କରୋନା ଯୋଦ୍ଧା ପିଇଲେ ପାଇଖାନା ଘର ପାଣି, ସଂଗରୋଧ କେନ୍ଦ୍ରରେ ପ୍ରଶାସନର ହତାଦର

ପୁରୀ, ୫।୮: ପ୍ରଶାସନ ନିର୍ଦ୍ଦେଶକୁ ପାଳନ କଲେ । ସାହି, ଗଳି ବୁଲି ସେବା ଦେଲେ । ଏବେ ଏହି ନିର୍ଦ୍ଦେଶର ପରିଣାମ ସ୍ୱରୁପ କିଛି ପୌରସଂସ୍ଥା ପ୍ରଶାସନିକ କର୍ମଚାରୀ କରୋନା ପଜେଟିଭ୍‌ ଚିହ୍ନଟ ହୋଇଛନ୍ତି । ଏହି କରୋନା ଯୋଦ୍ଧାମାନେ ଏବେ କୋଭିଡ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି ହୋଇଛନ୍ତି । ପିଇବା ପାଣି ବ୍ୟବସ୍ଥା କରା ନ ଯିବାରୁ ଶେଷରେ ପାଇଖାନାରେ ଆସୁଥିବା ଟ୍ୟାପ୍‌ ପାଣିକୁ ବୋତଲରେ ପୂରାଇ ପିଇଛନ୍ତି ।
ଏହାକୁ ନେଇ ପୁରୀ ସରକାରୀ ମହିଳା କଲେଜ ହଷ୍ଟେଲରେ କରାଯାଇଥିବା କୋଭିଡ ହସ୍ପିଟାଲରେ କରୋନା ସଂକ୍ରମିତ କର୍ମଚାରୀ ଓ ଅନ୍ୟ ବ୍ୟକ୍ତିମାନଙ୍କ ଭିତରେ ଅସନ୍ତୋଷ ଦେଖାଦେଇଛି । ଅସନ୍ତୋଷ ପ୍ରକାଶ କରି ଏଠାରେ ଭର୍ତ୍ତି ହୋଇଥିବା ଜଣେ ଆକ୍ରାନ୍ତ ଏନେଇ ପୌରସଂସ୍ଥା ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ ସହାୟତା ନିମନ୍ତେ ଜଣାଇବାରେ ତାଙ୍କୁ ଦୁର୍ବ୍ୟବହାର ହୋଇଥିବା ମଧ୍ୟ ଅଭିଯୋଗ ହୋଇଛି ।

