ଖଣ୍ଡଗିରି-ଉଦୟଗିରିରେ ବନ୍ଦ ହେବ ମଝି ରାସ୍ତା

ଭୁବନେଶ୍ବର ୧୫/୩; ଖଣ୍ଡଗିରି-ଉଦୟଗିରି ପାଇଁ ସ୍ୱତନ୍ତ୍ର ଯୋଜନା ହୋଇଛି । ଭାରତର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା(ଏଏସ୍‌ଆଇ), ବିଡିଏ ଏବଂ ଓଡ଼ିଶା ପର୍ଯ୍ୟଟନ ବିଭାଗ ମିଳିତ ଭାବେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି । ଦୈନିକ ଏହି ଐତିହ୍ୟ ତଥା ପର୍ଯ୍ୟଟନସ୍ଥଳକୁ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଛନ୍ତି । ତେଣୁ ସରକାର ଏହି ସ୍ଥଳର ଉନ୍ନତିକରଣକୁ ବେଶି ଗୁରୁତ୍ୱ ଦେଇଛନ୍ତି ।

ପ୍ରଥମତଃ ଐତିହ୍ୟର ସଂରକ୍ଷଣ ଏବଂ ସୁରକ୍ଷା ଦୃଷ୍ଟିରୁ ଦୁଇ ପାହାଡ଼ର ମଝିରେ ଯାଇଥିବା ରାସ୍ତାରେ ଗାଡ଼ି ମଟର ଯିବା ଆସିବା ବନ୍ଦ ହେବ । ପୂରା ହେରିଟେଜ୍‌ କରିଡର ନିର୍ମାଣ କରାଯିବ । ସେହିଭିତରେ କେବଳ ପର୍ଯ୍ୟଟକମାନେ ଚାଲିକରି ବା ଇ-ଗାଡ଼ିରେ ଯାଇପାରିବେ । ଖଣ୍ଡଗିରି ଛକରେ ଜାତୀୟ ରାଜପଥ ପ୍ଲାଏଓଭର କାମ ଶେଷ ହେବା ବେଳକୁ ଏପଟେ ସବୁ ହୋଇସାରିଥିବ । ଫ୍ଲାଏଓଭର ରାସ୍ତା ଫିଟିଲା ପରେ ଯେଉଁ ପର୍ଯ୍ୟଟକମାନେ ଖୋର୍ଦ୍ଧା ପଟୁ ଖଣ୍ଡଗିରି-ଉଦୟଗିରି ଆସିବେ ସେମାନେ କୋଳଥିଆ ରାସ୍ତାରେ ଜୟଦେବ ବାଟିକା ଦେଇ ଉଦୟଗିରି ପାହାଡ଼ ତଳ ପାର୍କିଂ ଅଞ୍ଚଳକୁ ଆସିବେ । ଯେଉଁମାନେ ରସୁଲଗଡ଼ କିମ୍ବା ପୋଖରୀପୁଟ ପଟୁ ଆସିବେ ସେମାନେ ଜାତୀୟ ରାଜପଥରୁ ଉଦୟଗିରି ପାହାଡ଼ ତଳ ଦେଇ ପାର୍କିଂ ଅଞ୍ଚଳକୁ ଯିବେ ।

ସେଠାରେ ଗାଡ଼ି ରଖି ଉଦୟଗିରି ପାହାଡ଼ ତଳେ ନୂତନ ଭାବେ ନିର୍ମାଣ ହୋଇଥିବା ଏଏସ୍‌ଆଇ ଟିକେଟ୍‌ କାଉଣ୍ଟରରୁ ଟିକେଟ୍‌ ନେଇ ଯିବେ । ପୂର୍ବରୁ ଟିକେଟ୍‌ କାଉଣ୍ଟରଟି ଉଦୟଗିରି ପ୍ରବେଶ ପଥ ପାଶ୍ୱର୍ରେ ଥିଲା । ଏବେ ତାକୁ ଖଣ୍ଡଗିରି-ଚନ୍ଦକା ରୋଡ୍‌ ଉଦୟଗିରି ପାହାଡ଼ ପାଦଦେଶକୁ ଉଠାଇ ନିଆଯାଇଛି । ତେଣୁ ଯେଉଁମାନେ ଖଣ୍ଡଗିରି ଟ୍ରାଫିକ୍‌ ଛକରୁ ସିଧା ଖଣ୍ଡଗିରି-ଉଦୟଗିରି ଆସୁଛନ୍ତି ସେମାନେ ଟିକେଟ୍‌ ପାଇଁ ପୁଣି ବିପରୀତ ପାଶ୍ୱର୍ ପାହାଡ଼ ତଳକୁ ଯାଉଛନ୍ତି । ତେଣୁ ସେମାନେ ପୂର୍ବରୁ ପାହାଡ଼ ତଳ ଦେଇ ଆସିଲେ ସେମାନଙ୍କୁ ସୁବିଧା ହେବ ।

ସେଠାରେ ପର୍ଯ୍ୟଟକଙ୍କ ଲାଗି ପାର୍କିଂ, ପାନୀୟ ଜଳ ଓ ଶୌଚାଳୟର ବ୍ୟବସ୍ଥା ହୋଇଛି । ବିଶେଷକରି ଶୌଚାଳୟ ଲାଗି ଯେଉଁ ସମସ୍ୟା ହେଉଥିଲା, ତାର ସମାଧାନ ହୋଇଛି । ବର୍ତ୍ତମାନ ଖଣ୍ଡଗିରି ପାନ୍ଥିକା ନିକଟରେ କାମ ଚାଲିଥିବାବେଳେ ଖଣ୍ଡଗିରି ଛକରୁ ପାହାଡ଼ ପର୍ଯ୍ୟନ୍ତ ରାସ୍ତାକୁ ପ୍ରଶସ୍ତ କରାଯାଉଛି । ଏହାବ୍ୟତୀତ୍‌ ପୂର୍ବରୁ ଆଲୋଚନା ହୋଇ ଆସୁଛି ଖଣ୍ଡଗିରିରେ ଲାଇଟ୍‌ ଆଣ୍ଡ୍‌ ସାଉଣ୍ଡ୍‌ ସୋ’ ହେବ । ଏହା ବି ପ୍ଲାନ୍‌ରେ ରହିଥିବା ପର୍ଯ୍ୟଟନ ବିଭାଗ ଅଧିକାରୀ ରହିଛନ୍ତି । ତେଣୁ ଆଗକୁ ଖାଲି ଏକାମ୍ର କ୍ଷେତ୍ର ନୁହେଁ ଖଣ୍ଡଗିରି-ଉଦୟଗିରି ପର୍ଯ୍ୟଟନସ୍ଥଳ ନୂଆ ରୂପ ନେବାକୁ ଯାଉଛି । ଏହି ଖଣ୍ଡଗିରି-ଉଦୟଗିରି ପରିସରକୁ ଏମିତି କରାଯାଉଛି ଯେ ଏଠାକୁ ଆସିବ ସେ ଏହି ଦୁଇ ସ୍ଥଳ ବୁଲିବା ସହ ପାଖ ଜୟଦେବ ବାଟିକାକୁ ଯାଇପାରିବ ଏବଂ ଗାନ୍ଧୀ ଶାନ୍ତି କେନ୍ଦ୍ର ବି ବୁଲି ପାରିବ ।