PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରଙ୍ଗେଇଲୁଣ୍ଡା: ହଳଦିଆପଦର ନିକଟରେ ଟ୍ରାକ୍ଟର ସହ ଅଟୋ ଦୁର୍ଘଟଣା, ୩ ମହିଳା ମତ୍ସ୍ୟଜୀବୀ ଗୁରୁତର
  • ||
  • ସୋର: ହାଇଦର୍ ଏନ୍‌କାଉଣ୍ଟର ସ୍ଥଳରୁ ୨ଟି ଗୁଳି ଜବତ କଲା ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌
  • ||
  • ଭୁବନେଶ୍ୱର: ଓଡ଼ିଶାରେ ଆଉ ୬୭ଜଣଙ୍କ ଜୀବନ ନେଲା କରୋନା, ସାଢ଼େ ୫ ହଜାର ଟପିଲା ମୃତ୍ୟୁସଂଖ୍ୟା
  • ||
  • ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୩୩ ଜଣ କରୋନା ପଜିଟିଭ୍
  • ||
  • ଭୁବନେଶ୍ୱର : ରାଜଧାନୀରେ କାୟା ମେଲାଉଛି ଡେଙ୍ଗୁ, ୧୨ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫୦ ପାର୍
  • ||
  • ପାରଳାଖେମୁଣ୍ଡି : ଏସିଏଫ୍‌ ସୌମ୍ୟରଞ୍ଜନ ଡେଥ୍ ମିଷ୍ଟ୍ରି, ବଲାଙ୍ଗୀରରେ ପାରଳା ପୁଲିସର ୫ଜଣିଆ ଟିମ୍‌, ବିଦ୍ୟାଙ୍କ ପାର୍ଟି ସହ ସୌମ୍ୟ ମୃତ୍ୟୁର ଲିଙ୍କ୍‌ ଖୋଜିବ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୩୩ ଜଣ କରୋନା ପଜିଟିଭ୍
  • ||
  • ଜଳେଶ୍ଵର : ମନ୍ଦାର ଫୁଲ ଗଛ କଟାକୁ ନେଇ ଶଳାକୁ ଭିଣୋଇର ସଙ୍ଘବଦ୍ଧ ଆକ୍ରମଣ, ସଜ୍ଞାହୀନ ଅବସ୍ଥାରେ ନଦୀ କୂଳରୁ ଉଦ୍ଧାର
  • ||
  • ଭୁବନେଶ୍ୱର : ୨୮ରେ ପୁଣି ଏକ ଲଘୁଚାପ, ୨୭ରୁ ବଢ଼ିବ ବର୍ଷା
  • ||

ଲକ୍‌ଡାଉନ୍‌ରେ ମିଡ୍‌ ଡେ ମିଲ୍‌ ସ୍କିମ୍‌ ବାଧାପ୍ରାପ୍ତ : ପିଲାଙ୍କଠୁ ଛଡ଼ାଇନେଲା ଆହାର