ତେଣେ କରୋନା ଚିହ୍ନଟ ପରେ ସିଧାସିଧା କର୍ମସ୍ଥଳରୁ ସଂଗରୋଧ କେନ୍ଦ୍ରକୁ ଆସୁଥିବା ପୁରୁଷ ଓ ମହିଳାଙ୍କୁ ଗୋଟିଏ ପୋଷାକରେ ରହିବାକୁ ବାଧ୍ୟ କରାଯାଉଥିବା ମଧ୍ୟ ଅଭିଯୋଗ ହୋଇଛି । ସେମାନଙ୍କ ପରିବାର ଲୋକଙ୍କ ଠାରୁ ଅଧିକ ବସ୍ତ୍ର ଏହି ହସ୍ପିଟାଲ ଗେଟ୍‌ ବାହାରୁ ଆଣିବାକୁ ଏଠାରେ ନିଯୁକ୍ତ କର୍ତ୍ତୃପକ୍ଷ ମନା କରିଦେଉଛନ୍ତି । ଗୋଟିଏ ହଳ ପୋଷାକରେ ଚଳିବା ଅସମ୍ଭବ ହୋଇପଡ଼ିଥିବା ଏଠାରେ ଚିକିତ୍ସା ନିମନ୍ତେ ଭର୍ତ୍ତି ଲୋକେ ଫୋନ୍‌ ଯୋଗେ ଅଭିଯୋଗ କରିଛନ୍ତି । ପାଇଖାନା ଘର ଟ୍ୟାପ୍‌ ପାଣି ପିଇବା ଓ ମଇଳା ଘରେ ଶୋଇବା ଏବେ କରୋନା ଯୋଦ୍ଧାଙ୍କ ଠାରୁ ଆରମ୍ଭ କରି ଅନ୍ୟ ଅନ୍ତେବାସୀଙ୍କ ନିମନ୍ତେ ଅସନ୍ତୋଷର କାରଣ ହୋଇଛି । ଏ ସମ୍ପର୍କିତ ଭିଡିଓ ଓ ଫଟୋ ସେମାନେ ଦେଇଛନ୍ତି । ସକାଳୁ ରାତି ପର୍ଯ୍ୟନ୍ତ ଲୋକେ ପିଇବା ପାଣି ନ ପାଇବା ପରେ ପ୍ରତିବାଦ କରିଥିଲେ । ଏଠାରେ ପାଣି ପ୍ୟୁରିଫାୟାର ଲଗାଯାଇଥିଲେ ହେଁ ପାଣି ବାହାରି ନ ଥିଲା । ଏନେଇ ଲୋକେ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରି ତୁରନ୍ତ ପିଇବା ପାଣି ଯୋଗାଇ ଦେବାକୁ କହିଥିଲେ ହେଁ କେହି ଦୁଃଖ ବୁଝି ନ ଥିଲେ । ତେବେ ଏନେଇ ଯୋଗାଯୋଗ ପରେ ପୌରସଂସ୍ଥା ଜନସ୍ୱାସ୍ଥ୍ୟ ଅଧିକାରୀ ସମସ୍ୟା ସମାଧାନ ନିମନ୍ତେ ପଦକ୍ଷେପ ନେବେ ବୋଲି କହିଛନ୍ତି । ଆଜି ଦିନକରେ ପୁରୀ ପୌରସଂସ୍ଥା ଅଫିସ୍‌ରୁ ୪ କରୋନା ପଜିଟିଭ୍‌ ଚିହ୍ନଟ ପରେ ଚଳିତ ମାସ ୭ ତାରିଖ ପର୍ଯ୍ୟନ୍ତ ଅଫିସ୍‌କୁ ବନ୍ଦ କରିଦିଆଯାଇଛି।

ସୂଚନା ମୁତାବକ ପୁରୀ ପୌରସଂସ୍ଥା ଅଫିସରେ କାର୍ଯ୍ୟରତ ୪ ଜଣ କର୍ମଚାରୀ ଆଜି ଏହି କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି । ଏଷ୍ଟାବ୍ଲିସମେଣ୍ଟ ସେକ୍ସନ, ଆକାଉଣ୍ଟ ସେକ୍ସନରେ ଏହି ସମସ୍ତ କର୍ମଚାରୀ ବୋଲି ସୂଚନା ମିଳିଛି । ଟେଷ୍ଟିଂ କିଟ୍‌ ସରିଯିବାରୁ କେତେକଙ୍କ ପରୀକ୍ଷା ହୋଇପାରିନି । ୩ ଦିନ ତଳେ ନିଆଯାଇଥିବା କର୍ମଚାରୀଙ୍କ ନମୁନାରୁ ପ୍ରଥମେ ଜଣଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିଲା । ତେଣୁ ପୂର୍ବାହ୍ନରେ ତାଙ୍କୁ ଅଫିସ୍‌ରୁ ଉଠାଇ ନିଆଯାଇଥିଲା । ପରେ ଅନ୍ୟମାନଙ୍କ ପରୀକ୍ଷା ଆରମ୍ଭ ହୋଇଥିଲା । ଏଥିରୁ କେତେଜଣଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିଲା । ଏଥିରେ ଦୁଇଜଣ ମହିଳା ରହିଥିବା ସୂଚନା ମିଳିଛି । ଏହାକୁ ନେଇ ପୌରସଂସ୍ଥା କାର୍ଯ୍ୟାଳୟରେ କୋକୁଆ ଭୟ ସୃଷ୍ଟି ହୋଇଛି । ପୂର୍ବରୁ ଏହି କାର୍ଯ୍ୟଳୟର ବିଭିନ୍ନ ବିଭାଗକୁ କାର୍ଯ୍ୟରେ ଯାତାୟାତ କରୁଥିବା ଜଣେ ଜମାଦାରଙ୍କ ନିକଟରେ ପଜିଟିଭ୍‌ ବାହାରିଥିଲା । ପରେ କିଛି ସ୍ୱଚ୍ଛସବାରୀ କର୍ମଚାରୀଙ୍କ ରିପୋର୍ଟ ପଜିଟିଭ ଆସିଥିଲା । ଏହା ପରେ ସେମାନଙ୍କ ସଂସ୍ପର୍ଶରେ ଆସିଥିବା କର୍ମଚାରୀଙ୍କ ନମୁନା ପରୀକ୍ଷା ଆରମ୍ଭ ହୋଇଥିଲା । ଶତ ପ୍ରତିଶତ କର୍ମଚାରୀଙ୍କୁ ନେଇ କାମ କରୁଥିବା ପୌର ପ୍ରଶାସନ ଏବେ ଏହି ବିପଦ କିପରି ମୁକାବିଲା କରିବ ସେହି ଚିନ୍ତାରେ ପଡ଼ିଛି ।

