
ଭୁବନେଶ୍ୱର,୧୭ା୨(ବ୍ୟୁରୋ): ଶିକ୍ଷାନୁଷ୍ଠାନ ଗୁଡ଼ିକ ସମାନତା ପାଇଁ ପ୍ରୟାସ କରିବା ବଦଳରେ ବିବିଧତା ଓ ଶୈକ୍ଷିକ ବାତାବରଣ ଉପରେ ଗୁରୁତ୍ୱ ଦେବା ଉଚିତ । ଫଳରେ ସେମାନେ ନିଜର ଉତ୍କର୍ଷକୁ ଜାଣିପାରିବାର ସ୍ୱତନ୍ତ୍ରତା ପାଇପାରିବେ ବୋଲି ବିଶିଷ୍ଟ ବ୍ୟକ୍ତିମାନେ ମତ ରଖଛନ୍ତି ।
ଶିକ୍ଷା ଓ ଅନୁସନ୍ଧାନ (ସୋଆ ଡିମ୍ଡ ଟୁ ବି ୟୁନିଭର୍ସିଟି)ରେ ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘର ୯୩ତମ ବାର୍ଷିକ ସାଧାରଣ ସଭା ଆଜି ଉଦ୍ଯାପିତ ହୋଇଯାଇଛି । ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଆସୋସିଏସନ୍ ଅଫ୍ କମନ୍ ୱେଲ୍ଥ ୟୁନିଭର୍ସିଟିର ହେଡ୍ ଅଫ୍ ମେମ୍ବରସିପ୍ ଡେଭଲ୍ପମେଣ୍ଟ ପ୍ରଫେସର କନ୍ସୋଲା ଇଭାନ୍ସ ଯୋଗ ଦେଇ କହିଲେ, ବିଶ୍ୱବିଦ୍ୟାଳୟର ସଫଳତା ଏହାର ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ଉପରେ ନିର୍ଭର କରେ । ତେଣୁ ସେମାନଙ୍କ କାର୍ଯ୍ୟକାରିତା ଓ ପାଠପଢ଼ା ହିଁ ବିଶ୍ୱବିଦ୍ୟାଳୟର ଗୌରବକୁ ବଢ଼ାଏ । ଏଦିଗରେ ଶିକ୍ଷକ ଓ ଛାତ୍ରଛାତ୍ରୀ ଗୁରୁତ୍ୱ ଦେବା ଆବଶ୍ୟକ ।
ଉତ୍ସବରେ ସଂଘର ସଭାପତି ପ୍ରଫେସର ସନ୍ଦିପ୍ ସଞ୍ଚେତି ସଭାପତି ଅଭିଭାଷଣ ରଖି କହିଲେ, ସ୍ୱତନ୍ତ୍ରତା ରହିଲେ ଛାତ୍ରଛାତ୍ରୀଙ୍କୁ ନିଜର ଦକ୍ଷତା ବୃଦ୍ଧି କରିବା ସହ ଉଦ୍ୟୋଗୀକରଣ ଓ ସୃଜନଶୀଳତାର ବିକାଶରେ ସହଯୋଗ ହୋଇପାରିବ । ପ୍ରତ୍ୟେକ ଶିକ୍ଷାନୁଷ୍ଠାନ ଗୁଡ଼ିକ ନିଜର ଉତ୍କର୍ଷ ବୃଦ୍ଧି କରିବା ଓ ବିଶ୍ୱସ୍ତରରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିବା ପାଇଁ କାର୍ଯ୍ୟ କରିବା ଦରକାର । ଯେତେବେଳ ଦେଶର ଅଧିକ ଯୁବଗୋଷ୍ଠୀ ଦେଶ ତଥା ରାଜ୍ୟରେ ରହିବା ପାଇଁ ଇଚ୍ଛୁକ ହେବେ ତଥା ସେମାନେ ନିଜେ ନିଜ ଅଞ୍ଚଳରେ ପ୍ରତିଷ୍ଠିତ ହୋଇପାରିବେ ତେବେ ସେହି ଦେଶ ତଥା ରାଜ୍ୟର ଶିକ୍ଷାନୁଷ୍ଠାନ ଗୁଡ଼ିକ ଉତ୍କର୍ଷ ଲାଭ କରିଛି ବୋଲି କୁହାଯାଇପାରିବ । ଏହା ସହ ଶିକ୍ଷାନୁଷ୍ଠାନରେ ପାଠ୍ୟସୂଚୀ, ପରୀକ୍ଷା ପ୍ରକ୍ରିୟା, ଖାତାଦେଖା ପ୍ରକ୍ରିୟା ଆଦି ପରିବର୍ତ୍ତନ ହେବା ଦରକାର ।
ପ୍ରଫେସର ସଞ୍ଚେତି ଶିକ୍ଷାନୁଷ୍ଠାନରେ ଖେଳକୁ ପ୍ରାଧାନ୍ୟ ଦେଇ କହିଲେ, ପ୍ରଖ୍ୟାତ କ୍ରିକେଟ୍ ଖେଳାଳୀ ସଚିନ୍ ତେନ୍ଦୁଲକର୍ ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘର ଏକ ସାଧାରଣ ସଭାରେ ଯୋଗ ଦେଇ ଖେଳକୁ ପ୍ରାଧାନ୍ୟ ଦେଇଥିଲେ । ଏହା ସହ ପ୍ରତ୍ୟେକ ଉଚ୍ଚ ଶିକ୍ଷାନୁଷ୍ଠାନରେ ଖେଳ ଏକ ପାଠ୍ୟକ୍ରମ କରିବାକୁ ସେ ପ୍ରସ୍ତାବ ଦେଇଥିଲେ । ଏପରି ହେଲେ ଦେଶରେ ଖେଳ ଆହୁରି ବିକଶିତ ହେବ ବୋଲି ସଚିନ୍ କହିଥିଲେ ବୋଲି ପ୍ରଫେସର ସଞ୍ଚେତି କହିଛନ୍ତି । କାର୍ଯ୍ୟକ୍ରମରେ ସଂଘର ମହାସଚିବ ପ୍ରଫେସର ଫୁରକାନ୍ କ୍ୟୁମାର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏଆଇୟୁର ଅତିରିକ୍ତ ସମ୍ପାଦକ ମମତାରାଣି ଅଗ୍ରୱାଲ, ସୋଆ କୁଳପତି ପ୍ରଫେସର ଅମିତ ବାନାର୍ଜୀ ପ୍ରମୁଖ ଯୋଗ ଦେଇ ବିଶ୍ୱବିଦ୍ୟାଳୟରେ ନୂଆ ଚିନ୍ତାଧାରା ଆପଣାଇବା ଉପରେ ଆଲୋକପାତ କରିଥିଲେ ।
ଉଦ୍ଯାପନୀ ଉତ୍ସବ ପୂର୍ବରୁ ଆଜି ଦୁଇଟି ଟେକ୍ନିକାଲ୍ ସେସନ୍ କରାଯାଇଥିଲା । ଏଥିରେ ‘ଫୋର୍ଥ ଇଣ୍ଡଷ୍ଟ୍ରିଆଲ୍ ରେଭୁଲେସନ୍: ଚ୍ୟାଲେଞ୍ଜସ୍ ଫର୍ ଆଣ୍ଡ ରେସପନ୍ସ୍ ଅଫ୍ ହାୟର ଏଜୁକେଶନ ’ ଓ ‘ପ୍ରମୋସନ୍ ଅଫ୍ ସ୍ପୋର୍ଟ ଆଣ୍ଡ୍ ବିଲ୍ଡିଂ ସ୍ପୋର୍ଟ କଲଚର୍ ଇନ୍ ହାୟର ଏଜୁକଶନ’ ଶୀର୍ଷକରେ ଆଲୋଚନା ହୋଇଥିଲା । ମଧ୍ୟପ୍ରଦେଶର ରବୀନ୍ଦ୍ରନାଥ ଟାଗୋର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଅଶୋକ କେ. ଗୱାଲ୍ ବିଶ୍ୱବିଦ୍ୟାଳୟରେ ଖେଳକୁ ପ୍ରାଧାନ୍ୟ ଦେବା ବିଷୟରେ ପାୱାର ପଏଣ୍ଟ ପ୍ରେଜେଣ୍ଟେସନ୍ ଦେଇଥିଲେ । ଇନ୍ଦିରା ଗାନ୍ଧି ନ୍ୟାସ୍ନାଲ୍ ଓପନ୍ ୟୁନିଭର୍ସିଟିର ପୂର୍ବତନ ଉପକୁଳପତି ପ୍ରଫେସର କେ. ଆର୍ ଶ୍ରୀଭାଥ୍ସନ୍ ଯୋଗ ଦେଇ ଏହି ବିଷୟବସ୍ତୁ ଉପରେ ମତ ଦେଇଥିଲେ ।