ମୁମ୍ବାଇ,୫।୮ : ସମୀକ୍ଷା ଅତୁଲ ଦେବ୍ରେ ତା’ ସ୍କୁଲ ମଧ୍ୟାହ୍ନ ଭୋଜନରେ ଦିଆଯାଉଥିବା ଗରମ ଖେଚୁଡ଼ିର ସ୍ୱାଦ ଭୁଲିଗଲାଣି । କରୋନା ମହାମାରୀ ଯୋଗୁ ମାର୍ଚ୍ଚ ୧୦ରେ ସ୍କୁଲ ବନ୍ଦ ହେବା ପରଠାରୁ ଏହି ଷଷ୍ଠ ଶ୍ରେଣୀର ଛାତ୍ରୀ ମହାରାଷ୍ଟ୍ର ଜଲଗାଁଓ ଜିଲ୍ଲା ଭାରୁଖେଡ଼ା ଗାଁସ୍ଥିତ ଜିଲ୍ଲା ପରିଷଦ ପ୍ରାଥମିକ ସ୍କୁଲକୁ ଯାଇନି । ଜଣେ କ୍ଷୁଦ୍ର ତୁଳା ଚାଷୀର ଝିଅ ସମୀକ୍ଷା କୁହେ, “ପ୍ରତିଦିନ ସ୍କୁଲରେ ଭଲ ମଧ୍ୟାହ୍ନ ଭୋଜନ ମିଳେ, ଏଣୁ ମୁଁ ନିୟମିତ ଯାଏ । ସ୍କୁଲରେ ଆମକୁ କେବେ ଖେଚୁଡ଼ି ଦିଆଯାଏ ତ’ ପୁଣି କେବେ ଡାଲି-ଭାତ କିମ୍ବା ଭାତ-ଭଜା ଖାଇବାକୁ ମିଳେ।”

ସ୍କୁଲ ଆସୁଥିବା ପିଲାଙ୍କୁ ମିଡ୍‌ ଡେ ମିଲ୍‌ (ଏମ୍‌ଡିଏମ୍‌) ସ୍କିମ୍‌ରେ ମିଳୁଥିବା ପୋଷଣଯୁକ୍ତ ଖାଦ୍ୟରୁ ସମୀକ୍ଷା ଉପକୃତ ହେଉଥିବା ନେଇ ତା’ର ପରିବାର ବେଶ ଖୁସି ଥିଲେ । ଗରିବ ପରିବାର ପାଇଁ ଏମ୍‌ଡିଏମ୍‌ ସ୍କିମ୍‌ ଏକ ବଡ଼ ସାହସ, କାରଣ ଏହା ପିଲାମାନଙ୍କୁ ପୋଷକ ଖାଦ୍ୟ ଯୋଗାଣ ନେଇ ପିତାମାତାଙ୍କ ବୋଝକୁ ହାଲକା କରିଥାଏ । କିନ୍ତୁ କରୋନା ମହାମାରୀ କାରଣରୁ ମାର୍ଚ୍ଚ ୨୪ରେ କେନ୍ଦ୍ର ସରକାର ଦେଶବ୍ୟାପୀ ଲକ୍‌ଡାଉନ୍‌ ଘୋଷଣା କରିବା ପରେ ଆନ୍ତର୍ଜାତିକ ଖ୍ୟାତି ଅର୍ଜିଥିବା ଏହି ସ୍କିମ୍‌ ଏବେ ବାଧାପ୍ରାପ୍ତ ହୋଇଛି ।
ଲକ୍‌ଡାଉନ୍‌ ସମୟରେ ଯେଭଳି ପିଲାମାନେ ଭୋକରେ ନ ରହିବେ, ତାହା ସୁନିଶ୍ଚିତ କରିବା ଲକ୍ଷ୍ୟରେ ମିଡ୍‌ ଡେ ମିଲ୍‌ ସ୍କିମ୍‌କୁ ଚାଲୁ ରଖିବା ପାଇଁ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ‘ନିଶଙ୍କ’ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦେଇଥିଲେ । ଯଦିଓ ଏହି ସ୍କିମ୍‌ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ପାଣ୍ଠି