ପାକିସ୍ତାନ ଚା’ ଦୋକାନରେ ଲାଗିଲା ଅଭିନନ୍ଦନଙ୍କ ଫଟୋ; ଦୋକାନୀ କହିଲେ-‘ଏମିତି ଚା’ ଯିଏ ଶତ୍ରୁକୁ ବି ମିତ୍ର କରିଦେବ’, ଜାଣନ୍ତୁ କାରଣ…

ନୂଆଦିଲ୍ଳୀ ୧୩।୩: ଭାରତୀୟ ବାୟୁସେନାର ଓ୍ବିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ତମାନ ଏବେ ପାକିସ୍ତାନରେ ଲୋକଙ୍କ ହୃଦୟ ଜିତିସାରିଛନ୍ତି। ଏହାର ପ୍ରମାଣ ଦେଉଛନ୍ତି ପାକିସ୍ତାନର ଏକ ଚା’ ଦୋକାନୀ। ଏହି ଦୋକାନୀ ଜଣଙ୍କ ଓ୍ବିଙ୍ଗ୍ କମାଣ୍ଡର ଅଭିନନ୍ଦନଙ୍କର ଚା’ ପିଉଥିବା ଫଟୋ ନିଜ ଦୋକାନରେ ଲଗାଇଛନ୍ତି। ଅଭିନନ୍ଦନଙ୍କ ଫଟୋ ସହିତ ଏହା ଲେଖିଛନ୍ତି ‘ଏମିତି ଚା’ ଯିଏ ଶତ୍ରୁକୁ ବି ମିତ୍ର କରିଦିଏ‘।
ଏହି ଫଟୋକୁ ଦେଖିଲେ କେହି କହିବେନି ଅଭିନନ୍ଦନ ପାକିସ୍ତାନର ଶତ୍ରୁ ବୋଲି। ବରଂ ଏହି ଫଟୋଟି ଦେଖିଲେ ଲାଗୁଛି ଅଭିନନ୍ଦନ ସେହି ଦୋକାନୀଜଣଙ୍କର ମିତ୍ର ବୋଲି। ଏହି ଦୋକାନଟି ପାକିସ୍ତାନର କେଉଁ ସ୍ଥାନରେ ଅଛି ତାହା ଜଣାନାହିଁ ମାତ୍ର ଟ୍ବିଟରରେ ଉମର ଫରୁକ ନାମକ ଜଣେ ବ୍ୟକ୍ତି ଏହି ଫଟୋକୁ ସେୟାର କରିଛନ୍ତି। ବର୍ତ୍ତମାନ ଏହି ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବାକୁ ଲାଗିଛି।
ଫଟୋର ପ୍ରମାଣିକତା ଉପରେ ଏନେଇ କେହି କୈାଣସି ଦାବି କରିନାହାନ୍ତି। କିନ୍ତୁ ଯଦି ଏହି ଫଟୋ ସତରେ ସେଠାରେ ଲାଗିଥିବ ତେବେ ଏହି ଫଟୋ ମାଧ୍ୟମରେ ହିଁ ପାକିସ୍ତାନ ଓ ଭାରତ ଭିତରେ ଶତ୍ରୁତା କମ୍ ହୋଇପାରିବ ବୋଲି କୁହାଯାଉଛି।
ଏହା ପୂର୍ବରୁ ସୋସିଆଲ ମିଡ଼ିଆରେ ଆଉ ଏକ ଭିଡ଼ିଓ ଭାଇରାଲ ହୋଇଥିଲା କି, ପାକିସ୍ତାନର ଏକ ଚା’ର ବହୁତ ପ୍ରଚାର କରାଯାଉଛି। ଯେଉଁଥିରେ ଭାରତୀୟ ବାୟୁସେନାର ଓ୍ବିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ତମାନ କହୁଛନ୍ତି, ଏହା ହେଉଛି ‘ସାନଦାର ଚା’, ଧନ୍ୟବାଦ’। ମାତ୍ର ପରେ ଜଣାପଡ଼ିଲା କି ଏହା ଥିଲା ନକଲି ଭିଡ଼ିଓ। ଏହାକୁ ଫଟୋସପ୍ ମାଧ୍ୟମରେ ତିଆରି କରାଯାଇଛି।