PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଲେଶ୍ୱର: ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଆରମ୍ଭ ହେଲା ହାଇଦରର ପୋଷ୍ଟମର୍ଟମ, ମାଜିଷ୍ଟେ୍ରଟ୍‌ଙ୍କ ଉପସ୍ଥିତିରେ ​ପୋଷ୍ଟମର୍ଟମ କରିବେ​‌ ୩ ଜଣିଆ ଡାକ୍ତରୀ ଟିମ୍
  • ||
  • ରଙ୍ଗେଇଲୁଣ୍ଡା: ହଳଦିଆପଦର ନିକଟରେ ଟ୍ରାକ୍ଟର ସହ ଅଟୋ ଦୁର୍ଘଟଣା, ୩ ମହିଳା ମତ୍ସ୍ୟଜୀବୀ ଗୁରୁତର
  • ||
  • ସୋର: ହାଇଦର୍ ଏନ୍‌କାଉଣ୍ଟର ସ୍ଥଳରୁ ୨ଟି ଗୁଳି ଜବତ କଲା ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌
  • ||
  • ଭୁବନେଶ୍ୱର: ଓଡ଼ିଶାରେ ଆଉ ୬୭ଜଣଙ୍କ ଜୀବନ ନେଲା କରୋନା, ସାଢ଼େ ୫ ହଜାର ଟପିଲା ମୃତ୍ୟୁସଂଖ୍ୟା
  • ||
  • ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୩୩ ଜଣ କରୋନା ପଜିଟିଭ୍
  • ||
  • ଭୁବନେଶ୍ୱର : ରାଜଧାନୀରେ କାୟା ମେଲାଉଛି ଡେଙ୍ଗୁ, ୧୨ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫୦ ପାର୍
  • ||
  • ପାରଳାଖେମୁଣ୍ଡି : ଏସିଏଫ୍‌ ସୌମ୍ୟରଞ୍ଜନ ଡେଥ୍ ମିଷ୍ଟ୍ରି, ବଲାଙ୍ଗୀରରେ ପାରଳା ପୁଲିସର ୫ଜଣିଆ ଟିମ୍‌, ବିଦ୍ୟାଙ୍କ ପାର୍ଟି ସହ ସୌମ୍ୟ ମୃତ୍ୟୁର ଲିଙ୍କ୍‌ ଖୋଜିବ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୩୩ ଜଣ କରୋନା ପଜିଟିଭ୍
  • ||
  • ଜଳେଶ୍ଵର : ମନ୍ଦାର ଫୁଲ ଗଛ କଟାକୁ ନେଇ ଶଳାକୁ ଭିଣୋଇର ସଙ୍ଘବଦ୍ଧ ଆକ୍ରମଣ, ସଜ୍ଞାହୀନ ଅବସ୍ଥାରେ ନଦୀ କୂଳରୁ ଉଦ୍ଧାର
  • ||
  • ଭୁବନେଶ୍ୱର : ୨୮ରେ ପୁଣି ଏକ ଲଘୁଚାପ, ୨୭ରୁ ବଢ଼ିବ ବର୍ଷା
  • ||