ଯୋଗାଇଥାନ୍ତି, ଏହାର କାର୍ଯ୍ୟକାରିତା କିନ୍ତୁ ସମ୍ପୂର୍ଣ୍ଣ ଭାବେ ରାଜ୍ୟ ଉପରେ ନ୍ୟସ୍ତ । ଏପରିକି ଗ୍ରୀଷ୍ମ ଛୁଟିରେ ମଧ୍ୟ ପିଲାମାନଙ୍କୁ ସେମାନଙ୍କ ମଧ୍ୟାହ୍ନ ଭୋଜନ ବାବଦରେ ଟଙ୍କା କିମ୍ବା ଅନ୍ୟ କୌଣସି ବିକଳ୍ପ ଆକାରରେ ଯୋଗାଇ ଦେବାକୁ ଏପ୍ରିଲ ୨୮ରେ ରାଜ୍ୟ ଶିକ୍ଷା ମନ୍ତ୍ରୀମାନଙ୍କର ଭର୍ଚୁଆଲ ବୈଠକରେ ପୋଖରିୟାଲ ନିର୍ଦ୍ଦେଶ ଦେଇଥିଲେ ।

କରୋନା କାଳରେ ଏମ୍‌ଡିଏମ୍‌ର ବିକଳ୍ପ ଭାବେ ଛାତ୍ରଛାତ୍ରୀଙ୍କୁ ପ୍ୟାକେଟ୍‌ ଖାଦ୍ୟ, ସମାନ ପରିମାଣର ଖାଦ୍ୟଶସ୍ୟ ଅଥବା ପିତାମାତାଙ୍କ ବ୍ୟାଙ୍କ ଖାତାକୁ ଏହି ବାବଦରେ ଅର୍ଥ ପଠାଇବାକୁ ନିଷ୍ପତ୍ତି ହୋଇଥିଲା । ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ପ୍ରତି ମିଲ୍‌ ପିଛା ପ୍ରାଥମିକ ସ୍କୁଲ ଛାତ୍ରଛାତ୍ରୀଙ୍କୁ ୪.୯୭ ଟଙ୍କା ଓ ଉଚ୍ଚ ପ୍ରାଥମିକ ସ୍କୁଲ ପାଇଁ ୭.୪୫ ଟଙ୍କା ଧାର୍ଯ୍ୟ ହୋଇଛି । ସ୍କିମ୍‌ ଉଦ୍ଦେଶ୍ୟରେ କେତେ ପରିମାଣର ଅର୍ଥ ଆବଣ୍ଟନ କରିବାକୁ ହେବ, ତାହା ରାଜ୍ୟଗୁଡ଼ିକ ହିସାବ କରିଥାନ୍ତି । କିନ୍ତୁ ପିଲାଙ୍କ ପେଟରେ ଦାନା ଦେବା ଉଦ୍ଦେଶ୍ୟରେ ସବୁ ରାଜ୍ୟ କେନ୍ଦ୍ରର ନିର୍ଦ୍ଦେଶ ନେଇ ତତ୍କାଳ ପ୍ରତିକ୍ରିୟା ରଖିଲେ ନାହିଁ ।

ଲକ୍‌ଡାଉନ୍‌ ପିଲାଙ୍କ ମୁହଁରୁ ଆହାର ଛଡ଼ାଇନେବାର ଜ୍ୱଳନ୍ତ ଉଦାହରଣ ହେଉଛି ସମୀକ୍ଷା । କେବଳ ସେ ନୁହେଁ, ଜଲଗାଁଓ ଜିଲ୍ଲା ଭକୋଡ ଗ୍ରାମର ସପ୍ତମ ଶ୍ରେଣୀ ଛାତ୍ର ଜୟ ତାୱଡ଼ି ମଧ୍ୟ ସମାନ ସ୍ଥିତି ଦେଇ ଗତି କରୁଛି । ଦିନକୁ ୧୦୦/୧୫୦ ଟଙ୍କାରେ ୪ ପ୍ରାଣୀ କୁଟୁମ୍ବ ଚଳାଉଥିବା କୃଷି ଶ୍ରମିକର ପୁଅ ଜୟ କହେ, ଗରମ ଖାଦ୍ୟ ଓ ସାଙ୍ଗମାନଙ୍କୁ ଭେଟିବାର ସୁଯୋଗ ମିଳୁଥିବାରୁ ପ୍ରତିଦିନ ୮ କିଲୋମିଟର ଦୂର ସ୍କୁଲକୁ ଯାଇଥାଏ । କେବେ କେବେ ସେ ସ୍କୁଲରୁ ମିଳୁଥିବା ମଧ୍ୟାହ୍ନ ଭୋଜନକୁ ଟିଫିନ୍‌ରେ ଭରି ଆଣିଥାଏ, ଯାହାକୁ ଘରେ ମୋ ସାନ ଭଉଣୀ ସହ ମିଶି ଖାଏ । କିନ୍ତୁ ଲକ୍‌ଡାଉନ୍‌ ଯୋଗୁ ତା’ ବାପାଙ୍କର ସୀମିତ ଆୟ ବି ବନ୍ଦ ହୋଇଯାଇଛି । ଏବେ ଏଭଳି ପରିବାର ପାଇଁ ଅଳ୍ପ ସମୟ ପାଇଁ ହେଉ ପଛେ ଏମ୍‌ଡିଏମ୍‌ ସ୍କିମ୍‌ ହିଁ ଖାଦ୍ୟର ଏକମାତ୍ର ଉତ୍ସ ହୋଇପାରିଥାନ୍ତା । କିନ୍ତୁ ସେଥିରୁ ବି ଜୟ ବଞ୍ଚିତ ହୋଇଛି ।

ମହାରାଷ୍ଟ୍ରର ପ୍ରାୟ ୧.୦୮ କୋଟି ଏମ୍‌ଡିଏମ୍‌ ହିତାଧିକାରୀ ଛାତ୍ରଛାତ୍ରୀ ମାର୍ଚ୍ଚ ପରଠାରୁ ସ୍କିମ୍‌ର ଫାଇଦା ପାଇବାରୁ ବଞ୍ଚିତ ହୋଇଛନ୍ତି । କିନ୍ତୁ ମହାରାଷ୍ଟ୍ର ସରକାର କହୁଛନ୍ତି, ମାର୍ଚ୍ଚ ମାସରେ ୨ ସପ୍ତାହ ପାଇଁ ଗ୍ରାମୀଣ ସ୍କୁଲର ପିଲାମାନଙ୍କୁ ଖାଦ୍ୟ ଶସ୍ୟ ଯୋଗାଇ ଦିଆଯାଇଛି । ତଥାପି ଏହାପରଠାରୁ ପିଲାମାନେ ଏକ ପୋଷକ ଖାଦ୍ୟ ପାଇବାରୁ ବଞ୍ଚିତ ହୋଇଛନ୍ତି । କରୋନା ମହାମାରୀ ବେଳେ ଏମ୍‌ଡିଏମ୍‌ ସ୍କିମ୍‌କୁ ଅଣଦେଖା କରିଥିବା ରାଜ୍ୟଗୁଡ଼ିକ ମଧ୍ୟରୁ ମହାରାଷ୍ଟ୍ର ଅନ୍ୟତମ । ତଥ୍ୟ ଦର୍ଶାଉଛି, ଉତ୍ତର ପ୍ରଦେଶ, ଗୋଆ, ତାମିଲନାଡ଼ୁ ଓ ତେଲଙ୍ଗାନା ମଧ୍ୟ ଜୁଲାଇ ୧୦ ତାରିଖ ସୁଦ୍ଧା ସ୍କୁଲ ପିଲାମାନଙ୍କ ପାଖରେ ଏମ୍‌ଡିଏମ୍‌ ଫାଇଦା ପହଞ୍ଚାଇବା ନେଇ କୌଣସି ପଦକ୍ଷେପ ନେଇନାହାନ୍ତି । ଏସବୁ ରାଜ୍ୟରେ ଏମ୍‌ଡିଏମ୍‌ ଅଧୀନରେ ପ୍ରାୟ ୩.