ସର୍ବନିମ୍ନ ମୃତ୍ୟୁ ହାର ଥିବା ଦେଶ ମଧ୍ୟରେ ଭାରତ : ଆକ୍ରାନ୍ତ ସଂଖ୍ୟା ୨୭ ଲକ୍ଷ ପାର୍‌

ନୂଆଦିଲ୍ଲୀ,୧୯।୮: ଭାରତରେ ମୋଟ କରୋନା ସଂକ୍ରମିତ ସଂଖ୍ୟା ୨୭ ଲକ୍ଷ ପାର୍‌ କରିଛି । ଗତ ୨୪ ଘଣ୍ଟାରେ ୫୫,୦୭୯ ନୂଆ ମାମଲା ଚିହ୍ନଟ ହେବା ପରେ ମୋଟ ଆକ୍ରାନ୍ତ ସଂଖ୍ୟା ୨୭,୦୨,୭୪୨ରେ ପହଞ୍ଚିଛି । କରୋନା ଗ୍ରାଫ୍‌ର ଶୀର୍ଷରେ ଥିବା ଆମେରିକାରେ ମୋଟ ଆକ୍ରାନ୍ତ ସଂଖ୍ୟା ୫୬ ଲକ୍ଷରୁ ଅଧିକ ରହିଥିବା ବେଳେ ଦ୍ୱିତୀୟ ସ୍ଥାନରେ ଥିବା ବ୍ରାଜିଲରେ ଏହି ସଂଖ୍ୟା ୩୩.୬୦ ଲକ୍ଷରୁ ଅଧିକ ରହିଛି । ଏବେ ବ୍ରାଜିଲ ତୁଳନାରେ ଭାରତରେ ଦୈନିକ ରୋଗୀ ସଂଖ୍ୟା ଅଧିକ ହାରରେ ବଢୁଥିବାରୁ ଭାରତ ଶୀଘ୍ର ଦ୍ୱିତୀୟ ସ୍ଥାନକୁ ଯିବ ବୋଲି ଆଶଙ୍କା କରାଯାଉଛି । ସଂକ୍ରମିତ ସଂଖ୍ୟାରେ ବ୍ରାଜିଲଠାରୁ ଭାରତ ଏବେ ପାଖାପାଖି ୬ ଲକ୍ଷ ପଛରେ ରହିଛି । ଭାରତରେ ଏବେ ପ୍ରତି ଦୁଇଦିନରେ ଲକ୍ଷେ ଆକ୍ରାନ୍ତ ହେଉଛନ୍ତି ।

ଭାରତରେ ମୋଟ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଏବେ ସୁଦ୍ଧା ୧୯.୭୭ ଲକ୍ଷ ଲୋକ ସୁସ୍ଥ ହୋଇଛନ୍ତି । ଫଳରେ ଆରୋଗ୍ୟ ହାର ୭୩.୧୮ ପ୍ରତିଶତ ରହିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରିପୋର୍ଟ ମୁତାବକ ଦେଶରେ ଗତ ୨୪ ଘଣ୍ଟାରେ ୮୭୬ ଲୋକ କରୋନା ଯୋଗୁ ପ୍ରାଣ ହରାଇଛନ୍ତି । ଫଳରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୫୧,୭୯୭କୁ ବୃଦ୍ଧି ପାଇଛି । ସେହି ହିସାବରେ ମୃତ୍ୟୁ ହାର ୧.୯୨ ପ୍ରତିଶତରେ ଅପରିବର୍ତ୍ତିତ ରହିଛି । ଏବେ ୬,୭୩,୧୬୬ ଲୋକଙ୍କ ଚିକିତ୍ସା ଜାରି ରହିଛି, ଯାହା କି ମୋଟ ମାମଲାର ୨୪.୯୧ ପ୍ରତିଶତ । ୧୯,୭୭,୭୭୯ ରୋଗୀ ଆରୋଗ୍ୟ ହୋଇସାରିଲେଣି । ଆଇସିଏମ୍‌ଆର୍‌ ତଥ୍ୟ ମୁତାବକ ଦେଶରେ ଅଗଷ୍ଟ ୧୭ ସୁଦ୍ଧା ମୋଟ ୩,୦୯,୪୧,୨୬୪ ନମୁନା ପରୀକ୍ଷା କରାଯାଇଛି । କେବଳ ସୋମବାର ୮,୯୯,୮୬୪ ନମୁନା ପରୀକ୍ଷା କରାଯାଇଛି ।

