
ତାଳଚେର,୦୧/୧୨: ବନ୍ଦ ହେବ ଏନ୍ଟିପିସି ପରିଚାଳନାଧୀନ ୪୬୦ ମେଗାୱାଟ୍ ବିଶିଷ୍ଟ ତାଳଚେର ଥର୍ମାଲ୍ ପାୱାର ପ୍ଲାଣ୍ଟ। ଫଳରେ ଆସନ୍ତା ଜାନୁଆରୀ ମାସରୁ ରାଜ୍ୟରେ ବିଜୁଳି ସଂକଟ ଦେଖାଯିବାର ଆଶଙ୍କା ସୃଷ୍ଟି ହୋଇଛି ।
ତାଳଚେର ଥର୍ମାଲ୍ ପ୍ଲାଣ୍ଟରେ ଥିବା ୬ଟି ୟୁନିଟ୍ରୁ ସମସ୍ତ ବିଦ୍ୟୁତ୍ ଶକ୍ତି କେବଳ ଓଡ଼ିଶା ରାଜ୍ୟକୁ ହିଁ ଯୋଗାଣ ହୋଇଥାଏ। ତେବେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ପ୍ରଦୂଷଣ ସମ୍ବନ୍ଧୀୟ ଆଦେଶ ମାନିନଥିବାରୁ ଏହି ପୁରୁଣା ବିଦ୍ୟୁତ୍ କେନ୍ଦ୍ରଟି ଆସନ୍ତା ଜାନୁଆରୀ ୧ ତାରିଖରୁ ବନ୍ଦ ହେବ ବୋଲି ଜଣାପଡ଼ିଛି । ପ୍ଲାଣ୍ଟ ବନ୍ଦ ହେଲେ ସାରା ରାଜ୍ୟ ଘୋର ବିଦ୍ୟୁତ୍ ସଙ୍କଟର ସମ୍ମୁଖୀନ ହେବ । ଏନ୍ଟିପିସି କର୍ତ୍ତୃପକ୍ଷଙ୍କ ଯୋଜନା ଥିଲା ଯେ, ଏହି ପୁରୁଣା ପ୍ଲାଣ୍ଟ ବଦଳରେ ୧୩୨୦ ମେଗାୱାଟ୍ ବିଶିଷ୍ଟ ୨ଟି ଅତ୍ୟାଧୁନିକ ୟୁନିଟ୍ର ପ୍ଲାଣ୍ଟ ସ୍ଥାପନ ହେବ। ତେବେ ରାଜ୍ୟ ସରକାରଙ୍କର ଅନୁମତି ପାଇବାରେ ବିଳମ୍ବ ହେବାରୁ ତାହାର ଭବିଷ୍ୟତ ଅନିଶ୍ଚିତତା ମଧ୍ୟରେ ରହିଛି।
ପ୍ରକାଶ ଯେ, ୧୯୬୮ ମସିହାରେ ସ୍ଥାପିତ ଏହି ତାପଜ ବିଦ୍ୟୁତ୍ କେନ୍ଦ୍ର ଦୁଇଟି ପର୍ଯ୍ୟାୟରେ ବିଦ୍ୟୁତ୍ ଉତ୍ପାଦନ ଆରମ୍ଭ କରିଥିଲା । ପ୍ରଥମ ପର୍ଯ୍ୟାୟରେ ୬୦ ମେଗାୱାଟ ବିଶିଷ୍ଟ ୨ଟି ୟୁନିଟ୍ରୁ ୧୨୦ ମେଗାୱାଟ୍ ବିଦ୍ୟୁତ୍ ଉତ୍ପାଦନ ଆରମ୍ଭ ହୋଇଥିଲା । ତେବେ ୧୯୮୨ ମସିହାରେ ୧୧୦ ମେଗାୱାଟ୍ ବିଶିଷ୍ଟ ଆଉ ଦୁଇଟି ୟୁନିଟ୍ ସ୍ଥାପନ କରାଯାଇଥିଲା । ମୋଟାମୋଟି ଭାବେ ୪ଟି ୟୁନିଟ୍ରୁ ୪୬୦ ମେଗାୱାଟ୍ ବିଦ୍ୟୁତ୍ ଉତ୍ପାଦନ କ୍ଷମତା ବୃଦ୍ଧି ପାଇଥିଲା ।
ଓଡ଼ିଶା ରାଜ୍ୟ ବିଦ୍ୟୁତ୍ ବୋର୍ଡ ଅଧୀନରେ ଥିବା ଏହି ପ୍ଲାଣ୍ଟ କ୍ରମାଗତ ଭାବେ କ୍ଷତି ଏବଂ ବିଭିନ୍ନ କାରଣରୁ ପ୍ଲାଣ୍ଟ ଲୋଡ୍ ଫ୍ୟାକ୍ଟର (ପିଏଲ୍ଏଫ୍) ୧୫ ପ୍ରତିଶତକୁ ଖସିଆସିଥିବାରୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ସମୟରେ ଏହାକୁ ଏନ୍ଟିପିସିକୁ ବିକ୍ରି କରାଯାଇଥିଲା । ଏନ୍ଟିପିସି ଏହି ପ୍ଲାଣ୍ଟର ଆଧୁନିକୀକରଣ ଓ ଉନ୍ନତମାନର ଯନ୍ତ୍ରାଂଶ ବ୍ୟବହାର କରି କ୍ଷତିରେ ଚାଲୁଥିବା ଏହି ପ୍ଲାଣ୍ଟକୁ ଆଶାନୁରୂପ ଭାବେ ସଫଳତା ଲାଭ କରିବା ସହ ବିଦ୍ୟୁତ୍ ଉତ୍ପାଦନକୁ ଶତ ପ୍ରତିଶତରେ ପହଞ୍ଚାଇଥିଲେ ।