କ୍ଷତିଗ୍ରସ୍ତ ନିଗମ ସରକାରଙ୍କ ତଣ୍ଟିରେ କଣ୍ଟା : ଲାଭଜନକ ନିଗମରେ ପଦବି ଖାଲି

ଭୁବନେଶ୍ୱର,୧୨।୮: ରାଜ୍ୟ ସରକାରଙ୍କ ନିଜସ୍ୱ ଅଧିକାଂଶ ନିଗମ ଢୋକେ ପିଇ ଦଣ୍ଡେ ଜିଇଁବା ଅବସ୍ଥାରେ । କ୍ଷତିଗ୍ରସ୍ତ ନିଗମଗୁଡ଼ିକ ଅଣ୍ଟା ସଳଖି ଛିଡ଼ା ହେବା ଭଳି ସ୍ଥିତିରେ ନାହିଁ । କ୍ଷତିରେ ଚାଲୁଥିବା ଏ ନିଗମ ସରକାରଙ୍କ ଉପରେ ବୋଝ ହୋଇ ରହିଛି । ତଣ୍ଟିରେ କଣ୍ଟା ହୋଇ ଲାଖିଛି । ସରକାର ନା ଢୋକି ପାରୁଛନ୍ତି, ନା କାଢ଼ି ପାରୁଛନ୍ତି । ରାଜନୈତିକ ଥଇଥାନ ସହ ବହୁ କର୍ମଚାରୀଙ୍କ ଭବିଷ୍ୟତ ପାଇଁ ସରକାର ଏଥିରେ ତାଲା ପକାଇବାକୁ ମଧ୍ୟ କୁନ୍ଥକୁନ୍ଥ ହେଉଛନ୍ତି । କ୍ଷତିଗ୍ରସ୍ତ ନିଗମ ପାଇଁ ଲାଭ କରୁଥିବା ନିଗମର ଭିତ୍ତିଭୂମି ସୁଦୃଢ଼ ହୋଇପାରୁନି । ଖାଲି ପଡ଼ିଥିବା ପଦବି ପୂରଣ କରିବାକୁ ମଧ୍ୟ ଆନ୍ତରିକତା ଦେଖାଉନାହାନ୍ତି ସରକାର । ନିଗମଗୁଡ଼ିକରେ ପ୍ରାୟ ସାଢ଼େ ୭ ହଜାର କର୍ମଚାରୀ ପଦବି ଖାଲି ପଡ଼ିଥିଲା ବେଳେ କିଛି ନିଗମରେ ଅତି ଜରୁରି ପଦବିଗୁଡ଼ିକୁ ପୂରଣ କରିବାକୁ ସରକାର ବିଚାର କରୁଥିଲେ । ମାତ୍ର ମହାମାରୀ କାରୋନାର ଆର୍ଥିକ ଚାପ ସରକାରଙ୍କ ନିଷ୍ପତ୍ତିରେ ବାଧା ଦେଇଛି । ନିକଟରେ ଖାଲି ପଦବି ପୂରଣ ହେବାର ସମ୍ଭାବନା ନାହିଁ ବୋଲି ଅର୍ଥ ବିଭାଗ ସୂତ୍ରରୁ ଜଣାପଡ଼ିଛି ।

ରାଜ୍ୟ ସରକାରଙ୍କ ମୋଟ ୩୬ଟି ନିଜସ୍ୱ ନିଗମ ରହିଛି । ଏଥିରୁ ୧୨ଟି ନିଗମ କ୍ଷତିରେ ଚାଲିଛି । କ୍ଷତିଗ୍ରସ୍ତ ଏ ନିଗମଗୁଡ଼ିକର କ୍ଷତି ବର୍ଷକୁ ବର୍ଷ ବଢ଼ି ଚାଲିଛି । କ୍ଷତି ହ୍ରାସ କରିବା କିମ୍ବା ରାଜ୍ୟର ବିକାଶରେ ସେଭଳି ଉଲ୍ଲେଖନୀୟ ପ୍ରଦର୍ଶନ ମଧ୍ୟ ଏ ନିଗମଗୁଡ଼ିକ କରୁନାହାନ୍ତି । ମାତ୍ର ସରକାର ଏ ଦିଗରେ କିଛି ଠୋସ୍‌ ନିଷ୍ପତ୍ତି ନେଉ ନାହାନ୍ତି ବୋଲି ଅର୍ଥ ବିଭାଗର ଜଣେ ବରିଷ୍ଠ ଅଧିକାରୀ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି । ସରକାର କ୍ଷତିଗ୍ରସ୍ତ ନିଗମ କିଭଳି ଲାଭ କରିବେ ସେ ଦିଗ ପ୍ରତି ଯେତିକି ଧ୍ୟାନ ଦିଆଯିବା କଥା ତାହା ମଧ୍ୟ ହେଉନି । ଏହାର ପ୍ରଭାବ ପଡ଼ିଛି ଲାଭଜନକ ନିଗମରେ । ଲାଭ କରୁଥିବା ବହୁ ନିଗମର ଖାଲି ପଦବି ପୂରଣ ସହ ଭିତ୍ତିଭୂମି ବଢ଼ାଇବାକୁ ପାଣ୍ଠି ବାଧକ ସାଜୁଛି ।