୫ କୋଟି ହିତାଧିକାରୀ ଛାତ୍ରଛାତ୍ରୀ ରହିଛନ୍ତି । ଜୁଲାଇ ଶେଷ ଭାଗ ବେଳକୁ ତାମିଲନାଡ଼ୁ ଓ ଉତ୍ତର ପ୍ରଦେଶ ସରକାର ପିଲାଙ୍କୁ ଏମ୍‌ଡିଏମ୍‌ ବାବଦ ଖାଦ୍ୟଶସ୍ୟ ଓ ଡାଲି ଯୋଗାଇବା ଆରମ୍ଭ କରିଛନ୍ତି । ପଞ୍ଜାବ କେବଳ ମାର୍ଚ୍ଚ ୨୩ରୁ ଏପ୍ରିଲ ୧୫ ଅବଧି ପାଇଁ ଛାତ୍ରଛାତ୍ରୀଙ୍କୁ ଖାଦ୍ୟଶସ୍ୟ ଓ ରାସନ୍‌ ଯୋଗାଇଛି । ରାଜସ୍ଥାନ ସରକାର ଜୁନ୍‌ ୧୧ରୁ ଛାତ୍ରଛାତ୍ରୀଙ୍କୁ ଏମ୍‌ଡିଏମ୍‌ ବାବଦରେ ମିଲ୍‌ କିମ୍ବା ଏବାବଦ ଟଙ୍କା ଯୋଗାଣ ଆରମ୍ଭ କରିଛନ୍ତି । ଏମ୍‌ଡିଏମ୍‌ ସ୍କିମ୍‌କୁ କାର୍ଯ୍ୟକାରୀ କରିବାରେ ଛତିଶଗଡ଼, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ଗୁଜରାଟ, ମଧ୍ୟପ୍ରଦେଶ, ଓଡ଼ିଶା ଓ ଉତ୍ତରାଖଣ୍ଡର ପ୍ରଦର୍ଶନ ବେଶ୍‌ ଉତ୍ତମ ରହିଛି । ଏମାନଙ୍କ ମଧ୍ୟରୁ ମଧ୍ୟପ୍ରଦେଶ, ଉତ୍ତରାଖଣ୍ଡ, ଓଡ଼ିଶା ଓ ଗୁଜରାଟ ପିଲାମାନଙ୍କୁ ଖାଦ୍ୟଶସ୍ୟ ଓ ରନ୍ଧା ଖର୍ଚ୍ଚ ଦେଇଥିବା ବେଳେ ଆନ୍ଧ୍ରପ୍ରଦେଶ, ଛତିଶଗଡ଼ ଓ କର୍ଣ୍ଣାଟକ ଖାଇବା ତେଲ, ସୋୟାବିନ୍‌ ଓ ଡାଲି ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇଛନ୍ତି । ଆନ୍ଧ୍ରପ୍ରଦେଶ ଏକମାତ୍ର ରାଜ୍ୟ ଭାବେ ଏସବୁ ସାମଗ୍ରୀ ସମେତ ଏମ୍‌ଡିଏମ୍‌ ବାବଦରେ ନିଜସ୍ୱ ସମ୍ବଳରୁ ଅଣ୍ଡା ଓ ଚିକି (ବାଦାମ ଓ ଗୁଡ଼ରେ ତିଆରି ମିଠା) ମଧ୍ୟ ଯୋଗାଇଛି ।

ବିହାର ସରକାର ମାର୍ଚ୍ଚ ୧୪ରୁ ୩୧ ତାରିଖ ପର୍ଯ୍ୟନ୍ତ ଏମ୍‌ଡିଏମ୍‌ ବାବଦରେ ଏପ୍ରିଲରେ ସରକାରୀ ସ୍କୁଲର ଛାତ୍ରଛାତ୍ରୀଙ୍କ ପରିବାର ବ୍ୟାଙ୍କ ଖାତାକୁ ୩୭୮.୭୦ କୋଟି ଟଙ୍କା ପ୍ରଦାନ କରିଛନ୍ତି । କିନ୍ତୁ ଔରଙ୍ଗାବାଦ ଜିଲ୍ଲା ଓବରାରେ ରହୁଥିବା ସୁନିଲ ପାଣ୍ଡେ ତାଙ୍କ ୨ ପିଲାଙ୍କ ପାଇଁ ମିଳିଥିବା ୧୧୪ ଟଙ୍କାକୁ କିଭଳି ଉଠାଇବେ ଚିନ୍ତା କରିପାରୁନାହାନ୍ତି । ଯଦିଓ ବ୍ୟାଙ୍କ ଶାଖା ତାଙ୍କ ଘରଠାରୁ ୨ କିଲୋମିଟର ଦୂରରେ ଅବସ୍ଥିତ, ସେଠାକୁ ଗଲେ ସଂକ୍ରମଣର ଆଶଙ୍କାକୁ ସେ ଏଡ଼ାଇପାରୁନାହାନ୍ତି । ଏହି ଭୟରେ ସେ ଏମ୍‌ଡିଏମ୍‌ ଟଙ୍କା ଉଠାଇ ପାରି ନ ଥିବା କହିଛନ୍ତି । ମାନବସମ୍ବଳ ବିକାଶ ମନ୍ତ୍ରାଳୟର ଜଣେ ଅଧିକାରୀ କହିଛନ୍ତି, ଏମ୍‌ଡିଏମ୍‌ ସ୍କିମ୍‌ କାର୍ଯ୍ୟକାରୀ କରିବା ପାଇଁ ଆମେ ରାଜ୍ୟଗୁଡ଼ିକୁ ବାରମ୍ବାର ମନେ ପକାଇଛୁ ଏବଂ ସେମାନେ ନେଇଥିବା ପଦକ୍ଷେପ ସମ୍ପର୍କରେ ତଥ୍ୟ ଦେବାକୁ ତାଗିଦ୍‌ କରିଛୁ । କିନ୍ତୁ ଅନେକ ଏହାର କୌଣସି ପ୍ରତ୍ୟୁତ୍ତର ଦେଇନାହାନ୍ତି । ଏମ୍‌ଡିଏମ୍‌ ସ୍କିମ୍‌କୁ କାର୍ଯ୍ୟକାରୀ କରିବା ରାଜ୍ୟଗୁଡ଼ିକ କାମ । ଆମେ କେବଳ ରାଜ୍ୟଗୁଡ଼ିକୁ ଟଙ୍କା ଓ ଖାଦ୍ୟଶସ୍ୟ ଆବଣ୍ଟନ କରିପାରିବୁ । ଯଥା ସମୟରେ ପିଲାମାନଙ୍କ ପରିବାର ନିକଟରେ ଶୁଖିଲା ରାସନ୍‌ ଓ ଟଙ୍କା ପହଞ୍ଚାଇବାକୁ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି । କେନ୍ଦ୍ର ଏହାଠୁ ଅଧିକ କିଛି କରିପାରିବ ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ ପୋଖରିୟାଲ କହିଛନ୍ତି ।

ଜୁଲାଇ ୩୧ରେ କେନ୍ଦ୍ର ମାନବସମ୍ବଳ ବିକାଶ ମନ୍ତ୍ରାଳୟର ସଦ୍ୟତମ ଆଦେଶ ମୁତାବକ, ସ୍କୁଲଗୁଡ଼ିକ ଅଗଷ୍ଟ ୩୧ ଯାଏ ବନ୍ଦ ରହିବ । ଏଣୁ ଚଳିତ ମାସ ୧୦ ତାରିଖ ସୁଦ୍ଧା ଅଗଷ୍ଟ ଯାଏଁର ଏମ୍‌ଡିଏମ୍‌ ବାବଦ ରାସନ୍‌ ଓ ରନ୍ଧା ଖର୍ଚ୍ଚ ପିଲାମାନଙ୍କ ପରିବାରକୁ ବାଣ୍ଟିବା ପାଇଁ ମନ୍ତ୍ରାଳୟ ରାଜ୍ୟଗୁଡ଼ିକୁ ପରାମର୍ଶ ଦେଇଛି । ଯେହେତୁ ଲକ୍‌ଡାଉନ୍‌ ଲୋକମାନଙ୍କର ଜୀବନ ଓ ଜୀବିକାକୁ ବହୁଳ ଭାବେ ପ୍ରଭାବିତ କରିଛି, ଏପରି ସମୟରେ ଗରିବ ପରିବାରର ପିଲାଙ୍କ ପାଇଁ ମିଡ୍‌ ଡେ ମିଲ୍‌ ସ୍କିମ୍‌ ଏକ ବଡ଼ ସହାୟତା ହେବ ।

ସମ୍ବନ୍ଧିତ ଖବର