ସୂଚନା ମୁତାବକ ପୁରୀ ଜିଲ୍ଲାରେ ଦେଖାଦେଇଥିବା କରୋନା ଆକ୍ରାନ୍ତ ସଂଖ୍ୟା ମଧ୍ୟରୁ ପୁରୀ ପୌରାଂଚଳ ତଥା ସହରରେ ସର୍ବାଧିକ । ଆଜିସୁଦ୍ଧା ମିଳିଥିବା ପ୍ରଶାସନିକ ରିପୋର୍ଟ ମୁତାବକ ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତ ସଂଖ୍ୟା ୯୧୯ ହୋଇଥିବା ବେଳେ ଏହା ଭିତରୁ ପୁରୀ ସହରର ସର୍ବାଧିକ ୨୫୨ । ଏଠାରୁ ୧୧୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଏବେ ୧୪୨ ଚିକିତ୍ସାଧିନ ଅଛନ୍ତି । ୮ ସ୍ଥାନକୁ ସିଲ କରାଯାଇ କଣ୍ଟେନମେଟ ଜୋନ୍‌ ଘୋଷଣା କରାଯାଇଛି । ଆଜି ରିପୋର୍ଟରେ ୪ ଜଣ ଆକ୍ରାନ୍ତ ରହିଛନ୍ତି । ୱାର୍ଡ ନଂ ୫, ୧୬, ୧୭, ୨୭ର ଆକ୍ରାନ୍ତମାନେ ବୋଲି କୁହାଯାଇଛି ।

   ସମ୍ବନ୍ଧିତ ଖବର


ଆରମ୍ଭ ହେଲା ବାହା ଋତୁ: ‘କାହା ମନରେ ଜୁଆର, କାହା ମନରେ ଭଟ୍ଟା’

ନାବାଳିକାଙ୍କୁ ପ୍ରଲୋଭନ ଦେଖାଇ ନିଛାଟିଆ ରାସ୍ତାରେ ଦୁଷ୍କର୍ମ ଉଦ୍ୟମ: ଅଭିଯୁକ୍ତକୁ ବାନ୍ଧିଲା ପୁଲିସ୍

ରାଜ୍ୟରେ କରୋନା ନେଲା ଆଉ ୧୨ ମୁଣ୍ଡ: ମୃତକଙ୍କ ସଂଖ୍ୟା ୧୭୩୦କୁ ବୃଦ୍ଧି

୨୪ଘଣ୍ଟା ଆଉ ୫୫୦ ନୂଆ କରୋନା ପଜିଟିଭ ଚିହ୍ନଟ୍, ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୭ହଜାର ୭୮୯କୁ ବୃଦ୍ଧି

ଅବକାରୀ ଗୁଇନ୍ଦା ପଞ୍ଝାରେ ନିଶା ବେପାରୀ, ୪ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗର୍‌ ଜବତ

ଡିସେମ୍ବର ପହିଲାରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ କଲେଜ