ସରକାରୀ ତଥ୍ୟ ଅନୁଯାୟୀ, ଗ୍ରୀଡ୍‌କୋ ଲିମିଟେଡ୍‌, ଓଡ଼ିଶା ଶିଳ୍ପ ଉନ୍ନୟନ ନିଗମ ଲିମିଟେଡ୍‌, କଳିଙ୍ଗ ଷ୍ଟୁଡିଓଜ୍‌ ଲିମିଟେଡ୍‌, କୋଣାର୍କ ଝୋଟ ଲିମିଟେଡ୍‌, ଓଡ଼ିଶା ଗ୍ରାମ୍ୟ ଗୃହ ନିର୍ମାଣ ଓ ଉନ୍ନୟନ ନିଗମ ଲିଃ, ଇଡ୍‌କଲ୍‌ କଳିଙ୍ଗ ଆଇରନ୍‌ ୱାକର୍ସ ଲିମିଟେଡ୍‌, ଇଡକଲ୍‌ ଫେରୋକ୍ରମ ଆଣ୍ଡ ଆଲୋଏଜ୍‌ ଲିମିଟେଡ୍‌, ଓଡ଼ିଶା ମତ୍ସ୍ୟଚାଷ ଉନ୍ନୟନ ନିଗମ ଲିଃ, ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ଲିମିଟେଡ, ଓଡ଼ିଶା ରାଜ୍ୟ ଅର୍ଥ ନିଗମ, ଓଡ଼ିଶା କୋଇଲା ଓ ଶକ୍ତି ନିଗମ ଲିମିଟେଡ ଏବଂ ୱାଟ୍‌କୋ ନିଗମ କ୍ଷତିରେ ଚାଲିଛି । ତେବେ ଓଡ଼ିଶା ରାଜ୍ୟ ଯୋଗାଣ ନିଗମ ଲିମିଟେଡ୍‌ ବିନା ଲାଭ-କ୍ଷତିରେ ଚାଲିଛି । ବାକି ୨୩ଟି ନିଗମ ଲାଭରେ ଚାଲିଛି । ଏହି କ୍ଷତିଗ୍ରସ୍ତ ନିଗମ ପାଇଁ ସରକାରଙ୍କୁ ଆର୍ଥିକ ବୋଝ ମୁଣ୍ଡାଇବାକୁ ପଡୁଛି ।

ଏହି ସରକାରୀ ନିଗମଗୁଡ଼ିକରେ ୭ ହଜାର ୩୩୬ ପଦବି ମଧ୍ୟ ଖାଲି ପଡ଼ିଛି । ଓଡ଼ିଶା କୃଷି ଶିଳ୍ପ ନିଗମ ଲିଃରେ ୪୮୭ ପଦବି ଖାଲି ଥିବା ବେଳେ ଓଡ଼ିଶା ବନ ଉନ୍ନୟନ ନିଗମରେ ୫୫୭, ଓଡ଼ିଶା ରାଜ୍ୟ ଯୋଗାଣ ନିଗମ ଲିମିଟେଡ୍‌ରେ ୧୬୯୯, ଓଡ଼ିଶା ଖଣି ନିଗମରେ ୮୯୬ କର୍ମଚାରୀ ପଦ ଖାଲି ରହିଛି । ସେହିଭଳି ଜଳବିଦ୍ୟୁତ୍‌ ନିଗମରେ ୬୭୯, ଓଡ଼ିଶା ଶକ୍ତି ସଞ୍ଚାରଣ ନିଗମ ଲିଃରେ ୨୧୭୦, ଇଡିକଲ୍‌ କଳିଙ୍ଗ ଆଇନ୍‌ ୱାକର୍ସ ଲିଃରେ ୮୭୨, ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ଲିମିଟେଡ୍‌ରେ ୧୩୫୮, ଇଡକଲ୍‌ ଫରୋକ୍ରମ ଆଣ୍ଡ୍‌ ଆଲୋଏଜ୍‌ ଲିମିଟେଡ୍‌ରେ ୩୩୫, ଓଡ଼ିଶା ଉଠାଜଳସେଚନ ନିଗମରେ ୭୧୩, ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମରେ ୧୨୪, ଓଡ଼ିଶା ରାଜ୍ୟ ପଣ୍ୟାଗାର ନିଗମରେ ୨୧୭, ରାଜ୍ୟ ଅର୍ଥ ନିଗମରେ ୧୩୮, ଓଡ଼ିଶା ମେଡିକାଲ ନିଗମରେ ୫୩, ରାଜ୍ୟ ବିହନ ନିଗମରେ ୮୦ଟି ପଦବରେ କେହି କର୍ମଚାରୀ ନାହାନ୍ତି । କର୍ମଚାରୀ ଅଭାବରୁ ଲାଭଜନକ ନିଗମ ମଧ୍ୟ ଅସୁବିଧାର ସମୁଖୀନ ହେଉଛନ୍ତି ।

