ ଯାଇଥିଲେ । କିନ୍ତୁ ଆଦିତ୍ୟ ଚୋପ୍ରା ମୁହଁ ଉପରେ ମନା କରିଦେଇଥିଲେ ।

ତାଙ୍କ ଜାଗାରେ ଅନୁଷ୍କା ଶର୍ମାଙ୍କୁ ସୁଯୋଗ ମିଳିଥିଲା । ଏହାର ବଦଲା ନେଇଥିଲେ ସ୍ୱରା । ଫିଲ୍ମ ‘ଜିରୋ’ରେ ଯେତେବେଳେ ଶାହରୁଖଙ୍କ ମା’ ଚରିତ୍ରରେ ଅଭିନୟ ପାଇଁ ଯଶରାଜ ମୁଭିଜ୍‌ରୁ ଅଫର୍‌ ଆସିଲା ମୁହଁ ଉପରେ ମନା କରିଦେଇଥିଲେ ସ୍ୱରା । ଏବେ ସେ ଜଣେ ସକ୍ରିୟ ଟ୍ୱିଟରାଇଟ୍‌ । ଯାହା ପସନ୍ଦ ନୁହେଁ ମୁହଁ ଉପରେ କହିଦେବାର ଦମ୍‌ ରଖନ୍ତି ସ୍ୱରା । ନେଟିଜେନ୍‌ମାନେ ତାଙ୍କୁ ଅନେକ ସମୟରେ ସମାଲୋଚନା କରିଛନ୍ତି । ଧମକ ମଧ୍ୟ ମିଳିଛି । ତଥାପି ସ୍ୱରା ନିଜ ଅବସ୍ଥାନରୁ ଘୁଞ୍ଚି ନାହାନ୍ତି । ସାମାଜିକ ଓ ରାଜନୈତିକ ପ୍ରସଙ୍ଗରେ ନିଜ ଶାଣିତସ୍ୱର ଉପସ୍ଥାପନ କରିଛନ୍ତି । ପଦ୍ମାବତ ବିତର୍କରେ ସଞ୍ଜୟ ଲୀଲା ଭନସାଲିଙ୍କୁ ଖୋଲା ଚିଠି ଲେଖିଛନ୍ତି । ସେ ନିଜେ ମଧ୍ୟ ସ୍ୱୀକାର କରିଛନ୍ତି ଆଗଧାଡ଼ିର ନାୟିକା ହେବା ପାଇଁ ଯେଉଁ ଯୋଗ୍ୟତା ଦରକାର ତାହା ହୁଏତ ତାଙ୍କ ପାଖରେ ନାହିଁ ।

   ସମ୍ବନ୍ଧିତ ଖବର


ଯୋଡାମୁଣ୍ଡ ଶିଶୁ କାଳିଆର ମୃତ୍ୟୁ- ଜଗାର ସ୍ୱାସ୍ଥ୍ୟବସ୍ଥା ଭଲ ଅଛି

ସମ୍‌ରେ ଅତ୍ୟାଧୁନିକ ସେଂଟ୍ରାଲ୍ ସ୍କିଲ୍ ଲାବ୍ ଉଦ୍‌ଘାଟିତ

କରୋନା ପାଇଁ ରାତ୍ରୀ କାଳୀନ କର୍ଫ୍ୟୁ ଜାରି କରିପାରିବେ ରାଜ୍ୟ ସରକାର- ସମ୍ପୂର୍ଣ୍ଣ କର୍ଫ୍ୟୁ ପାଇଁ କଟକଣା, ଡିସେମ୍ବର ପାଇଁ କେନ୍ଦ୍ରର ନୂଆ ଗାଇଡ୍‌ ଲାଇନ୍‌

ମହାଭାରତର ‘ବସ୍ତ୍ର ହରଣ’ ଦୃଶ୍ୟ ପରେ ଅଧଘଣ୍ଟା ଭୋଭୋ ହୋଇ କାନ୍ଦିଥିଲେ ଦ୍ରୌପଦୀ, ଦୁଃଶାସନଙ୍କ ସହ ହୋଇନଥିଲେ କଥା, ସୁଟିଂ ସେଟରେ ରୁପା ଗାଙ୍ଗୁଲିଙ୍କ ସହ ହୋଇଥିଲା କ’ଣ ?

ସଫଳତାର ଶୀର୍ଷରେ ସ୍ବାତୀ

ଜାନ୍‌ଙ୍କୁ ଆକ୍ଷେପ କଲେ ବାପା କୁମାର ସାନୁ, କହିଲେ, ‘ସେ ତାଙ୍କ ନାଁରୁ ମୋ ନାଁକୁ ବାଦ୍ ଦେଇ ନିଜ ମା’ଙ୍କ ନାଁ ଯୋଡ଼ିବା ଉଚିତ୍’