କୋଭିଡ୍‌ ଟେଷ୍ଟ୍‌ କିଟ୍‌, ମାସ୍କ୍‌ କିଣାରେ ଦୁର୍ନୀତି ଅଭିଯୋଗ: ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ୨ଟି ମାମଲା

କଟକ ୯/୦୬: କୋଭିଡ୍‌ ଟେଷ୍ଟ କିଟ୍‌, ମାସ୍କ ଆଦି କିଣାରେ ଦୁର୍ନୀତି ହୋଇଥିବା ଅଭିଯୋଗ କରି ହାଇକୋର୍ଟରେ ଆଜି ଦୁଇଟି ମାମଲା ରୁଜୁ ହୋଇଛି । ଏକ ନିରପେକ୍ଷ ସଂସ୍ଥା କିମ୍ବା ସିବିଆଇ ଦ୍ୱାରା ଏହି କ୍ରୟ ବ୍ୟାପାରର ତଦନ୍ତ ପାଇଁ ଅଦାଲତ ନିର୍ଦ୍ଦେଶ ଦେବାକୁ ଆବେଦନକାରୀ ପ୍ରାର୍ଥନା କରିଛନ୍ତି । କ୍ରିମିନାଲ୍‌ କୋର୍ଟସ ବାର୍‌ ଆସୋସିଏସନ୍‌ର ପୂର୍ବତନ ସଭାପତି ଆଇନଜୀବୀ ଅକ୍ଷୟ କୁମାର ପତି ଏବଂ ନ୍ୟାସନାଲିଷ୍ଟ ଲୟର୍ସ ଫୋରମ୍‌ର ଜାତୀୟ ସଂଯୋଜକ ସବ୍ୟସାଚ୍ଚୀ ମହାପାତ୍ର ଏହି ମାମଲା ରୁଜୁ କରିଛନ୍ତି ।

ଆବେଦନକାରୀ ଦ୍ୱୟ ପିଟିସନ୍‌ରେ ଉଲ୍ଲେଖ କରିଛନ୍ତି, କୋଭିଡ୍‌ ପରୀକ୍ଷଣ ସହ ଜଡ଼ିତ ବିଭିନ୍ନ ସାମଗ୍ରୀର ମୂଲ୍ୟ କେତେ ରହିବ ବା କୌଣସି ରାଜ୍ୟ ସରକାର କେତେ ଟଙ୍କାରେ ଗୋଟିଏ କମ୍ପାନୀଠାରୁ କିଣିବେ ସେ ନେଇ କେନ୍ଦ୍ର ସରକାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ବର୍ତ୍ତମାନ ସମୟରେ ଯେଉଁ ଦୁଇ ପ୍ରକାର ମାସ୍କ ରହିଛି ଏଥିରୁ ଦୁଇ ସ୍ତରୀୟ ମାସ୍କର ମୂଲ୍ୟ ୮ଟଙ୍କା ଥିଲା ବେଳେ ତ୍ରିସ୍ତରୀୟ ମାସ୍କର ମୂଲ୍ୟ ୧୦ଟଙ୍କା ଧାର୍ଯ୍ୟ କରାଯାଇଛି । କିନ୍ତୁ ଓଡ଼ିଶା ଷ୍ଟେଟ୍‌ ମେଡିକାଲ କର୍ପୋରେସନ୍‌ ପକ୍ଷରୁ ଗତ ଏପ୍ରିଲ ୧୫ରେ ଫରିଦାବାଦର ଏକ କମ୍ପାନୀଠାରୁ ତ୍ରିସ୍ତରୀୟ ମାସ୍କ ଗୋଟା ପ୍ରତି ୯ଟଙ୍କା ୯୦ ପଇସାରେ କିଣିବା ପାଇଁ ସ୍ଥିର କରାଯାଇଥିଲା । ଏହାର ଦୁଇ ଦିନ ପରେ ଏପ୍ରିଲ ୧୭ରେ ମେଡିକାଲ କର୍ପୋରେସନ୍‌ ତାମିଲନାଡୁର ଏକ କମ୍ପାନୀ ବିଷ୍ଣୁ ଡିସ୍‌ପୋଜେବୁଲ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ କମ୍ପାନୀଠାରୁ କିଣିବାର ଅର୍ଡର ଆଣିଥିଲେ । ଏହି କମ୍ପାନୀଠାରୁ ୧୬ ଲକ୍ଷ ମାସ୍କ ଗୋଟା ୧୬ ଟଙ୍କାରେ କିଣାଯିବାକୁ ସ୍ଥିର ହୋଇଥିଲା ।