ପ୍ରାୟ ବର୍ଷକ ତଳେ ନିଗମଗୁଡ଼ିକର ଏଭଳି ଦୂରାବସ୍ଥା ସ୍ଥିତି ନେଇ ସାଧାରଣ ଉଦ୍ୟୋଗ ବିଭାଗ ବିଚାର ବିମର୍ଶ କରିବା ସହ ଏ ଦିଗରେ କ’ଣ କରିହେବ ତାର ତର୍ଜମା କରି ସରକାରଙ୍କୁ ରିପୋର୍ଟ ଦେଇଥିଲା । ତେବେ ହଠାତ୍‌ କ୍ଷତିଗ୍ରସ୍ତ ନିଗମଗୁଡ଼ିକୁ ବନ୍ଦ ନକରି ଏ ଦିଗରେ ସରକାର ଗମ୍ଭୀରତାର ସହ ବିଚାର କରିବାକୁ ନିଷ୍ପତ୍ତି ନେଲେ । କ୍ଷତିରେ ଚାଲୁଥିବା ନିଗମଗୁଡ଼ିକୁ କେଉଁ ପ୍ରକାର ସରକାରୀ ସହାୟତା ଯୋଗାଇହେବ ତାକୁ ତର୍ଜମା କରାଗଲା । ସରକାର ନିର୍ବାଚନ ଜିତି ଆସିବା ପରେ ନିଗମଗୁଡ଼ିକରେ ଅଧ୍ୟକ୍ଷ ନିଯୁକ୍ତ କରାଗଲା । ମାତ୍ର ନିଗମଗୁଡ଼ିକୁ ବଳୁଆ କରିବା ଯୋଜନା ଶୀତଳଭଣ୍ଡାରେ ରହିଗଲା । ଜରୁରି ପଦବି ଗୁଡ଼ିକୁ ତୁରନ୍ତ ପୂରଣ କରିବାକୁ ପଦକ୍ଷେପ ନିଆଗଲାନି ।

ସରକାରୀ ଆନ୍ତରିକତା ଓ ନିଷ୍ଠା ଅଭାବରୁ କ୍ଷତିଗ୍ରସ୍ତ ନିଗମଗୁଡ଼ିକର କ୍ଷତି ବଢ଼ି ଚାଲିଥିଲା ବେଳେ ଲାଭଜନକ ନିଗମର ଭିତ୍ତିଭୂମି ଅଧାପନ୍ତରିଆ ହୋଇ ପଡ଼ିଛି । ସରକାର କେବଳ ରାଜନୈତିକ ଥଇଥାନ କରି ଚୁପ୍‌ ବସିଛନ୍ତି । ଏବେ କରୋନା ଯୋଗୁଁ ରାଜ୍ୟର ଆର୍ଥିକ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିଗିଡ଼ି ଯାଇଥିଲା ବେଳେ ଖାଲିଥିବା ଜରୁରି ପଦବି ପୂରଣ ଏବେ ହେବାର ସମ୍ଭାବନା ନାହିଁ ବୋଲି ସୂଚନା ମିଳିଛି ।