ନୂଆ ଟେଷ୍ଟ କିଟ୍‌ ବାହାର କଲା ଆମେରିକା: ୫ ମିନିଟ୍‌ରେ କରୋନା ରିପୋର୍ଟ

ୱାସିଂଟନ୍‌ ୦୩/୦୪: ଆମେରିକାରେ କରୋନା ପ୍ରକୋପ ଦିନକୁଦିନ ବଢ଼ିବାରେ ଲାଗିଛି । ପ୍ରତିଦିନ ଲକ୍ଷରୁ ଅଧିକ ଲୋକଙ୍କ ନମୁନା ପରୀକ୍ଷା କରାଯାଉଛି । ତଥାପି ଏହା ପର୍ଯ୍ୟାପ୍ତ ହେଉନାହିଁ । ଏଭଳି ପରିସ୍ଥିତିର ମୁକାବିଲା ପାଇଁ ମେଡିକାଲ ଉପକରଣ ନିର୍ମାତା ଆବଟ୍‌ ଏଭଳି ଏକ ନୂଆ କିଟ୍‌ ନିର୍ମାଣ କରିଛି, ଯାହାଦ୍ୱାରା ମାତ୍ର ୫ ମିନିଟ୍‌ରେ ନମୁନା ପରୀକ୍ଷା କରାଯାଇ ଫଳାଫଳ ଜାଣିହେବ । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଇତିମଧ୍ୟରେ ଏହି ନୂଆ ‘ପଏଣ୍ଟ-ଅଫ୍‌-କେୟାର’ ଟେଷ୍ଟ କିଟ୍‌କୁ ଉନ୍ମୋଚନ କରିଛନ୍ତି । ଆମେରିକାର ଖାଦ୍ୟ ଏବଂ ଔଷଧ ପ୍ରଶାସନ (ଏଫ୍‌ଡିଏ) ଏହି କିଟ୍‌ର ବ୍ୟବହାରକୁ ଅନୁମୋଦନ ଦେଇଥିବା ଜଣାପଡ଼ିଛି । ୫ ମିନିଟ୍‌ରେ ନମୁନା ପରୀକ୍ଷଣ ସମ୍ଭବ ହେବା ଫଳରେ ରୋଗୀକୁ ଠିକଣା ସମୟରେ ଚିକିତ୍ସା କରାଯାଇ ପାରିବ । ଫଳରେ ମୃତ୍ୟୁ ସଂଖ୍ୟା ସଂକୁଚିତ ହେବ ବୋଲି ଆଶା କରାଯାଉଛି ।

ଏଫ୍‌ଡିଏର ଅନୁମୋଦନ ପରେ ଏହି ନୂଆ ଟେଷ୍ଟ ଡିଭାଇସ୍‌କୁ ଅନ୍ୟ ରାଷ୍ଟ୍ରଗୁଡ଼ିକୁ ଯୋଗାଇ ଦିଆଯାଇ ପାରିବ । ଖୁବଶୀଘ୍ର ଏହା ଅନ୍ୟ ଦେଶରେ ଉପଲବ୍ଧ ହୋଇପାରେ । ଆବଟ୍‌ର ଉପସଭାପତି (ଗବେଷଣା ଓ ବିକାଶ) ଜନ୍‌ ଫ୍ରେଲ୍‌ସ କହିଛନ୍ତି, କମ୍ପାନି ଦ୍ୱାରା ବିକଶିତ ଏହି ନୂଆ କିଟ୍‌ ବିଶ୍ୱର ଦ୍ରୁତତମ ‘ମୋଲିକ୍ୟୁଲାର ପଏଣ୍ଟ-ଅଫ୍‌-କେୟାର’ ଟେଷ୍ଟ ଭାବେ ପରିଗଣିତ ହେବାକୁ ଯାଉଛି । ୫ ମିନିଟ୍‌ରେ ଏହା ପଜିଟିଭ୍‌ ରିପୋର୍ଟ ଦେବାର ସାମର୍ଥ୍ୟ ରଖିଥିବା ବେଳେ ୧୩ ମିନିଟ୍‌ରେ ନେଗେଟିଭ୍‌ ରିପୋର୍ଟ ଦେଇପାରିବ ।

