ଚୀନ୍‌ ଋଣ ଫାଶରେ ବିଶ୍ୱ : ଟାର୍ଗେଟରେ ବିକାଶମୁଖୀ, ସ୍ୱଳ୍ପ ଆୟକାରୀ ରାଷ୍ଟ୍ର

ନୂଆଦିଲ୍ଲୀ, ୩।୬ : ବିଶ୍ୱ ବ୍ୟାପାର କ୍ଷେତ୍ରରେ ଚୀନ୍‌ର ଭୂମିକାକୁ ନେଇ ସବୁବେଳେ ଚର୍ଚ୍ଚା ରହିଥାଏ । ନିଜର ଚାତୁରୀ ତଥା ରଣନୀତି ଜରିଆରେ ଏହା ବିଶ୍ୱ ବାଣିଜ୍ୟର ସିଂହଭାଗ ନିଜ କବ୍‌ଜାରେ ରଖିଛି । ବିକାଶମୁଖୀ ରାଷ୍ଟ୍ରଗୁଡିକରେ ସଡ଼କ, ବନ୍ଦର ଏବଂ ରେଳ ଲାଇନ୍‌ ନିର୍ମାଣ ଆଳରେ ଏହା ସେମାନଙ୍କଠାରୁ ବିପୁଳ ଅର୍ଥ ଶୋଷଣ କରୁଛି । ମହାଦେଶଗୁଡିକରେ ଏହା ନିଜର ପହଞ୍ଚକୁ ବଢ଼ାଇ ଚାଲିଛି । ଗତ ଦୁଇ ଦଶନ୍ଧିରେ ଚୀନ୍‌ ବିଶ୍ୱର ସର୍ବବୃହତ୍‌ ଋଣ ପ୍ରଦାନକାରୀ ପାଲଟିଛି । ବିଶ୍ୱ ଋଣ ବଜାରର ସମ୍ରାଟ ସାଜିଛି ଚୀନ୍‌ ।

ତେବେ ଏହାର ଟାର୍ଗେଟ୍‌ରେ ରହିଛନ୍ତି ବିକାଶମୁଖୀ ଏବଂ ସ୍ୱଳ୍ପ ଆୟକାରୀ ରାଷ୍ଟ୍ର । ଯେଉଁମାନଙ୍କୁ ଋଣ ଦେଲେ ଋଣ ଖିଲାପୀ ଆଶଙ୍କା ଅଧିକ ରହିଛି ସେମାନଙ୍କୁ ଚୀନ୍‌ ବନ୍ଧକ ଆଧାରରେ ଋଣ ଦେଉଛି । ଅନୁଚିତ କୁଟନୀତି ପାଇଁ ଏହି ରାଷ୍ଟ୍ର ବିଛାଉଛି ଋଣଫାଶ । ଋଣ ଶୁଝି ନ ପାରିଲେ ଦେଶଗୁଡିକଠାରୁ ଅନୈତିକ ଅର୍ଥନୈତିକ ଏବଂ ରାଜନୈତିକ ଫାଇଦା ଉଠାଇବା ଆଳରେ ରହିଛି ବିଶ୍ୱର ଦ୍ୱିତୀୟ ବୃହତ୍‌ ଅର୍ଥନୀତି ଚୀନ୍‌ । ବିଭିନ୍ନ ରାଷ୍ଟ୍ରଗୁଡିକ ଉପରେ ଚୀନ୍‌ର ଯେତିକି ବକେୟା ରହିଛି ତାହା ବିଶ୍ୱର ମୋଟ ଘରୋଇ ଉତ୍ପାଦ(ଜିଡିପି)ର ୬%ରୁ ଅଧିକ । ୨୦୦୦ରୁ ୨୦୧୭ ମଧ୍ୟରେ ଚୀନ୍‌ ସହିତ ବିଶ୍ୱର ଋଣ ଭାର ୫୦୦୦୦ କୋଟି ଡଲାରରୁ ୫ ଲକ୍ଷ କୋଟି ଡଲାର ଟପିଯାଇଛି ।

