ଦୁଇଟି ଛୁଆର ମା’କୁ ବିବାହ ପ୍ରଲୋଭନ ଦେଖାଇ ଦୁଷ୍କର୍ମ କଲା ଟ୍ୟୁସନ୍ ମାଷ୍ଟର, ବାନ୍ଧିଲା ପୁଲିସ୍

କୋରାପୁଟ,୨୧/୦୧: ଦୁଇଟି ଛୁଆର ମା’କୁ ବିବାହ ପ୍ରଲୋଭନ ଦେଖାଇ ଦୁଷ୍କର୍ମ ପରେ ପ୍ରତାରଣା କରିଥିବା ଜଣେ ଟିଉସନ ମାଷ୍ଟର ଗିରଫ ହେବା ଘଟଣା କୋରାପୁଟରେ ଚର୍ଚ୍ଚାର ବିଷୟ ହୋଇଛି । ଗିରଫ ବ୍ୟକ୍ତି ଜଣଙ୍କ ହେଲେ କୋରାପୁଟ ସହର ମେନରେଡର ଯୋଗେନ୍ଦ୍ର ଚୌଧୁରୀ । ଏନେଇ ଟାଉନ ଥାନାରେ ୨୪/୨୧ରେ ଏକ ମାମଲା ରୁଜୁ କରି ପୁଲିସ ତଦନ୍ତ ଜାରି ରଖିଛି ।
ପୁଲିସ ସୂତ୍ରରୁ ପ୍ରକାଶ,ଯୋଗେନ୍ଦ୍ର ଅଶୋକନଗରର ଜଣେ ମହିଳାଙ୍କ ଘରକୁ ଯାଇ ତାଙ୍କ ପୁଅକୁ ଟିଉସନ କରୁଥିଲେ । ପରେ ସେ ଧୋବା ସାହିରେ ଏକ ଟ୍ୟୁଟୋରିଆଲ କେନ୍ଦ୍ର ଖୋଲି ସେଠାରେ ପିଲାଙ୍କୁ ପଢ଼ାଉଥିଲେ । ମହିଳା ଜଣଙ୍କ ସେଠାକୁ ତାଙ୍କ ପିଲାକୁ ପଢ଼ାଇବାକୁ ନେଉଥିଲେ । ଟିଉସନ ମାଷ୍ଟର ଓ ମହିଳାଙ୍କ ମଧ୍ୟରେ ଘନିଷ୍ଠତା ବଢିଥିଲା । ଶେଷରେ ଯୁବକଜଣଙ୍କ ମହିଳାଙ୍କୁ ବିବାହ ପ୍ରଲୋଭନ ଦେଖାଇ ଚଳିତ ମାସରେ ତାଙ୍କୁ ନେଇ ଫେରାର ହୋଇଯାଇଥିଲେ । ମହିଳାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ କରିଥିବା ପୀଡିତା ଥାନାରେ ଅଭିଯୋଗ କରିଛନ୍ତି । ୧୫ଦିନ ବାହାରେ ରହିବା ପରେ ଯୋଗେନ୍ଦ୍ର ଗତ ୫ ଦିନ ତଳେ ସହରକୁ ଫେରି ମହିଳାଙ୍କୁ ଛାଡ଼ି ଦେଇଥିଲେ । ବିବାହ ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ କରିବା ନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଯୋଗେନ୍ଦ୍ରଙ୍କୁ ଗିରଫ କରିଛି । ଉଭୟଙ୍କ ଡାକ୍ତରୀ ମାଇନା କରାଯାଇ ଟିଉସନ ମାଷ୍ଟରଙ୍କୁ ଗିରଫ କରାଯାଇଥିବା ସବ ଇନ୍ସପେକ୍ଟର ସୁଦର୍ଶନ ଅଧିକାରୀ କହିଛନ୍ତି ।