ମଧ୍ୟ ଭୁବନେଶ୍ୱରରେ ପଦଯାତ୍ରା ବେଳେ ମୁହାଁମୁହିଁ; ବିଜେପି ବିଧାୟକ ପ୍ରାର୍ଥୀଙ୍କୁ ପଥର ଫିଙ୍ଗିଲେ

ଭୁବନେଶ୍ୱର,୧୨ ।୪(ବ୍ୟୁରୋ): ୟୁନିଟ-୮ ଅଞ୍ଚଳରେ ବିଜେପିର ପଦଯାତ୍ରା ସମୟରେ ଆଜି ସନ୍ଧ୍ୟାରେ ଅପ୍ରୀତିକର ପରିସ୍ଥିତି ଉପୁଜିଛି । ବିଜେଡି ଓ ବିଜେପି କର୍ମୀ ମୁହାଁମୁହିଁ ହୋଇଛନ୍ତି । ବିଜେପି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କୁ ଢେଲାମାଡ଼ ହୋଇଛି ବୋଲି ସେ ଅଭିଯୋଗ ଆଣିଛନ୍ତି । ବିଜେଡି କର୍ମୀମାନେ ଏହି କାଣ୍ଡ ଭିଆଇଛନ୍ତି ବୋଲି ସେଠାକୁ ପ୍ରଚାର ପାଇଁ ଯାଇଥିବା ବିଜେପି ଲୋକସଭା ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଅଭିଯୋଗ କରିଛନ୍ତି ।
ଆଜି ସନ୍ଧ୍ୟା ୬ଟାରେ ୟୁନିଟ୍-୮ ଲକ୍ଷ୍ମୀପୂଜା ପଡ଼ିଆ ଓ ନୂଆପଲ୍ଲୀ ଶବର ସାହି ଫୁଟବଲ ପଡ଼ିଆରେ ବିଜେପିର ବିଜୟ ସଂକଳ୍ପ ସମାବେଶ ହେବା ପାଇଁ କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇଥିଲା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଥିରେ ଯୋଗ ଦେବାର କାର୍ଯ୍ୟକ୍ରମ ଥିଲା । ଏ ନେଇ ପୁଲିସଠାରୁ ଅନୁମତି ମିଳିଥିଲା । କିନ୍ତୁ ୟୁନିଟ୍-୮ ଲକ୍ଷ୍ମୀପୂଜା ପଡ଼ିଆରେ ସଭା ପାଇଁ ଶେଷ ମୁହୂର୍ତ୍ତରେ ରିଟର୍ଣ୍ଣିଂ ଅଫିସର ଅନୁମତି ନ ଦେବାରୁ କାର୍ଯ୍ୟକ୍ରମ ବାତିଲ ହୋଇଥିଲା । ସଭା ପାଇଁ ଅନୁମତି ନ ଥିବାରୁ ଧର୍ମେନ୍ଦ୍ର ଆସିନଥିଲେ । କିନ୍ତୁ ଶତାଧିକ ବିଜେପି କର୍ମୀ ଓ ସମର୍ଥକ ସେଠାରେ ଏକାଠି ହୋଇ ସାରିଥିଲେ । ସଭା ନ କରି ପଦଯାତ୍ରା କରିବାକୁ ବିଜେପି ନେତାମାନେ ନିଷ୍ପତ୍ତି ନେଇଥିଲେ । ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଓ ମଧ୍ୟ ଭୁବନେଶ୍ୱର ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ଆସି ସେଠାରେ ପହଞ୍ଚିଥିଲେ । ପରେ ସେମାନେ ପଦଯାତ୍ରାରେ ୟୁନିଟ୍-୮ ଭିତରକୁ ଯାଇଥିଲେ ।