ଉନ୍ମୋଚନ ପରେ ରାଷ୍ଟ୍ରପତି ଟ୍ରମ୍ପ୍‌ ଏକ ଟ୍ୱିଟ୍‌ ଜରିଆରେ ଏହି କିଟ୍‌କୁ ‘ନୂଆ ବଲ୍‌ଗେମ୍‌’ ବୋଲି ଅଭିହିତ କରିଛନ୍ତି । ଅନ୍ୟପକ୍ଷରେ ଏଫ୍‌ଡିଏର ପୂର୍ବତନ କମିଶନର ସ୍କଟ୍‌ ଗଟ୍‌ଲିବ୍‌ ଏହାକୁ ‘ଗେମ୍‌ ଚେଞ୍ଜର’ ବୋଲି ଦର୍ଶାଇଛନ୍ତି । ନିକଟରେ ହ୍ୱାଇଟ୍‌ ହାଉସ୍‌କୁ ଟ୍ରମ୍ପ୍‌ ଏହି ମେସିନ୍‌ ଆଣିଥିଲେ । ଏହି ରାପିଡ୍‌ ଟେଷ୍ଟ ମେସିନ୍‌ ଏକ୍‌ଦମ୍‌ ଠିକ୍‌ ରିପୋର୍ଟ ଦେଉଥିବା ସେ ଦାବି କରିଛନ୍ତି । ହ୍ୱାଇଟ୍‌ ହାଉସ୍‌ ରୋଜ୍‌ ଗାର୍ଡେନ୍‌ରେ ଏହି ମେସିନ୍‌କୁ ପ୍ରଦର୍ଶନ କରାଯାଇ କିଛି ସମୟ ପାଇଁ ରଖାଯାଇଥିଲା ।

ଆବଟ୍‌ ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ, ଏହି ନୂଆ ଟେଷ୍ଟ କିଟ୍‌ ଏବେ କମ୍ପାନି ପ୍ରଚଳିତ ‘ଆଇଡି ଏନ୍‌ଓଡବ୍ଲ୍ୟୁ’ ପ୍ଲାଟ୍‌ଫର୍ମରେ ପରିଚାଳିତ ହେବ । ଏହାର ଆକାର ଛୋଟ ଏବଂ ଏହା ହାଲୁକା ହୋଇଥିବାରୁ ଏକାଥରେ ବିପୁଳ ସଂଖ୍ୟକ ମେସିନ୍‌ ପରିବହନ କରାଯାଇ ପାରିବ । ଫଳରେ ଅନେକ ରୋଗୀଙ୍କ ଜୀବନ ସୁରକ୍ଷିତ ରହିପାରିବ ।

ଆବଟ୍‌ର ଏହି ଆଇଡି ଏନ୍‌ଓଡବ୍ଲ୍ୟୁ ମେସିନ୍‌ ଗୋଟିଏ ଥରରେ ନମୁନା ପରୀକ୍ଷଣ କରିପାରିବ । ଜଣେ ସ୍ୱାସ୍ଥ୍ୟ କର୍ମୀ ଏକ ସ୍ୱାବ୍‌ ବ୍ୟବହାର କରି ରୋଗୀର ନାକ ଅଥବା ଗଳାରୁ ନମୁନା ନେବେ ଏବଂ ଏହାକୁ ଏକ ‘କେମିକାଲ୍‌ ସଲ୍ୟୁସନ୍‌’ରେ ମିଶ୍ରଣ କରିବେ । ଏହାଦ୍ୱାରା ଭୂତାଣୁକୁ ଚିହ୍ନଟ କରାଯାଇ ପାରିବ ଏବଂ ଏହାର ଜେନେଟିକ୍‌ ପଦାର୍ଥ ବାହାର କରିହେବ । ଏହାପରେ ନମୁନାକୁ ଆଇଡି ଏନ୍‌ଓଡବ୍ଲ୍ୟୁ କିଟ୍‌ରେ ସ୍ଥାନିତ କରାଯିବ । ଏହି ଉପକରଣ ଏକ ସ୍ୱତନ୍ତ୍ର ‘ଆଇସୋଥର୍ମାଲ ଟେକ୍ନୋଲୋଜି’ ବ୍ୟବହାର କରିଥାଏ । ଏହାପରେ ସାଙ୍ଗେ ସାଙ୍ଗେ ରୋଗୀ କରୋନା ପଜିଟିଭ୍‌ କି ନେଗେଟିଭ୍‌, ତାହା ଜଣାପଡ଼ିଥାଏ ।

