ଟେଲିକମ୍‌ କମ୍ପାନିଙ୍କୁ ‘ଏଜିଆର୍‌’ ଚିନ୍ତା; ୪୧,୦୦୦ କୋଟିର ଲାଗିବ ଝଟ୍‌କା

ନୂଆଦିଲ୍ଲୀ,୧୧ା୯: ଅତିରିକ୍ତ ସ୍ପେକ୍ଟ୍ରମ୍‌ ଦେୟ ଭାବେ ଟେଲିକମ୍‌ କମ୍ପାନିଗୁଡ଼ିକୁ ୪୧,୦୦୦ କୋଟି ଟଙ୍କାର ଝଟ୍‌କା ଲାଗିପାରେ । ସୁପ୍ରିମ୍‌କୋର୍ଟରେ ଚାଲିଥିବା ଏଜିଆର୍‌ (ଆଡ୍‌ଜଷ୍ଟେଡ୍‌ ଗ୍ରସ୍‌ ରେଭିନ୍ୟୁ) ସଂକ୍ରାନ୍ତ ମାମଲାରେ ଯଦି ସରକାରଙ୍କ ପକ୍ଷରେ ରାୟ ଯାଏ ତେବେ କମ୍ପାନିଗୁଡ଼ିକ ଏହି ପରିମାଣର ଟଙ୍କା ଗଣିବାକୁ ବାଧ୍ୟ ହେବେ ।
ଉଲ୍ଲେଖଯୋଗ୍ୟ, ସ୍ପେକ୍ଟ୍ରମ୍‌ ଦେୟ ବାବଦରେ କମ୍ପାନିଗୁଡ଼ିକ ଉପରେ କେନ୍ଦ୍ରର ୯୨,୦୦୦ କୋଟି ଟଙ୍କା ବକେୟା ରହିଛି।

ସୁପ୍ରିମ୍‌କୋର୍ଟ ମାମଲା ରାୟ ଆସିବା ପରେ ଏହି ଦେୟ ପରିମାଣ ୧.୩୩ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇବ । ବର୍ତ୍ତମାନ କମ୍ପାନିଗୁଡ଼ିକ କ୍ଷତିର ସମ୍ମୁଖୀନ ହୋଇଥିବା ବେଳେ ଏତେ ଟଙ୍କା କିଭଳି ପରିଶୋଧ କରିବେ, ତାହାକୁ ନେଇ ସେମାନଙ୍କ ଚିନ୍ତା ବଢ଼ିଛି ।ସରକାରଙ୍କ କହିବାନୁଯାୟୀ ଏଜିଆର୍‌ରେ ଟେଲିକମ୍‌ କମ୍ପାନିଗୁଡ଼ିକର ସମସ୍ତ ରାଜସ୍ୱ ଆସୁଛି । କିନ୍ତୁ କେବଳ ପ୍ରମୁଖ ସେବା ଏଥିରେ ରହିବ ବୋଲି କମ୍ପାନିଗୁଡ଼ିକ ଦାବି କରୁଛନ୍ତି । ଉଭୟ ପକ୍ଷ ତରଫରୁ ଏ ନେଇ ସୁପ୍ରିମ୍‌କୋର୍ଟରେ ଯୁକ୍ତି ଉପସ୍ଥାପନ କରାଯାଇଛି । ଯଦି ସରକାରଙ୍କ ପକ୍ଷରେ ମାମଲା ଯାଏ, ତେବେ କମ୍ପାନିଗୁଡ଼ିକ ୪୧,୦୦୦ କୋଟି ଟଙ୍କା ଗଣିବେ । ଭାରତୀ ଏୟାରଟେଲ୍‌ ଏବଂ ଭୋଡାଫୋନ୍‌ ଆଇଡିଆ ଏହି ଅତିରିକ୍ତ ଦେୟର ପ୍ରାୟ ୮୫% ଗଣିପାରନ୍ତି ।

ଟେଲିକମ୍‌ ବିଭାଗ (ଡଟ୍‌) ଏଜିଆର୍‌ ବାବଦରେ ଆକଳନ କରି କହିଛି ଯେ ସୁନୀଲ ମିତ୍ତଲଙ୍କ ଅଧିକୃତ ଏୟାରଟେଲ୍‌ ସରକାରଙ୍କୁ ଅତିରିକ୍ତ ଦେୟ ଭାବେ ସର୍ବାଧିକ ୨୨,୯୪୦ କୋଟି ଟଙ୍କା ପ୍ରଦାନ କରିବ । ଏଥିରେ ସୁଧ ଓ ଜରିମାନା ସାମିଲ ରହିଛି । ସେହିଭଳି ଭୋଡାଫୋନ୍‌ ଆଇଡିଆକୁ ୧୧,୦୦୦ କୋଟି ଟଙ୍କା ଗଣିବାକୁ ପଡ଼ିପାରେ ।