୨୦୦୦ ମସିହାଠାରୁ ଅନବରତ ଭାବେ କାର୍ଯ୍ୟକ୍ଷମ କରାଯାଇ ଏହା ମାର୍ଚ୍ଚ ୨୦୨୧ ସୁଦ୍ଧା କେନ୍ଦ୍ରୀୟ ବିଦ୍ୟୁତ୍ ନିୟାମକ ସଂସ୍ଥା (ସିଇଆରସି)ରୁ ଅନୁମତି ପାଇଥିଲା। ତେବେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ପ୍ରଦୂଷଣ ସମ୍ବନ୍ଧୀୟ ନିୟମ ଅନୁପାଳନ ଅନୁସାରେ ଏହି ପ୍ଲାଣ୍ଟକୁ ୨୦୨୦ ଡିସେମ୍ବର ୩୧ ତାରିଖ ସୁଦ୍ଧା ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଆଉ ଅଧିକ କାଳ ପ୍ଲାଣ୍ଟ ଚଲାଇବା ପାଇଁ ଏନ୍ଟିପିସିକୁ ପ୍ରତି ୟୁନିଟ୍ ପିଛା ୫୦ ଲକ୍ଷ ଟଙ୍କା ଏବଂ ଅଧିକ ବ୍ୟୟ କରିବାକୁ ପଡୁଥିବାରୁ ପ୍ରାୟ ୯ ହଜାର କୋଟି ଟଙ୍କା ବ୍ୟୟରେ ବିକଳ୍ପ ଭାବେ ଏକ ନୂଆ ଥର୍ମାଲ୍ ପ୍ଲାଣ୍ଟ ୨୦୧୮ ମସିହା ସୁଦ୍ଧା ନିର୍ମାଣ କରିବାକୁ ଏନ୍ଟିପିସି ସ୍ଥିର କରିଥିଲା ।
ମାତ୍ର ସଲିଡ୍ ପାଟିକୁଲାର ମ୍ୟାଟର, ସଲ୍ଫର କଣ୍ଟେଣ୍ଟ ଆଣ୍ଡ ନାଇଟ୍ରୋଜେନ୍ କଣ୍ଟେଣ୍ଟକୁ ସୀମା ମଧ୍ୟରେ ନରଖାଯିବା ଯୋଗୁଁ ଏନ୍ଟିପିସିର ନୂତନ ଭାବେ ପ୍ରସ୍ତାବିତ ୬୬୦ ମେଗାୱାଟ ବିଶିଷ୍ଟ ୨ଟି ୟୁନିଟ୍ ସ୍ଥାପନ ପାଇଁ ରାଜ୍ୟ ସରକାରଙ୍କ ଅନୁମତି ମିଳିବାରେ ବିଳମ୍ବ ହୋଇଥିଲା ।
ଗତ ଫେବ୍ରୁଆରୀ ମାସରେ ଯଦିଓ ରାଜ୍ୟ ସରକାର ଏହାକୁ ଅନୁମତି ଦେଇଥିଲେ ତେବେ ବିଭିନ୍ନ କାରଣ ନେଇ ଅଦ୍ୟାବଧି ନୂତନ ପ୍ଲାଣ୍ଟ ନିର୍ମାଣ କରିବାରେ ଏନ୍ଟିପିସି ପକ୍ଷରୁ ଆଗ୍ରହ ପ୍ରକାଶ କରାଯାଉନାହିଁ । ଯଦ୍ୱାରା ପୁରୁଣା ପ୍ଲାଣ୍ଟ ବନ୍ଦ ହେବା ସହ ନୂଆ ପ୍ଲାଣ୍ଟ ତିଆରି ହେବାରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ଏ ସମ୍ପର୍କରେ ଏନ୍ଟିପିସିର ଜିଜିଏମ୍ କୌଣସି ମନ୍ତବ୍ୟ ଦେବାକୁ ଇଚ୍ଛା ପ୍ରକାଶ କରିନଥିଲେ ହେଁ ନୂତନ ପ୍ଲାଣ୍ଟ ନେଇ ସେ ଆଶାବାଦୀ ଥିବା ପ୍ରକାଶ କରିଛନ୍ତି ।