ରାଜ୍ୟ ସରକାର କୋଭିଡ୍‌ ସଂକ୍ରାନ୍ତ ସାମଗ୍ରୀ କିଣା ତଦାରଖ ପାଇଁ ଏକ ରାଜ୍ୟସ୍ତରୀୟ କମିଟି ଗଠନ କରିଥିଲେ । କମିଟିରେ ମନ୍ତ୍ରୀ ଏବଂ କିଛି ବରିଷ୍ଠ ଆଇଏଏସ୍‌ ଅଫିସର ରହିଥିଲେ । ଏହି କମିଟି ପିପିଇ କିଟ୍‌ ଏବଂ ଫେସ୍‌ ମାସ୍କ କିଣିବା ପାଇଁ ଅନୁମତି ଦେଇଥିଲା । କିନ୍ତୁ ଏହି ଦୁଇଟି ସାମଗ୍ରୀର ମୂଲ୍ୟକୁ ନେଇ କୌଣସି ଆଲୋଚନା କରାଯାଇନଥିଲା। ପରବର୍ତ୍ତୀ ସମୟରେ ଟ୍ରକ୍‌ ଟ୍ରକ୍‌ ମାସ୍କ, ସାନିଟାଇଜର୍‌ ଆଦିକୁ ଫେରାଇ ଦିଆଯାଇଥିଲା । ଆହୁରି କେତେକ ସଂସ୍ଥା ନିକଟରୁ ଏହି କିଟ୍‌ କିଣାଯିବା ପାଇଁ ମଧ୍ୟ ପ୍ରସ୍ତାବ ରହିଛି ।

ତେଣୁ ଏହି କ୍ରୟ ଘଟଣାର ତଦନ୍ତ ସିବିଆଇ ଦ୍ୱାରା କରିବା ଲାଗି ହାଇକୋର୍ଟ ନିର୍ଦ୍ଦେଶ ଦେବାକୁ ଆବେଦନକାରୀ ପ୍ରାର୍ଥନା କରିଛନ୍ତି । ମାମଲାରେ ରାଜ୍ୟ ମୁଖ୍ୟ ଶାସନ ସଚିବ, ସ୍ୱାସ୍ଥ୍ୟ ସଚିବ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ, ରାଜ୍ୟ ମେଡିକାଲ କର୍ପୋରେସନ୍‌ ଏବଂ ସିବିଆଇକୁ ପକ୍ଷଭୁକ୍ତ କରାଯାଇଛି । ନ୍ୟାସନାଲିଷ୍ଟ ଲୟର୍ସ ଫୋରମ୍‌ ପକ୍ଷରୁ ମାମଲାକୁ ଆଇନଜୀବୀ ଘାସିରାମ ବର୍ମା, ସୁନୀଲ ବର୍ମା ଏବଂ ତାପସ ଦ୍ୱିବେଦୀ ରୁଜୁ କରିଛନ୍ତି ।

   ସମ୍ବନ୍ଧିତ ଖବର


ନଦୀରେ ଭାସୁଛି ଅଜଣା ମହିଳାଙ୍କ ମୃତଦେହ : ମିଳିନି ପରିଚୟ, ଚାଲିଛି ତଦନ୍ତ

ଘର ଭିତରକୁ ପଶିଗଲା ୧୨ ଚକିଆ ହାଇୱା, ଅଳ୍ପକେ ବର୍ତ୍ତିଲେ ଘରେ ଥିବା ୭ ଜଣ

ତିର୍ତୋଲ ଓ ବାଲେଶ୍ୱର ସଦର ଆସନରେ ଉପନିର୍ବାଚନ ପାଇଁ ସବୈତନିକ ଛୁଟି ଘୋଷଣା

ଲିଙ୍ଗରାଜ ମନ୍ଦିରକୁ 5-T ସଚିବ ଭି.କେ. ପାଣ୍ଡିଆନ ଅଚାନକ ଗସ୍ତ: ଉନ୍ନତିମୂଳକ କାର୍ଯ୍ୟର କଲେ ତଦାରଖ

ଟ୍ରକକୁ ଧକ୍କାଦେଲା ଆଉ ଏକ ଟ୍ରକ, ଜଣେ ମୃତ

ରାଜ୍ୟକୁ ଧୀରେ ଧୀରେ ଛୁଉଁଛି ଶୀତ, ୫ରୁ ଥଣ୍ଡା ଆହୁରି ବଢ଼ିବ