ଚିକିତ୍ସା ଅବହେଳାରୁ ମୃତ୍ୟୁ ଅଭିଯୋଗ: ହସ୍ପିଟାଲରେ ଭଙ୍ଗାରୁଜା ସହ ଡାକ୍ତରଙ୍କୁ ନିସ୍ତୁକ ମାଡ଼, ପୁଲିସ ଫୋର୍ସ ମୁତୟନ

ବଲାଙ୍ଗିର ୯/୦୮ : ଭୀମଭୋଇ ମେଡ଼ିକାଲ କଲେଜ ଆଣ୍ଡ ହସ୍ପିଟାଲର ଆଇସୋଲେସନ ୱାର୍ଡ଼ରେ ବଲାଙ୍ଗୀର ବିଷ୍ଣୁମୁଣ୍ଡାର ଜିତେନ୍ଦ୍ର ସୁନା(୩୨)ଙ୍କ ମୃତ୍ୟୁ ହୋଇଛି । ଠିକ୍‌ ସମୟରେ ଡାକ୍ତର ପହଞ୍ଚି ଚିକିତ୍ସା ନ କରିବାରୁ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରି ଆଇସୋଲେସନ ସେଣ୍ଟରରେ ତୁମୁଳକାଣ୍ଡ ଘଟିଛି । ମୃତକଙ୍କ ପରିବାରବର୍ଗ ଏବଂ ଅଞ୍ଚଳବାସୀ ଆଇସୋଲେସନ ସେଣ୍ଟରରେ ପଶି କାର୍ଯ୍ୟରତ ଡାକ୍ତର ସୀମାଞ୍ଚଳ ଡାକୁଆଙ୍କୁ ନିସ୍ତୁକ ମାଡ଼ ମାରିବା ସହ ଚୌକି ଟେବୁଲ, କବାଟ, ଝରକା କାଚ ଆଦି ଭାଙ୍ଗି ଦେଇଛନ୍ତି । ହସ୍ପିଟାଲ ପରିସରରେ ପରିସ୍ଥିତି ଅଣାୟତ୍ତ ହେବା ଆଶଙ୍କା ଥିବାରୁ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି ।

ସୂଚନା ମୁତାବିକ ଗତକାଲି ବିଷ୍ଣୁମୁଣ୍ଡାର ଜିତେନ୍ଦ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ଭୀମଭୋଇ ମେଡ଼ିକାଲ କଲେଜ ଆଣ୍ଡ ହସ୍ପିଟାଲକୁ ଅଣାଯାଇଥିଲା । ସେଠାରେ ପ୍ରଥମେ ଆଣ୍ଟିଜେନ ଟେଷ୍ଟ କରାଯାଇ ତାଙ୍କୁ ହସ୍ପିଟାଲର କରୋନା ଆଇସୋଲେସନ ସେଣ୍ଟରରେ ଭର୍ତ୍ତି କରାଯାଇଥିଲା । ଏହାର କିଛି ସମୟ ପରେ ଜିତେନ୍ଦ୍ରଙ୍କ ତଣ୍ଟିରେ ପୀଡ଼ା ହେବା ସହ ସେ ନିଃଶ୍ୱାସପ୍ରଶ୍ୱାସ ନେବାରେ ସମସ୍ୟା ଉପୁଜିଥିଲା । ଏ ସମ୍ପର୍କରେ ସେ ପରିବାରବର୍ଗଙ୍କୁ ଜଣାଇବା ପରେ ସେମାନେ ଆଉଟଡୋର, ଏମ୍‌ସିଏଚ୍‌ ଏବଂ ସୁପରିଣ୍ଟେଣ୍ଡେଣ୍ଟଙ୍କ ନିକଟକୁ ଯାଇଥିଲେ । କିନ୍ତୁ କୌଣସିଠାରୁ ଡାକ୍ତର ନ ଆସିବାରୁ ଶେଷରେ ଅପରାହ୍ନ ଦୁଇଟା ବେଳେ ଜିତେନ୍ଦ୍ରଙ୍କ ମୃତ୍ୟୁ ହୋଇଥିଲା । ବାରମ୍ବାର ଓପିଡିକୁ ଯାଇ ଡାକ୍ତରଙ୍କୁ ଡାକିଥିଲେ ମଧ୍ୟ କେହି ନ ଆସିବାରୁ ସେମାନେ ହସ୍ପିଟାଲସ୍ଥିତ ବିଟ୍‌ ହାଉସକୁ ଯାଇ ଅଭିଯୋଗ କରିଥିଲେ । ହେଲେ ସେତିକି ବେଳେ ଜିତେନ୍ଦ୍ରଙ୍କ ମୃତ୍ୟୁ ହୋଇସାରିଥିଲା । ଏହାକୁ ନେଇ ଡାକ୍ତରଖାନାରେ ଉତ୍ତେଜନା ପ୍ରକାଶ ପାଇଥିଲା । ଉତ୍ତ୍ୟକ୍ତ ଲୋକେ କାର୍ଯ୍ୟରତ ଡା. ଡାକୁଆଙ୍କୁ ଆକ୍ରମଣ କରିବା ସହ କେନ୍ଦ୍ରର ଚୌକି, ଟେବୁଲ, କାଚ ଆଦି ଭାଙ୍ଗି ଦେଇ ନର୍ସମାନଙ୍କୁ ଟଣାଓଟରା କରିଥିଲେ । ଏହାର ପ୍ରତିବାଦରେ ଡାକ୍ତରମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଡ୍ୟୁଟିରେ ନଥିବା ଡାକ୍ତରମାନେ ହସ୍ପିଟାଲ ପରିସରରେ ଧାରଣା ଦେଇ ଆକ୍ରମଣକାରୀଙ୍କୁ ଗିରଫ ଏବଂ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ସୁରକ୍ଷା ଦାବି କରିଛନ୍ତି ।