ଜନ୍‌ ଫ୍ରେଲ୍‌ସଙ୍କ କହିବାନୁଯାୟୀ ସ୍ୱାସ୍ଥ୍ୟ କର୍ମୀମାନେ ଏହି ମେସିନ୍‌କୁ ବ୍ୟବହାର କରି ଖୁବ୍‌ କମ୍‌ ସମୟରେ ରୋଗୀ ଚିହ୍ନଟ କରିପାରିବେ । ଏହାଦ୍ୱାରା ସେମାନେ ରୋଗୀର କିଭଳି ଚିକିତ୍ସା କରିବେ, ସେ ନେଇ ତୁରନ୍ତ ନିଷ୍ପତ୍ତି ନେଇପାରିବେ । ଖାଲି ସେତିକି ନୁହେଁ, ଖୁବ୍‌ କମ୍‌ ସମୟରେ ରୋଗୀ ଚିହ୍ନଟ ହେବା ଦ୍ୱାରା ଅନ୍ୟ ଲୋକର ଶରୀରକୁ କରୋନା ଭୂତାଣୁ ବ୍ୟାପିବା ଆଶଙ୍କା ହ୍ରାସ ପାଇବ ।

ଆମେରିକାର ସ୍ୱାସ୍ଥ୍ୟ ଓ ମାନବ ସେବା ବିଭାଗର ସହକାରୀ ସଚିବ ଆଡାମ୍‌ ବ୍ରେଟ୍‌ ଗିରୋର୍‌ କହିଛନ୍ତି, ଦେଶରେ ବର୍ତ୍ତମାନ ସୁଦ୍ଧା ବିଭିନ୍ନ ହସ୍ପିଟାଲ ଓ ଡାକ୍ତରଙ୍କ କାର୍ଯ୍ୟାଳୟରେ ମୋଟ ୧୮,୦୦୦ ଆଇଡି ଏନ୍‌ଓଡବ୍ଲ୍ୟୁ ମେସିନ୍‌ ରହିଛି । ପ୍ରାରମ୍ଭିକ ଭାବେ ଆବଟ୍‌ ଦୈନିକ ୫୦,୦୦୦ ମେସିନ୍‌ ଯୋଗାଇବ । ଏହାପରେ ମାସକୁ ୧୦ ଲକ୍ଷରୁ ଅଧିକ ଯୋଗାଣ କରିବ ।

   ସମ୍ବନ୍ଧିତ ଖବର


BOEING 777 : ପ୍ରଥମ ଥର ପାଇଁ ସାମ୍ନାକୁ ଆସିଲା ପ୍ରଧାନମନ୍ତ୍ରୀ ମୋଦିଙ୍କ ନୂଆ ବିଳାସପୂର୍ଣ୍ଣ ବିମାନର ଫଟୋ

WHOର ଚେତାବନୀ ! ଭାରତରେ ଫାଟିବ କରୋନା ବୋମା

କରୋନା-ଶାରିରୀକ ସମ୍ପର୍କ ରଖିବା ସମୟରେ ମାସ୍କ ପିନ୍ଧିବା ପାଇଁ ପରାମର୍ଶ ଦେଲେ ହାଭାର୍ଡର ଗବେଷକ

ସାଙ୍ଗ ମାନଙ୍କ ସହ ନିଜ ସ୍ତ୍ରୀଙ୍କର ଗଣଦୁଷ୍କର୍ମ କଲା ସ୍ୱାମୀ ! କାନ୍ଦୁଥିଲା ୫ ବର୍ଷିୟ ଶିଶୁ ପୁତ୍ର

ରାଜ୍ୟ ପାଇଁ ଆଶ୍ବସ୍ତି ଖବର: ସୁସ୍ଥ ହେଲେ ଆଉ ୧୧୨ ଜଣ କରୋନା ଆକ୍ରାନ୍ତ, କେନ୍ଦ୍ରାପଡ଼ା ଜିଲ୍ଲାରୁ ସର୍ବାଧିକ

ଟ୍ରମ୍ପଙ୍କ ଭିଡିଓକୁ ବ୍ଲକ୍‌ କଲା ଟ୍ୱିଟର