ଛାତ୍ରୀଙ୍କୁ ପ୍ରେମ ଫର୍ମୁଲା ପଢ଼ାଇ ପ୍ରଫେସର ସସ୍ପେଣ୍ଡ

କର୍ଣ୍ଣାଲ,୧୯ ।୩(ଏଜେନ୍ସି): ହରିଆନାର କର୍ଣ୍ଣାଲ ଜିଲ୍ଲାରେ ଥିବା ଏକ ସରକାରୀ ମହିଳା ମହାବିଦ୍ୟାଳୟର ଜଣେ ଗଣିତ ପ୍ରଫେସର ଛାତ୍ରୀଙ୍କୁ ପ୍ରେମ ଫର୍ମୁଲା ପାଠପଢ଼ାଇବା ଓ ତାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସସ୍ପେଣ୍ଡ ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ତାଙ୍କ ନାଁ ଚରଣ ସିଂହ ଓ ସେ ସେକ୍ଟର ୧୪ରେ ଥିବା ସରକାରୀ ମହାବିଦ୍ୟାଳୟର ସହକାରୀ ପ୍ରଫେସର ଅଛନ୍ତି । ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି କି ପ୍ରଫେସର ଜଣକ କଳାପଟାରେ ୩ଟି ଫର୍ମୁଲା ବିଷୟରେ ଉଲ୍ଲେଖ କରିଛନ୍ତି । ପ୍ରଥମଟି ହେଉଛି ନିକଟତରଆକର୍ଷଣ=ବନ୍ଧୁତା । ଦ୍ୱିତୀୟଟି ହେଉଛି ନିକଟତର୍ମଆକର୍ଷଣ=ରଙ୍ଗିଲା ପ୍ରେମ ଏବଂ ତୃତୀୟଟି ହେଉଛି ଆକର୍ଷଣ-ନିକଟତର= ଆଶକ୍ତି । ପ୍ରଫେସର ଜଣକ ଏହି ଫର୍ମୁଲାକୁ କଳାପଟାରେ ଇଂରାଜୀରେ ଲେଖିଥିଲେ ।
ଏଥିସହିତ ପ୍ରତ୍ୟେକ ଫର୍ମୁଲାକୁ ହିନ୍ଦୀରେ ବିସ୍ତୃତ ଭାବେ ଛାତ୍ରୀମାନଙ୍କୁ ବୁଝାଇଥିଲେ । କହିଥିଲେ ଦୁଇଜଣ ସାଥୀ ପରସ୍ପର ନିକଟତର ହେଲେ ପ୍ରେମ ସୃଷ୍ଟି ହୋଇଥାଏ । ମାତ୍ର ସେମାନେ ଯଦି ନିକଟତର ହୋଇ ନପାରନ୍ତି ତେବେ ଝଗଡା ଲାଗେ । ବାହାର ଦେଶର ଲୋକମାନେ ଗାଡି, ଘର ଏପରିକି ପତି କିମ୍ବା ପତ୍ନୀଙ୍କୁ ମଧ୍ୟ ବଦଳାଇଥାନ୍ତି । କିନ୍ତୁ ଭାରତରେ ଲୋକମାନଙ୍କ ଭିତରେ ନିକଟତର କିମ୍ବା ଆକର୍ଷଣ ନଥିଲେ ମଧ୍ୟ ସମ୍ପର୍କ ରହିଥାଏ । ଏହା ପିଲାମାନଙ୍କ ପାଇଁ ଭଲ । କେବଳ ଏତିକି ନୁହେଁ ପ୍ରଫେସର ଜଣକ ଆହୁରି ମଧ୍ୟ କହିଥିଲେ କି ବୟସ ବଢ଼ିବା ପରେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଶାରୀରିକ ଆକର୍ଷଣ ହ୍ରାସ ପାଏ ଓ ସେହି ସମୟରେ ସେମାନେ କେବଳ ବନ୍ଧୁ ହୋଇ ରହିଥାନ୍ତି । ତେବେ ପ୍ରଫେସରଙ୍କ ଏଭଳି ଫର୍ମୁଲା ପାଠପଢ଼ା ବେଳେ ଶ୍ରେଣୀଗୃହରେ ବେଶ୍ ହାସ୍ୟରୋଳ ସୃଷ୍ଟି ହୋଇଥିଲା ।
ଛାତ୍ରୀମାନେ ହସୁଥିବା ଉକ୍ତ ଭିଡିଓରେ ଦେଖାଯାଇଛି । କିନ୍ତୁ ଜଣେ ଛାତ୍ରୀ ନିଜ ମୋବାଇଲ ଫୋନ୍ରେ ପ୍ରଫେସରଙ୍କ ଏହି ପ୍ରେମ ପାଠପଢ଼ାର ଭିଡିଓ ରେକର୍ଡିଂ କରିଥିଲେ । ପରେ ସେ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଏ ବିଷୟରେ ଜଣାଇବା ସହିତ ଭିଡିଓ ମଧ୍ୟ ଦେଖାଇଥିଲେ । ଫଳରେ ଅଧ୍ୟକ୍ଷ ସମ୍ପୃକ୍ତ ପ୍ରଫେସରଙ୍କୁ ନୋଟିସ ଜାରି କରି ତାଙ୍କ ଠାରୁ କୈଫିୟତ ମାଗିଥିଲେ । ଏହା ଜଣାପଡିବା ପରେ ପ୍ରଫେସର ଜଣକ କ୍ଷମା ମାଗିଥିଲେ । ମାତ୍ର କାର୍ଯ୍ୟାନୁଷ୍ଠାନରୁ ରକ୍ଷା ପାଇପାରି ନଥିଲେ । ଏଭଳି ହରକତ ପାଇଁ ତାଙ୍କୁ ଗଣିତ ଶିକ୍ଷକ ପଦବୀରୁ ସସ୍ପେଣ୍ଡ କରାଯାଇଛି । ଇ-ମେଲ ମାଧ୍ୟମରେ ତାଙ୍କୁ ଏ ବିଷୟରେ ଜଣାଇ ଦିଆଯାଇଛି । କିନ୍ତୁ ତାଙ୍କୁ ଅନ୍ୟ ବିଷୟରେ ପଢ଼ାଇବା ଲାଗି ଦାୟିତ୍ୱ ଦିଆଯାଇଛି । ହେଲେ ଗଣିତ ପ୍ରଫେସର ଶ୍ରେଣୀଗୃହରେ ଛାତ୍ରୀମାନଙ୍କୁ ଗଣିତ ଫର୍ମୁଲା ବିଷୟରେ ନପଢ଼ାଇ ଏଭଳି ପ୍ରେମ ଫର୍ମୁଲା କାହିଁକି ପଢ଼ାଉଥିଲେ ତାହାର କାରଣ ଜଣାପଡିନାହିଁ ।