ଶିଖରରେ ଲୋକତନ୍ତ୍ର, ବରଫ ପାହାଡ ଭିତରେ ଅଛି ବିଶ୍ବର ସବୁଠାରୁ ଉଚ୍ଚ ଏହି ମତଦାନ କେନ୍ଦ୍ର

ନୂଆଦିଲ୍ଲୀ,୨୧।୪: ସାରା ବର୍ଷ ବରଫର ଚାଦରରେ ଘୋଡାଇ ହୋଇ ରହୁଥିବା ତାଶିଗଙ୍ଗ ରୋଡରେ ଏବେ ଲୋକସଭା ନିର୍ବାଚନ ୨୦୧୯ ପାଇଁ ଚଳଚଞ୍ଚଳ ହୋଇପଡିଛି। ହିମାଚଳ ପ୍ରଦେଶର ତାଶିଗଙ୍ଗର ଲୋକେ ଲୋକତନ୍ତ୍ରକୁ ମଜବୁତ କରିବା ପାଇଁ ନିଜର ମତଦାନ କରିବେ। ତାଶିଗଙ୍ଗ ଆଡକୁ ଯାଉଥିବା ରାସ୍ତାରେ ବରଫ ଏବଂ ସବୁଠାରୁ ଉଚ୍ଚ ଅଞ୍ଚଳ ହୋଇଥିବାରୁ ଅଧିକାଂଶ ସମୟ ବନ୍ଦ ରହିଥାଏ।

ଦୀର୍ଘ ସମୟ ପରେ ଏବେ ଏହି ରାସ୍ତାକୁ ଲୋକଙ୍କ ପାଇଁ ଖୋଲିଦିଆଯାଇଛି। ଯାହାଫଳରେ ଲୋକମାନେ ରାଜ୍ୟରେ ହେବାକୁ ଥିବା ନିର୍ବାଚନ ପାଇଁ ମତଦାନ କରିପାରିବେ। ତାଶିଗଙ୍ଗ ଭୂତଳ ଠାରୁ ୧୫ ହଜାର ୨୫୬ ଫୁଟ୍ ଉଚ୍ଚତାରେ ରହିଛି।

ଏହାକୁ ବିଶ୍ବର ସବୁଠାରୁ ଉଚ୍ଚ ମତଦାନ କେନ୍ଦ୍ର ବୋଲି ଘୋଷଣା କରାଯାଇଛି। ଏଥର ଏହି ବୁଥରେ ତାଶିଗଙ୍ଗ ଓ ଏହାର ପଡୋଶୀ ଗେଟେ ଗାଁର ମୋଟ ୪୮ ଜଣ ଭୋଟର ମତଦାନ କରିବେ। ସେମାନ ଭିତରେ ରହିଛନ୍ତି ୩୦ ଜଣ ପୁରୁଷ ଏବଂ ୧୮ ଜଣ ମହିଳା ଭୋଟର। ହିମାଚଳ ପ୍ରଦେଶରେ ଲୋକସଭା ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ଅର୍ଥାତ ୧୯ ମଇରେ ମତଦାନ ହେବ।

ପ୍ରଥମେ ଏହି ମତଦାନ କେନ୍ଦ୍ର ଗୋଟେ ନାମକ ଏକ ଗାଁର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଥିଲା,ସ୍କୁଲ ବିଲ୍ଡିଂ ଦୁର୍ବଳ ହେବା କାରଣରୁ ସୁରକ୍ଷା ଦୃଷ୍ଟିରୁ ଏହାକୁ ତାଶିଗଞ୍ଜର ଏକ ପର୍ଯ୍ୟଟକ ଲଜକୁ ସ୍ଥାନାନ୍ତରିତ କରାଯାଇଛି। ନିର୍ବାଚନକୁ ଦୃଷ୍ଟିରେ ରଖି ପିଡବ୍ଲୁଡି ମଧ୍ୟ ଅପ୍ରେଲ ଶେଷ ପର୍ଯ୍ୟନ୍ତ ତାଶିଗଞ୍ଜ ଦେଇ ଯାଉଥିବା ରାସ୍ତାର ମରାମତି କରୁଛନ୍ତି। ଯାହାଫଳରେ ଲୋକମାନେ ସହଜରେ ମତଦାନ କେନ୍ଦ୍ର କରିହେବ।