ତେବେ ୟୁନିଟ-୮ କ୍ଲବ୍ ପାଖରେ ବିଜେଡିର ୫୦ରୁ ୬୦ଜଣ କର୍ମୀ ଏକାଠି ହୋଇଥିଲେ । କୌଣସି ଅପ୍ରୀତିକର ପରିସ୍ଥିତି ଏଡ଼ାଇବାକୁ ପୁଲିସ ସେଠାରେ ଜଗି ରହିଥିଲା । ବିଜେଡି କର୍ମୀମାନେ ବିଜେପି ବିରୋଧରେ ନାରାବାଜି କରିବା ସହ ଏହି ପଦଯାତ୍ରାକୁ ବିରୋଧ କରିଥିଲେ । କ୍ଲବ୍ ପାଖ ଦେଇ ବିଜେପି ନେତା ଓ କର୍ମୀ ଯିବାବେଳେ ବିଜେଡି କର୍ମୀଙ୍କ ସହ ବିଜେପି କର୍ମୀ ମୁହାଁମୁହିଁ ହୋଇଥିଲେ । ବିଜେପିର ନେତାମାନେ ସେମାନଙ୍କ କର୍ମୀଙ୍କୁ ବୁଝାସୁଝା କରି ନେଇ ଯାଇଥିଲେ । କିନ୍ତୁ ଏହି ସମୟରେ ବିଜେଡି କର୍ମୀ ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ଉପରକୁ ଇଟାପଥର ଫିଙ୍ଗିଥିବା ସେ ଅଭିଯୋଗ କରିଛନ୍ତି । ବିଜେଡି କର୍ମୀଙ୍କ ପଥର ମାଡ଼ରେ ତାଙ୍କ କାନ୍ଧରେ ଆଘାତ ଲାଗିଛି । ବିଜେଡି କର୍ମୀମାନେ ପଦଯାତ୍ରା ଉପରକୁ ବିଜେଡିର ଲିଫଲେଟ୍ ଫିଙ୍ଗିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ।
ସେ ସମୟରେ ପଦଯାତ୍ରାରେ ଯାଉଥିବା ଲୋକସଭା ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ମଧ୍ୟ ବିଜେଡି କର୍ମୀଙ୍କ ଏହି କାମକୁ ନିନ୍ଦା କରିଛନ୍ତି । ତେବେ ସେଠାରୁ ପଦଯାତ୍ରା ସାରିବା ପରେ ନୂଆପଲ୍ଲୀ ଶବର ସାହିରେ ବିଜୟ ସଂକଳ୍ପ ସମାବେଶ ହୋଇଥିଲା । ଧର୍ମେନ୍ଦ୍ର ସେଠାରେ ବିଜେଡି ଉପରେ ବର୍ଷିଥିଲେ । ବିଜେଡିର ଗୁଣ୍ଡାବାହିନୀ ବିଜେପି ସାଂସଦ ପ୍ରାର୍ଥୀ ଓ ବିଧାୟକ ପ୍ରାର୍ଥୀଙ୍କ ଉପରେ ଏପରି ଆକ୍ରମଣ କରିଛନ୍ତି । ପୁଲିସ ଉପସ୍ଥିତିରେ ଶାସକ ଦଳର ଗୁଣ୍ଡା ଏଭଳି କାଣ୍ଡ ଭିଆଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନାକ ତଳେ ଏହି ଘଟଣା ଘଟିଛି । ଏହା ଦୁର୍ଭାଗ୍ୟଜନକ । ଭୁବନେଶ୍ୱର ଆଉ ସୁରକ୍ଷିତ ନୁହେଁ । ହାରିବା ଭୟରେ ଶାସକ ଦଳ ଏପରି କରୁଛି । ଏହାକୁ ଲୋକେ ଉଚିତ ଜବାବ ଦେବେ ବୋଲି ଧର୍ମେନ୍ଦ୍ର କହିଛନ୍ତି ।
ସେପଟେ ବିଜେଡି ପ୍ରାର୍ଥୀ ଅନନ୍ତ ନାରାୟଣ ଜେନା ଏହି ଅଭିଯୋଗକୁ ମିଛ ବୋଲି କହିଛନ୍ତି । ବିଜେପିର ଅଭିଯୋଗ ସମ୍ପୂର୍ଣ୍ଣ ମିଛ । ଆମ କର୍ମୀମାନେ ପ୍ରଚାରରେ ଲାଗିଛନ୍ତି । ଲୋକଙ୍କୁ ବିଭ୍ରାନ୍ତ ପାଇଁ ବିଜେପି ଅପପ୍ରୟାସ ଚଳାଇଛି ବୋଲି ସେ କହିଛନ୍ତି ।