କରୋନା ମୁକାବିଲା ପାଇଁ ଠିକାରେ ନିଯୁକ୍ତି ହେବେ ଡାକ୍ତର: ଆଗ୍ରହୀ ବ୍ୟକ୍ତିବିଶେଷ ମାନେ ସିଡିଏମ୍‌, ପିଏଚ୍‌ଓ ଅଫିସ୍‌ରେ କରିପାରିବେ ଆବେଦନ

ଭୁବନେଶ୍ୱର୨୬/୩: ରାଜ୍ୟରେ କରୋନା ସନ୍ଦିଗ୍ଧଙ୍କ ସଂଖ୍ୟା ବଢ଼ିବା ପରେ ସରକାର ଭିତ୍ତିଭୂମି ମଜବୁତ୍‌ କରିବାକୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ପୂର୍ବରୁ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ କ୍ୟାମ୍ପ୍‌ କରି ବେଡ୍‌ ସଂଖ୍ୟା ବଢ଼ାଯାଇଥିବାବେଳେ ଏବେ ଡାକ୍ତର, ଷ୍ଟାଫ୍‌ ନର୍ସ, ଲାବ୍ରୋଟୋରି ଟେକ୍ନିସିଆନ୍‌ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏସମ୍ପର୍କରେ ସ୍ୱାସ୍ଥ୍ୟ ବିଭାଗ ୱେବ୍‌ସାଇଟ୍‌ରେ ବିଜ୍ଞପ୍ତି ପ୍ରକାଶ ପାଇଛି । ଅବସରପ୍ରାପ୍ତ ଡାକ୍ତର ମଧ୍ୟ ଏହି ପଦବି ପାଇଁ ଆବେଦନ କରିପାରିବେ । ଡାକ୍ତରମାନେ ୩ ମାସ ପାଇଁ ଠିକାରେ କାମ କରିବେ । ଆବଶ୍ୟକ ପଡ଼ିଲେ ସରକାର ଏହି ତିନି ମାସର ଅବଧିକୁ ବଢ଼ାଇ ପାରିବେ ।

ସ୍ୱାସ୍ଥ୍ୟ ବିଭାଗର ବିଜ୍ଞପ୍ତି ଅନୁସାରେ, ବିଶେଷଜ୍ଞ ଡାକ୍ତରଙ୍କୁ ଦୈନିକ ପାଞ୍ଚ ହଜାର ଟଙ୍କାଙ୍କ ପାରିତୋଷିକ ପ୍ରଦାନ କରାଯିବ। ସେହିଭଳି ଏମ୍‌ବିବିଏସ୍‌ ଡିଗ୍ରୀଧାରୀ ମେଡିକାଲ୍‌ ଅଫିସରଙ୍କୁ ଦୈନିକ ତିନି ହଜାର ଟଙ୍କାର ପାରିତୋଷିକ ମିଳିବ । ପାରା ମେଡିକାଲ୍‌ ଷ୍ଟାଫ୍‌ ଅଭାବ ଦୂର କରିବାକୁ ଷ୍ଟାଫ୍‌ ନର୍ସଙ୍କୁ ମଧ୍ୟ ନିଯୁକ୍ତି ଦିଆଯିବ । ଏମାନଙ୍କୁ ପାରିତୋଷିକ ହିସାବରେ ଦୈନିକ ୧ ହଜାର ଟଙ୍କା ପ୍ରଦାନ କରାଯିବ । ଫାର୍ମାସିଷ୍ଟ ଓ ରେଡିଓଗ୍ରାଫ୍‌ରଙ୍କୁ ମଧ୍ୟ ଦୈନିକ ୧ ହଜାର ଟଙ୍କା ଲେଖାଏଁ ଦିଆଯିବ । ହେଲ୍‌ଥ ୱାର୍କର (ପୁରୁଷ/ମହିଳା) ଙ୍କୁ ୮୫୦ ଟଙ୍କା ଲେଖାଏଁ ଦିନକୁ ମିଳିବ । ଏଥିପାଇଁ ଆଗ୍ରହୀ ବ୍ୟକ୍ତିବିଶେଷମାନେ ସିଡିଏମ୍‌ ଓ ପିଏଚ୍‌ଓ ଅଫିସ୍‌ରେ ଆବେଦନ କରିପାରିବେ । ସମସ୍ତଙ୍କ ଶିକ୍ଷାଗତ ଯୋଗ୍ୟତା, ବୟସ, ପରିଚୟ ସହ ଓଡ଼ିଶା ମେଡିକାଲ୍‌ କାଉନସିଲ୍‌ର ପଞ୍ଜୀକୃତ ସାର୍ଟିଫିକେଟ୍‌ ନକଲ କପି ସହ ଆବେଦନ କରିବାକୁ ପଡ଼ିବ ।

   ସମ୍ବନ୍ଧିତ ଖବର


ନନ୍ଦନକାନନରେ ଶାଗୁଣା ମୃତ: ରଣପୁରରୁ ହୋଇଥିଲା ଉଦ୍ଧାର

କର୍ତ୍ତବ୍ୟ ଆଗ, ନାହିଁ କରୋନାକୁ ଡର : ସଂକ୍ରମଣକୁ ଖାତିର ନକରି କାମ କରିଚାଲିଛନ୍ତି ସଫେଇ କର୍ମଚାରୀ

ବ୍ୟାଙ୍କ ମ୍ୟାନେଜରଙ୍କୁ ମହଙ୍ଗା ପଡିଲା ଅନ୍‌ଲାଇନ୍‌ରେ ମଦ କିଣା, ୧୯ ହଜାର ଠକିନେଲେ

ନଟ୍ ଆଉଟ୍!… କରୋନା ନୁହେଁ ସନ୍ଦିଗ୍ଧ