ଗବେଷକଙ୍କ ଅନୁସାରେ ଚୀନ୍‌ ଏବଂ ଏହାର ସହଯୋଗୀମାନେ ୧୫୦ ରାଷ୍ଟ୍ରଙ୍କୁ ସିଧାସଳଖ ଭାବେ ୧.୫ ଲକ୍ଷ କୋଟି ଡଲାର ଋଣ ଦେଇଛନ୍ତି । ଋଣ ଯୋଗାଣରେ ଚୀନ୍‌ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍‌ଏଫ୍‌) ଏବଂ ବିଶ୍ୱବ୍ୟାଙ୍କକୁ ଅତିକ୍ରମ କରିଛି । ଏହା ୨୦୦୦୦ କୋଟି ଡଲାରର ଋଣ ମଧ୍ୟ ଦେଇଛି, ଯାହାର ତଥ୍ୟ ଏହା ଲୁଚାଇଛି । ତେବେ ବର୍ଷ ବର୍ଷ ଧରି ଅନ୍ତର୍ଜାତୀୟ ଋଣ ତଥ୍ୟକୁ ନେଇ ଚୀନ୍‌ ଆଦୌ ସ୍ୱଚ୍ଛତା ଅବଲମ୍ବନ କରୁନାହିଁ । ଆଇଏମ୍‌ଏଫ୍‌ ହେଉ କିମ୍ବା ପ୍ୟାରିସ୍‌ କ୍ଲବ୍‌ ଅବା ଘରୋଇ ତଥ୍ୟ ଯୋଗାଣକାରୀ ଏହା କାହାକୁ ନିଜର ଅନ୍ତର୍ଜାତୀୟ ଋଣ ନେଇ ସ୍ପଷ୍ଟ ତଥ୍ୟ ଦେଉନାହିଁ । ଚୀନ୍‌ର ବୃହତ୍‌ ଭାଗ ଋଣ ଅନ୍ତର୍ଜାତୀୟ ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥା ବାହାରେ ରହିଛି ।

ଚୀନ୍‌ କହୁଛି ଯେ, ଭିତ୍ତିଭୂମି ବିକାଶ ଦ୍ୱାରା ବିକାଶମୁଖୀ ଦେଶଗୁଡିକ ଉପକୃତ ହେବେ । କିନ୍ତୁ ସମାଲୋଚକ ଅଭିଯୋଗ କରୁଛନ୍ତି ଯେ, ଚୀନ୍‌ ଅନ୍ୟ ରାଷ୍ଟ୍ରଗୁଡିକ ଉପରେ ଅନୁଚିତ ପ୍ରଭାବ ବିସ୍ତାର କରୁଛି । ଅଧିକାଂଶ ରାଷ୍ଟ୍ର ଚୀନ୍‌ ସହ କରିଥିବା ଚୁକ୍ତି ବିଷୟରେ ପୁନର୍ବିଚାର କରୁଛନ୍ତି । ଏମାନଙ୍କ ଅଭିଯୋଗ ହେଉଛି, ଚୀନ୍‌ ପ୍ରକଳ୍ପଗୁଡିକର ପ୍ରକୃତ ମୂଲ୍ୟଠାରୁ ଅଧିକ ଆର୍ଥିକ ଶୋଷଣ କରୁଛି । ତେବେ ଚୀନ୍‌ର ଉଦ୍ଦେଶ୍ୟ ହେଉଛି ଉକ୍ତ ଦେଶଗୁଡିକଠାରୁ ଅର୍ଥନୈତିକ ଏବଂ ରାଜନୈତିକ ଲାଭ ଉଠାଇବା । ଏହାକୁ ‘ଡେଟ୍‌ ଟ୍ରାପ୍‌ ଡିପ୍ଲୋମାସି’ ବା କୁଟନୀତି ଲାଗି ଋଣ ଫାଶ ବୋଲି କୁହାଯାଉଛି । ଚୀନ୍‌ର ବେଲ୍‌ଟ ଆଣ୍ଡ୍‌ ରୋଡ୍‌ ଇନିସିଏଟିଭ୍‌କୁ ଏଭଳି ଆଖ୍ୟା ଦେଉଛନ୍ତି ସମାଲୋଚକ । ସଡ଼କ ଏବଂ ଭିତ୍ତିଭୂମି ବିକାଶ ନାଁରେ ଚୀନ୍‌ ବିକାଶମୁଖୀ ରାଷ୍ଟ୍ରଗୁଡିକରେ ଅନୁଚିତ ପ୍ରଭାବ ବିସ୍ତାର କରିବା ଆଳରେ ରହିଛି । ଗବେଷଣାରୁ ଜଣାଯାଇଛି ଯେ, ଚୀନର ଅନ୍ତରାଷ୍ଟ୍ରୀୟ ଋଣ ଚିତ୍ର ସମ୍ପୂର୍ଣ୍ଣ ଅସ୍ପଷ୍ଟ । ଫଳରେ ଏକ ପ୍ରକାର ‘ଉହ୍ୟ ଋଣ’ ସମସ୍ୟା ସୃଷ୍ଟି ହୋଇଛି । ଚୀନ୍‌ଠାରୁ କେତେ ସଂଖ୍ୟକ ଦେଶ ଋଣ ନେଇଛନ୍ତି ଏବଂ କେଉଁ ପରିସ୍ଥିତିରେ ଋଣ ନେଇଛନ୍ତି ତାହା ଜଣାନାହିଁ । କିଏଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ର ପ୍ରଫେସର କ୍ରିଷ୍ଟୋଫ ଟ୍ରେବେସ୍‌ କୁହନ୍ତି, ଚୀନ୍‌ର ଅସ୍ପଷ୍ଟ ଋଣ ପ୍ରଦାନ ରଣନୀତି ଯୋଗୁ ନିବେଶକ ଏବଂ ଅନ୍ତର୍ଜାତୀୟ ଋଣ ପ୍ରଦାନକାରୀ ସଂସ୍ଥାଗୁଡିକ ପାଇଁ ଉପଯୁକ୍ତ ନିବେଶ ନିଷ୍ପତ୍ତି ନେବା କଷ୍ଟକର ହେଉଛି । ଅନେକ ଚାଇନିଜ୍‌ ଋଣ ବନ୍ଧକ ରଖି ଦିଆଯାଇଥାଏ । ଚୀନ୍‌ ଏକ ସକ୍ରିୟ ଅନ୍ତରାଷ୍ଟ୍ରୀୟ ଋଣ ପ୍ରଦାନକାରୀ ପାଲଟିଛି । ଏବେ ସମଗ୍ର ବିଶ୍ୱରେ ଋଣ ବାଣ୍ଟୁଛି ଚୀନ୍‌ ।

