ଶ୍ରୀସାଇଲମ ଜଳବିଦ୍ୟୁତ ପ୍ରକଳ୍ପରେ ଅଗ୍ନିକାଣ୍ଡ: ୯ ଶ୍ରମିକଙ୍କ ମୃତଦେହ ଉଦ୍ଧାର

ହାଇଦ୍ରାବାଦ,୨୨/୦୮: ତେଲଙ୍ଗାନାର ଶ୍ରୀସାଇଲମ ସ୍ଥିତ ଏକ ଜଳ ବିଦ୍ୟୁତ୍‌ ପ୍ରକଳ୍ପ ପରିସରରେ ଗୁରୁବାର ବିଳମ୍ବିତ ରାତ୍ରିରେ ଘଟିଥିବା ଅଗ୍ନିକାଣ୍ଡରେ ୯ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ମୃତକମାନେ ଉକ୍ତ ପ୍ଲାଣ୍ଟର କର୍ମଚାରୀ। ନିଆଁ ଲାଗିବା ପରେ ସେମାନେ ପ୍ଲାଣ୍ଟ ଭିତରେ ଫସିଯାଇଥିଲେ। ଘଟଣାସ୍ଥଳରୁ ୯ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି ବୋଲି ପ୍ରଶାସନ ତରଫରୁ ଶୁକ୍ରବାର ସୂଚନା ଦିଆଯାଇଛି। ମୃତକଙ୍କ ଭିତରେ ତିନି ଜଣ ଆସିଷ୍ଟାଣ୍ଟ ଇଞ୍ଜିନିୟର ସୁନ୍ଦର ନାଏକ, ମୋହନ କୁମାର ଏବଂ ଫାତିମା ଅନ୍ତର୍ଭୁକ୍ତ। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣାକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ରାଷ୍ଟ୍ରପତି କୋବିନ୍ଦ କହିଛନ୍ତି ଯେ ଏହି ଦୁର୍ଘଟଣାରେ କିଛି ଲୋକ ପ୍ରାଣ ହରାଇଥିବା ଖବର ତାଙ୍କୁ ମର୍ମାହତ କରିଛି। ପ୍ରଧାନମନ୍ତ୍ରୀ ମୋଦି ଏହି ଅଗ୍ନିକାଣ୍ଡକୁ ଅତି ଦୁର୍ଭାଗ୍ୟଜନକ ଘଟଣା ବୋଲି କହିଛନ୍ତି।

ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଏହି ଘଟଣାକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ପ୍ଲାଣ୍ଟ ଭିତରେ ଫସି ଯାଇଥିବା ୯ ଜଣ କର୍ମଚାରୀଙ୍କୁ ଉଦ୍ଧାର କରିବା ପାଇଁ ସବୁ ପ୍ରକାର ଉଦ୍ୟମ କରାଯାଇଥିଲା। ମାତ୍ରଏଥିରେ ସଫଳତା ମିଳିନଥିଲା । ସେ ମୃତକମାନଙ୍କ ପରିବାର ସଦସ୍ୟଙ୍କୁ ଗଭୀର ସମବେଦନା ଜ୍ଞାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ରାଓ ମଧ୍ୟ ଏହି ଅଗ୍ନିକାଣ୍ଡର ତଦନ୍ତ କରିବା ପାଇଁ ରାଜ୍ୟ ପୁଲିସର ସିଆଇଡିକୁ ନିର୍ଦ୍ଦେଶ ଦେଇଛନ୍ତି।

ସିିଆଇଡିରେ କାର୍ଯ୍ୟ କରୁଥିବା ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ର‌୍ୟାଙ୍କର ଜଣେ ଅଧିକାରୀ ଏହି ତଦନ୍ତ କରିବେ। ରାଜ୍ୟର ଶକ୍ତି ମନ୍ତ୍ରୀ ଘଟଣାସ୍ଥଳ ପରିଦର୍ଶନ କରିବା ପରେ କହିଛନ୍ତି ଯେ ପାୱାର ହାଉସର ଇଲେକ୍ଟ୍ରିକ‌ ପ୍ୟାନେଲରେ ସର୍ଟସର୍କିଟ ଯୋଗୁ ଏହି ଅଗ୍ନିକାଣ୍ଟ ଘଟିଥିଲା । ପରେ ଏହା ପାୱାର ହାଉସର ଅନ୍ୟ ଭାଗକୁ ବ୍ୟାପିଯାଇଥିଲା । ଦୁର୍ଘଟଣା ବେଳେ ଟିଏସଜେନକୋ କଂପାନିର ଏହି ପାୱାରହାଉସରେ ମୋଟ ୩୦ ଜଣ କର୍ମଚାରୀ ଥିଲେ । ସେମାନଙ୍କ ଭିତରୁ ୧୫ ଜଣ ଜରୁରୀକାଳୀନ ପ୍ରସ୍ଥାନ ଦ୍ୱାର ଦେଇ ପାୱାର ହାଉସ ବାହାରକୁ ଚାଲି ଆସିଥିଲେ । ଆଉ ୬ ଜଣଙ୍କୁ ଏକ ଟନେଲ ଭିତର ଦେଇ ଉଦ୍ଧାର କରାଯାଇଥିଲା । ମାତ୍ର ବାକି ୯ ଜଣଙ୍କୁ କୌଣସିମତେ ଉଦ୍ଧାର କରାଯାଇପାରିନଥିଲା ।

   ସମ୍ବନ୍ଧିତ ଖବର


ବାଲେଶ୍ବରରେ କୁଇକ୍ ଆକ୍ସନ୍ ମିଶାଇଲର ସଫଳ ପରୀକ୍ଷଣ

ମିଥୁନ ଚକ୍ରବର୍ତ୍ତୀଙ୍କ ପତ୍ନୀ ଓ ପୁଅଙ୍କ ବିରୋଧରେ ମାମଲା ରୁଜୁ, ଦୁଷ୍କର୍ମ ଓ ବଳପୂର୍ବକ ଗର୍ଭପାତ ଭଳି ସଙ୍ଗୀନ ଅଭିଯୋଗ