‘ମହିଳା ଓ ଶିଶୁ ବିରୋଧୀ ହିଂସା ମାମଲାରେ କଠୋର ହୁଅ’-ମହିଳା ଆଇଆଇସିଙ୍କୁ ଶୁଭେଚ୍ଛା ଜଣାଇଲେ ଡିଜି

କଟକ,୮ା୩(ବ୍ୟୁରୋ): ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ରାଜ୍ୟର ବିଭିନ୍ନ ଥାନାଗୁଡ଼ିକରେ ଥାନା ଅଧିକାରୀ ଦାୟିତ୍ୱରେ ଥିବା ମହିଳା ଇନ୍ସପେକ୍ଟରମାନଙ୍କୁ ଡିଜି ଶ୍ରୀ ଅଭୟ ଶୁଭେଚ୍ଛା ଜଣାଇବା ସହ ମହିଳା ଓ ଶିଶୁ ବିରୋଧୀ ହିଂସା ମାମଲାରେ କଠୋର ହେବାକୁ ଆହ୍ୱାନ ଦେଇଛନ୍ତି । ଏହି ଅବସରରେ ଆଜି ପୁଲିସ୍ ମୁଖ୍ୟାଳୟରେ ଭିଡିଓ କନଫରେନସିଂ ମାଧ୍ୟମରେ ଡିଜି ଶ୍ରୀ ଅଭୟ ରାଜ୍ୟର ମହିଳା ଆଇଆଇସିମାନଙ୍କ ସହ ଆଇନ ଶୃଙ୍ଖଳା ସ୍ଥିତି, ଅପରାଧ ଦମନ ଆଲୋଚନା କରିଥିଲେ । କେବଳ ସେତିକି ନୁହେଁ, କର୍ମକ୍ଷେତ୍ରରେ ମହିଳା ଆଇଆଇସିମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ପ୍ରସଙ୍ଗରେ ଏସ୍ପିମାନଙ୍କ ଉପସ୍ଥିତିରେ ଆଲୋଚନା କରିଥିଲେ ।
ଓଡ଼ିଶାରେ ଏବେ ୧୦୦ରୁ ଅଧିକ ଥାନାରେ ଥାନା ଅଧିକାରୀ ଭାବେ ମହିଳା ଇନ୍ସପେକ୍ଟରମାନେ ଦାୟିତ୍ୱରେ ରହିଛନ୍ତି । ଏହା ମହିଳା ପୁଲିସ୍ କର୍ମଚାରୀଙ୍କ ମନରେ ଅଧିକ ଆତ୍ମବିଶ୍ୱାସ ସୃଷ୍ଟି କରିପାରିଛି ବୋଲି ଡିଜି କହିଛନ୍ତି । ଏହାକୁ ଦୃଷ୍ଟିରେ ରଖି ଥାନା ସ୍ତରରେ ବିଭିନ୍ନ କାର୍ଯ୍ୟ ପରିଚାଳନାରେ କିପରି ଅଧିକ ଉନ୍ନତି ଆସିପାରିବ ଏବଂ ମହିଳା ପୁଲିସ୍ କର୍ମଚାରୀମାନଙ୍କ ସମସ୍ୟାର ମୁକାବିଲା କରାଯାଇପାରିବ ସେ ଦିଗରେ ଅଧିକ ଗୁରୁତ୍ୱ ଦେବାକୁ ମହିଳା ଆଇଆଇସିମାନଙ୍କୁ ଡିଜି କହିଥିଲେ । ଅନ୍ୟପକ୍ଷରେ ମହିଳା ଓ ଶିଶୁ ହିଂସାକାଣ୍ଡ ରୋକିବା ଲାଗି ବିଦ୍ୟାଳୟ ଓ ମହାବିଦ୍ୟାଳୟସ୍ତରରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଇବା, ସାଇବର ମାମଲା ତଦନ୍ତରେ ମହିଳା ଅଫିସରମାନଙ୍କୁ ଅଧିକ ତାଲିମ ପ୍ରଦାନ, ଛାତ୍ରଛାତ୍ରୀମାନେ ସୋସିଆଲ୍ ମିଡିଆର ସଦୁପଯୋଗ ଓ ସୁରକ୍ଷିତ ଢଙ୍ଗରେ ବ୍ୟବହାର କରିବା, ବାହାରେ ଆଇନ ଶୃଙ୍ଖଳା ନିୟନ୍ତ୍ରଣ ଡ୍ୟୁଟିରେ ଥିବା ମହିଳା ପୁଲିସ୍ କର୍ମଚାରୀମାନଙ୍କ ଲାଗି ସ୍ୱତନ୍ତ୍ର ମୋବାଇଲ୍ ଶୌଚାଳୟ(ଟଏଲେଟ୍) ବନ୍ଦୋବସ୍ତ କରାଇବା, ଜିଲ୍ଲା ପୁଲିସ୍ ମୁଖ୍ୟାଳୟରେ ମହିଳା ପୁଲିସ୍ କର୍ମଚାରୀଙ୍କ ପାଇଁ ବାରାକ୍ ବ୍ୟବସ୍ଥା ଏବଂ ମହିଳା ଅଫିସରମାନଙ୍କ ପାଇଁ ଅଫିସର୍ସ କ୍ଲବ୍ର ବନ୍ଦୋବସ୍ତ କରାଇବା, ମହିଳା ହିଂସାକାଣ୍ଡ ଅପରାଧର ତଦନ୍ତ ଲାଗି ଗୁଣାତ୍ମକ ତାଲିମ୍ ପ୍ରଦାନ, ମହିଳା ପୁଲିସ୍ କର୍ମଚାରୀଙ୍କୁ ଆତ୍ମରକ୍ଷା ତାଲିମ୍ ପ୍ରଦାନ ଆଦି ବିଭିନ୍ନ ପ୍ରସଙ୍ଗରେ ଡିଜି ମହିଳା ଆଇଆଇସିମାନଙ୍କ ସହ ଆଲୋଚନା କରିଥିଲେ । ସୂଚନାଯୋଗ୍ୟ, ରାଜ୍ୟ ପୁଲିସ୍ ବାହିନୀରେ ମହିଳା ପୁଲିସ୍ ଅଫିସରମାନେ ବିଭିନ୍ନ ଥାନାସ୍ତରରେ ଆଇନ୍ ଶୃଙ୍ଖଳା ନିୟନ୍ତ୍ରଣଠାରୁ ଆରମ୍ଭ କରି ଅପରାଧ ତଦନ୍ତ ଏବଂ ଅପରାଧୀଙ୍କୁ ଠାବ କରିବା କ୍ଷେତ୍ରରେ ସଫଳତାର ସହ କାର୍ଯ୍ୟ କରି ନିଜର ଦକ୍ଷତା ପ୍ରତିପାଦନ କରିପାରିଛନ୍ତି ବୋଲି ବରିଷ୍ଠ ଅଫିସରମାନେ କହିଛନ୍ତି । ଏହି ଭିଡିଓ କନଫରେନସିଂରେ ରାଜ୍ୟ ପୁଲିସ୍ ବାହିନୀର ବିଭିନ୍ନ ସଂସ୍ଥାର ଅଧିକାରୀମାନେ ସାମିଲ ହୋଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।