ଦେଶରେ ୨୪ ଘଣ୍ଟାରେ ୮୭୬ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ତନ୍ମଧ୍ୟରେ ମହାରାଷ୍ଟ୍ରରୁ ସର୍ବାଧିକ ୨୨୮ ରହିଛି । ଏହାପରେ ତାମିଲନାଡୁରେ ୧୨୦ ଲୋକଙ୍କ ଜୀବନ ଯାଇଥିବା ବେଳେ କର୍ଣ୍ଣାଟକରେ ୧୧୫, ଆନ୍ଧ୍ର ପ୍ରଦେଶରେ ୮୨, ଉତ୍ତର ପ୍ରଦେଶରେ ୬୬, ପଞ୍ଜାବରେ ୫୧, ପଶ୍ଚିମବଙ୍ଗରେ ୪୫, ମଧ୍ୟପ୍ରଦେଶରେ ୨୩, ଦିଲ୍ଲୀରେ ୧୮, ଗୁଜରାଟରେ ୧୫, କେରଳରେ ୧୩, ହରିଆଣାରେ ୧୨, ରାଜସ୍ଥାନରେ ୧୧ ଲୋକଙ୍କ ଜୀବନ ଯାଇଛି । ଦେଶରେ ଏ ପର୍ଯ୍ୟନ୍ତ ଘଟିଥିବା ମୋଟ ୫୧,୭୯୭ ମୃତ୍ୟୁରେ ମହାରାଷ୍ଟ୍ରର ସର୍ବାଧିକ ୨୦,୨୬୫ ରହିଛି । ଏହାପରେ ତାମିଲନାଡୁରେ ମୋଟ ୫,୮୮୬ ଲୋକଙ୍କ ଜୀବନ ଯାଇଥିବା ବେଳେ ଦିଲ୍ଲୀରେ ୪,୨୧୪, କର୍ଣ୍ଣାଟକରେ ୪,୦୬୨, ଗୁଜରାଟରେ ୨,୮୦୦, ଆନ୍ଧ୍ର ପ୍ରଦେଶରେ ୨,୭୩୨, ଉତ୍ତର ପ୍ରଦେଶରେ ୨,୫୧୫, ପଶ୍ଚିମବଙ୍ଗରେ ୨,୪୭୩ ଏବଂ ମଧ୍ୟପ୍ରଦେଶରେ ୧,୧୨୮ ଜଣଙ୍କ ମୃତ୍ୟୁ ଘଟିଛି । ସେହିଭଳି ରାଜସ୍ଥାନରେ ମୋଟ ୮୮୭ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ପଞ୍ଜାବରେ ୮୬୩, ତେଲଙ୍ଗାନାରେ ୭୧୧, ହରିଆଣାରେ ୫୫୦, ଜମ୍ମୁ-କାଶ୍ମୀରରେ ୫୪୮, ବିହାରରେ ୪୬୮ ଲୋକ ପ୍ରାଣ ହରାଇଛନ୍ତି ।

ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ୧୧୨ ପୁଲିସ କର୍ମୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ୨ ଜଣଙ୍କ ମୃତ୍ୟୁ ଘଟିଛି । ରାଜ୍ୟରେ ଏବେ ସୁଦ୍ଧା ମୋଟ ୧୨,୪୯୫ ପୁଲିସ କର୍ମୀ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୦,୧୧୧ ଜଣ ସୁସ୍ଥ ହୋଇଥିବା ବେଳେ ୨,୨୫୬ ସକ୍ରିୟ ମାମଲା ରହିଛି । ୧୨୮ ପୁଲିସ କର୍ମୀ ପ୍ରାଣ ହରାଇଛନ୍ତି । ଦେଶରେ କରୋନା ସକ୍ରିୟ ମାମଲା ସଂଖ୍ୟା ଦିନକରେ ସର୍ବାଧିକ ୪,୭୫୩ ହ୍ରାସ ପାଇଛି । ଏହା ପୂର୍ବରୁ ମେ ୨୯ ତାରିଖରେ ୩,୮୬୬ ସକ୍ରିୟ ମାମଲା କମିଥିଲା । ଯେଉଁଦିନ ପଜିଟିଭ ସଂଖ୍ୟା ତୁଳନାରେ ଅଧିକ ରୋଗୀ ସୁସ୍ଥ ହୋଇଥାନ୍ତି, ଏଭଳି ଘଟିଥାଏ । ଅର୍ଥାତ ଗତ ୨୪ ଘଣ୍ଟାରେ ୫୯,୮୩୨ ରୋଗୀ ସୁସ୍ଥ ହୋଇ ଡିସଚାର୍ଜ ହୋଇଛନ୍ତି ।

ରାଜସ୍ଥାନରେ ବିଜେପି ବିଧାୟକ ପବାରାମ ବିଶ୍ନୋୟୀ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ନେତାମାନଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହୋଇଛି । କାରଣ ବିଧାନସଭା ଅଧିବେଶନରେ ସେ ଅନେକ ବିଧାୟକଙ୍କ ସହ ମିଶିଥିଲେ । ତାଙ୍କ ପୁଅ ଏବଂ ନାତି ବି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାବ୍ୟତୀତ ରାଜ୍ୟସଭା ସାଂସଦ ରାଜେନ୍ଦ୍ର ଗେହଲଟ କରୋନା ପଜିଟିଭ ଚିହ୍ନଟ ହେବାର ଦିନକ ପରେ ତାଙ୍କ ପତ୍ନୀ ସଂକ୍ରମିତ ହୋଇଛନ୍ତି । ବିରୋଧୀ ଦଳ ଉପନେତା ରାଜେନ୍ଦ୍ର ରାଠୋରଙ୍କ ପୁଅ ପରାକ୍ରମଙ୍କୁ ମଧ୍ୟ କରୋନା ହୋଇଛି । କିନ୍ତୁ ରାଠୋରଙ୍କ ସମେତ ପରିବାରର ମୋଟ ୧୬ ଲୋକଙ୍କର ନମୁନା ରିପୋର୍ଟ ନେଗେଟିଭ ଆସିଛି । ହାଇକୋର୍ଟର ଦୁଇଜଣ ବିଚାରପତି କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ମହାରାଷ୍ଟ୍ରରେ ଆକ୍ରାନ୍ତ ସଂଖ୍ୟା ଦ୍ରୁତ ବେଗରେ ବ୍ୟାପୁଥିବାରୁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ପର୍ଯ୍ୟାୟ ଭିତ୍ତିରେ ଲକ୍‌ଡାଉନ୍‌ କୋହଳ ହେବ ବୋଲି କହିଛନ୍ତି । ରାଜ୍ୟରେ ସଂକ୍ରମଣ ସ୍ଥିତି ଏବେ ବି ଗମ୍ଭୀର ରହିଥିବାରୁ ଦ୍ୱିତୀୟ ଲହରି ଯେମିତି ନ ଆସେ ସେଥିପାଇଁ ସତର୍କ ରହିବାକୁ ପଡ଼ିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଉତ୍ତର ପ୍ରଦେଶରେ ବିଧାନସଭା ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଏଠାରେ ୨୦ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଅଧିବେଶନ ଆରମ୍ଭ ପୂର୍ବରୁ ୬୦୦ କର୍ମଚାରୀଙ୍କର କରୋନା ପରୀକ୍ଷା କରାଯାଇଥିଲା । ଅଗଷ୍ଟ ୨୦ରୁ ରାଜ୍ୟରେ ବିଧାନସଭା ଅଧିବେଶନ ଆରମ୍ଭ ହେବାକୁ ଯାଉଛି ।

   ସମ୍ବନ୍ଧିତ ଖବର


ଧର୍ମ ପରିବର୍ତ୍ତନ କରିବାକୁ ସ୍ତ୍ରୀଙ୍କୁ ସ୍ୱାମୀଙ୍କ ନିର୍ଯାତନା – ଥାନାରେ ଏତଲା ଦେଲେ ମହିଳା

ଟିମ୍‌ ଇଣ୍ଡିଆ ଖେଳାଳି ଆଇପିଏଲରେ ହିରୋ, ଇଣ୍ଟରନ୍ୟାସନାଲ ମ୍ୟାଚରେ ଜିରୋ! ବିରାଟ ବାହିନୀକୁ କାହିଁକି ‘ଠୁ ଓଲ୍ଡ ସ୍କୁଲ’ କହିଲେ ମାଇକେଲ ଭନ୍

Ola-Uber ଉପରେ ସରକାରଙ୍କ କଟକଣା, ଆଉ ନେଇ ପାରିବେନି ଅଧିକ ଭଡ଼ା

ଏବେ ବାହନ ପଞ୍ଜୀକରଣ ବେଳେ ନୋମିନିଙ୍କ ନାଁ ଦେବାକୁ ପଡିବ, କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟର ପ୍ରସ୍ତାବ

PNB ଗ୍ରାହକଙ୍କ ପାଇଁ ଜରୁରୀ ସୂଚନା : ୧ ଡିସେମ୍ୱରରୁ ବଦଳିବ ଟଙ୍କା ଉଠାଇବାର ନିୟମ

ଚୀନ୍‌ର ଚୋରପଣ- କହିଲା ଭାରତରୁ ବ୍ୟାପିଛି କରୋନା ଭାଇରସ୍‌