   ସମ୍ବନ୍ଧିତ ଖବର


ସୁଶୀଲ ମୋଦିଙ୍କ ଅଭିଯୋଗ; ଜେଲରେ ଥାଇ ସରକାର ଭାଙ୍ଗିବାକୁ ଷଡଯନ୍ତ୍ର କରୁଛନ୍ତି ଲାଲୁ, ବିଧାୟକଙ୍କୁ କରୁଛନ୍ତି ଫୋନ୍…

ରେଡ୍‌ ବୁଲ୍‌ କ୍ୟାମ୍ପସ୍‌ ଟି-ଟ୍ୱେଣ୍ଟି କ୍ରିକେଟ୍‌ : ଫାଇନାଲ୍‌ରେ ସୋଆ ବିଶ୍ୱବିଦ୍ୟାଳୟ

ଆଜି ବି ମଣିଷର ମନରେ ନିଷ୍ଠା, ମାନବିକତା ମରି ନାହିଁ -ପାନ ଦୋକାନୀଙ୍କ ମହାନତା,ହଜି ଯାଇଥିବା ପର୍ସ ଫେରାଇଲେ

ଅଭିନବ ଉପାୟ: ଦିବ୍ୟାଙ୍ଗ ହୋଇଥିଲେ ବି ସ୍ୱାବଲମ୍ବୀ- ରିକ୍ସାକୁ ଲୁନାରେ ବାନ୍ଧି ଚଳାଇଛନ୍ତି ବ୍ୟବସାୟ

ନିଶାସକ୍ତଙ୍କ ବିଚିତ୍ର କାଣ୍ଡ- ସାଲାଇନ୍‌ ବୋତଲ ସହ ଡାକ୍ତରଖାନାରୁ ଚାଲି ଚାଲି ଘରକୁ ପଳାଇଲେ, ଜାଣି ପାରିଲେନି ଡାକ୍ତରଖାନା କର୍ତ୍ତୃପକ୍ଷ

ମିସ ଇଣ୍ଡିଆ-୨୦୨୦ ପାଇଁ ଓଡ଼ିଶାର ଟପ୍‌-୫ ପ୍ରତିଯୋଗୀଙ୍କ ମଧ୍ୟରେ ବଲାଙ୍ଗିରର ଝିଅ ଶୁଭଶ୍ରୀ ରାୟଗୁରୁ