ବିଶ୍ୱର ପ୍ରମୁଖ ୫୦ ବିକାଶମୁଖୀ ରାଷ୍ଟ୍ରଙ୍କୁ ଏହା ଦେଇଥିବା ଋଣ ପରିମାଣ ୨୦୧୭ରେ ଚୀନ୍‌ ଜିଡିପିର ୧୫%ରୁ ଅଧିକକୁ ବଢ଼ିଯାଇଛି । ୧୨ରୁ ଅଧିକ ରାଷ୍ଟ୍ର ଚୀନ୍‌ଠାରୁ ଯେତିକି ଋଣ ନେଇଛନ୍ତି ତାହା ସେମାନଙ୍କ ଜିଡିପିର ୨୦% ହେବ । ବିଶ୍ଳେଷଣରୁ ଜଣାଯାଇଛି ଯେ,ଚୀନ୍‌ ପକ୍ଷରୁ ବିକାଶମୁଖୀ ରାଷ୍ଟ୍ରଗୁଡିକୁ ଦିଆଯାଇଥିବା ମୋଟ ଋଣ ମଧ୍ୟରୁ ୫୦%କୁ ନେଇ ଏହା ତଥ୍ୟ ଦେଇନାହିଁ । ଚୀନ୍‌ର ଏହି ଋଣ ଫାନ୍ଦ ସମଗ୍ର ବିଶ୍ୱକୁ ବୁଡ଼ାଇବା ଥୟ ।

   ସମ୍ବନ୍ଧିତ ଖବର


ଭାରତରେ ନିଲାମ ହେଲା ସବୁଠାରୁ ଦାମୀ ଚା’, କେଜିକୁ ରହିଛି ଏତେ ଟଙ୍କା

କେନ୍ଦ୍ର ସରକାରଙ୍କ କଡା ନିୟମ: ବାୟୁ ପ୍ରଦୂଷଣ କଲେ କୋଟିଏ ଟଙ୍କା ଜରିମାନା, ୫ ବର୍ଷ ଜେଲ୍‌ ଦଣ୍ଡ…

ଚଳିତ ବର୍ଷ ପ୍ରବଳ ଶୀତ, ଜାଣନ୍ତୁ ‘ଲା ନିନା’ ଓ ’ଏଲ ନିନୋ’ର କ’ଣ ରହିଛି ପ୍ରଭାବ?

ପାକିସ୍ତାନରେ କାଶ୍ମୀର ବିଷୟରେ ଲାଇଭ୍‌ ବେଳେ ଇଣ୍ଡିଆନ୍‌ ହାକର୍‌ ବଜାଇଲେ ଜୟ ଶ୍ରୀରାମ ଏବଂ ହନୁମାନଙ୍କ ଭଜନ

ଆଖି ବିନ୍ଧା ହେବାରୁ ହସ୍ପିଟାଲ ପହଁଞ୍ଚିଲେ ମହିଳା, ଡାକ୍ତର ବାହାର କଲେ ୨୦ଟି ଜୀଅନ୍ତା ପୋକ

୬୫ ବର୍ଷ ବୟସରେ ବିବାହ କଲେ ଜଣାଶୁଣା ଓକିଲ ହରୀଶ ସାଲଭେ, ICJରେ ପାକିସ୍ତାନ ବିରୋଧରେ ଲଢିଥିଲେ କୁଳଭୂଷଣ ମାମଲାର ରାୟ…