ଏ ନେଇ ଡଟ୍‌ର ଜଣେ ଅଧିକାରୀ କହିଛନ୍ତି, ଏଜିଆର ପ୍ରସଙ୍ଗରେ ସୁପ୍ରିମ୍‌କୋର୍ଟଙ୍କ ରାୟ ଆସିବା ପରେ ଆମେ ଅତିରିକ୍ତ ସ୍ପେକ୍ଟ୍ରମ୍‌ ଫି’ ପାଇବା ପାଇଁ ପ୍ରକ୍ରିୟା ଆରମ୍ଭ କରିଦେବୁ । ପ୍ରତ୍ୟେକ କମ୍ପାନିକୁ ନୋଟିସ୍‌ ପଠାଯାଇ ଏହି ଅର୍ଥ ଦାବି କରାଯିବ । ଉଲ୍ଲେଖଯୋଗ୍ୟ, ଏଜିଆର୍‌ର ସଂଜ୍ଞାକୁ ନେଇ ସୁପ୍ରିମ୍‌କୋର୍ଟରେ ଶୁଣାଣି ହୋଇଥିବା ବେଳେ ଗତ ମାସରେ ଏହାର ରାୟ ସଂରକ୍ଷିତ ରହିଥିଲା ।

ଡଟ୍‌ ଯୁକ୍ତି ମୁତାବକ ଏଜିଆର୍‌ (ସମାୟୋଜିତ ମୋଟ ରାଜସ୍ୱ)ରେ ରାଜସ୍ୱ ବ୍ୟତୀତ ଲାଭାଂଶ, ହ୍ୟାଣ୍ଡସେଟ ବିକ୍ରି, ଭଡ଼ା ଏବଂ ସ୍କ୍ରାପ୍‌ ବିକ୍ରିରୁ ହେଉଥିବା ଲାଭ ମଧ୍ୟ ସାମିଲ ରହିଛି । ସେହି ଦୃଷ୍ଟିରୁ ଟେଲିକମ୍‌ କମ୍ପାନିଗୁଡ଼ିକ ଠାରୁ ସରକାର ଅଧିକ ସ୍ପେକ୍ଟ୍ରମ୍‌ ଦେୟ ପାଇବା କଥା । କିନ୍ତୁ କମ୍ପାନିଗୁଡ଼ିକ ଏଜିଆର୍‌ରେ କେବଳ ପ୍ରମୁଖ ଟେଲିକମ୍‌ ସେବା ସାମିଲ ହେବା ଆବଶ୍ୟକ ବୋଲି କହୁଛନ୍ତି । ତେବେ ଏ ନେଇ ୨୦୧୫ରେ ଏକ ଟେଲିକମ୍‌ ଟ୍ରିବ୍ୟୁନାଲ୍‌ ରାୟ ଅନୁସାରେ ଟେଲିକମ୍‌ କମ୍ପାନିଗୁଡ଼ିକ ଏଜିଆର୍‌ ହିସାବ କରୁଛନ୍ତି । ସେଥିପାଇଁ ସେମାନେ କେବଳ ଲାଇସେନ୍ସ ଫି ଓ ସ୍ପେକ୍ଟ୍ରମ୍‌ ଦେୟ ବାବଦ ଟଙ୍କା ପୈଠ କରୁଛନ୍ତି । ଡଟ୍‌ ଅବଶିଷ୍ଟ କ୍ଷେତ୍ରରୁ ବାରମ୍ବାର ଅର୍ଥ ଦାବି କରୁଛି ।

   ସମ୍ବନ୍ଧିତ ଖବର


ବିହାର ନିର୍ବାଚନ: ଦ୍ବିତୀୟ ପର୍ଯ୍ୟାୟରେ ବହୁ ମହାରଥୀ ଦେବେ ଅଗ୍ନି ପରୀକ୍ଷା, ଉତ୍ତର ବିହାର ଉପରେ ସମସଙ୍କ ନଜର

ତୁର୍କୀରେ ସୁନାମି, ଇଜ୍‌ମିର୍‌ ସହର ଭିତରେ ପଶିଲା ପାଣି

ଫ୍ରାନ୍ସରେ ଅବସ୍ଥାପିତ ପାକିସ୍ତାନ ରାଷ୍ଟ୍ରଦୂତଙ୍କ ଅପସାରଣ ନିଷ‌୍ପତ୍ତିରେ ମୋହର ମାରିଲା ପାକ୍‌ ପାର୍ଲିଆମେଣ୍ଟ, ହେଲେ ୩ ମାସ ହେଲାଣି ନାହାନ୍ତି ରାଷ୍ଟ‌୍ରଦୂତ

ସ୍ବାବ ପରେ ଏବେ ପରିସ୍ରାରୁ ଜାଣିପାରିବେ କରୋନା ରିପୋର୍ଟ!

ଭାରତ ବିପକ୍ଷରେ କିଛି ମ୍ୟାଚ ଖେଳିବେନି ଏହି ଅଷ୍ଟ୍ରେଲିଆ କ୍ରିକେଟର, କ’ଣ ପାଇଁ ଜାଣନ୍ତୁ

ମିସ୍ ଇଣ୍ଡିଆ ୟୁନିଭର୍ସ -୨୦୨୦ ମୁକୁଟ ଜିତିଲେ ବୈଷ୍ଣବୀ ସିଂ, ମେଧାବୀ ଛାତ୍ରୀ ସହ ଜଣେ ଭଲ ମଡେଲର