ପୁଞ୍ଜି ବଜାରରେ ଉତ୍ସାହ ଭରିଲା ଆମେରିକା: ୧,୮୬୧ ପଏଣ୍ଟକୁ ବଢ଼ିଲା ସେନ୍‌ସେକ୍ସ, ନିବେଶକ ଫେରିପାଇଲେ ୪.୭ ଲକ୍ଷ କୋଟି

ମୁମ୍ବାଇ ୨୬/୩: କରୋନା ଭୂତାଣୁ ସଂକ୍ରମଣ ଯୋଗୁ ଭାରତୀୟ ପୁଞ୍ଜି ବଜାର ଧରାଶାୟୀ ହୋଇପଡ଼ିଥିଲା । ପୂର୍ବରୁ ୪୫,୦୦୦ ପାର୍‌ କରିସାରିଥିବା ବିଏସ୍‌ଇ ସେନସେକ୍ସ କରୋନା ମାଡ଼ରେ ପାଖାପାଖି ୨୭,୦୦୦ ସ୍ତରକୁ ଖସିଆସିଥିଲା । ନିବେଶକମାନେ ୨୦ ଲକ୍ଷ କୋଟି ଟଙ୍କାରୁ ଅଧିକ କ୍ଷତି ସାମ୍ନା କରିଥିଲେ । କିନ୍ତୁ ବୁଧବାର ସେୟାର ବଜାରରେ ଉତ୍ସାହ ଫେରିଛି । ଫଳରେ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ୍‌ (ବିଏସ୍‌ଇ) ସେନ୍‌ସେକ୍ସ ୧,୮୬୧.୭୫ ପଏଣ୍ଟ ବୃଦ୍ଧି ପାଇ କାରବାର ଶେଷ ସୁଦ୍ଧା ୨୮,୫୩୫.୭୮ ପଏଣ୍ଟରେ ପହଞ୍ଚିଛି ।

ଗତ ୧୧ ବର୍ଷ ମଧ୍ୟରେ ସେନ୍‌ସେକ୍ସରେ ଏହା ସର୍ବାଧିକ ଦିନିକିଆ ବୃଦ୍ଧି । ଏହାଦ୍ୱାରା ନିବେଶକଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ସେମାନେ ୪.୭ ଲକ୍ଷ କୋଟି ଟଙ୍କା ଫେରିପାଇଛନ୍ତି। ଆମେରିକା ଏକ ବଡ଼ ଆର୍ଥିକ ପ୍ୟାକେଜ୍‌ ଆଣୁଥିବା ଖବର ପୁଞ୍ଜି ବଜାରକୁ ଉତ୍ସାହିତ କରିଛି ।

ନ୍ୟାସନାଲ ଷ୍ଟକ୍‌ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ) ନିଫ୍ଟି ବୁଧବାର ୫୧୬.୮୦ ପଏଣ୍ଟ ବଢ଼ି କାରବାର ଶେଷ ସୁଦ୍ଧା ୮,୩୧୭.୮୫ ପଏଣ୍ଟରେ ବନ୍ଦ ରହିଛି । ବିଏସ୍‌ଇ ଏବଂ ଏନ୍‌ଏସ୍‌ଇ ବାର୍ଷିକ ଭିତ୍ତିରେ ଯଥାକ୍ରମେ ୩୦.୮% ଓ ୩୧.୮% କମ୍‌ ରହିଛି । ସେନ୍‌ସେକ୍ସ ଓ ନିଫ୍ଟିରେ ଏଭଳି ଦିନିକିଆ ବୃଦ୍ଧି ଯୋଗୁ ନିବେଶକମାନଙ୍କ ସମ୍ପତ୍ତି ୪.୭ ଲକ୍ଷ କୋଟି ଟଙ୍କା ବୃଦ୍ଧି ପାଇଛି । ବିଏସ୍‌ଇରେ ତାଲିକାଭୁକ୍ତ କମ୍ପାନିଗୁଡ଼ିକର ବଜାର ମୂଲ୍ୟ ୧୦୮.୪୧ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି ।

ପୁଞ୍ଜି ବଜାରରେ ଏଭଳି ଉତ୍ସାହ ଫେରିବା ପଛରେ ଆମେରିକାର ହାତ ରହିଛି । ଆମେରିକାର ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ଏବଂ ଆମେରିକୀୟ ସିନେଟରମାନେ କରୋନା ପ୍ରଭାବରୁ ଅର୍ଥନୀତିକୁ ସୁରକ୍ଷିତ ରଖିବା ପାଇଁ ଏକ ବଡ଼ଧରଣର ଅର୍ଥନୈତିକ ପ୍ରୋତ୍ସାହନ ବିଲ୍‌ ନେଇ ସହମତ ହୋଇଛନ୍ତି । ଏହି ଖବର ବିଶ୍ୱର ତମାମ ସେୟାର ବଜାରକୁ ଖୁସି କରିଛି ।
ଅନ୍ୟପକ୍ଷରେ ଭାରତର ଅର୍ଥ ମନ୍ତ୍ରାଳୟ ଅଧିକାରୀମାନେ ଏକ ପ୍ରୋତ୍ସାହନ ପ୍ୟାକେଜ୍‌ ଯୋଜନା ବାବଦରେ କାର୍ଯ୍ୟ କରୁଥିବା ଖବର ମିଳିଛି । ତେଣୁ ଏହି ଖବର ମଧ୍ୟ ପୁଞ୍ଜି ବଜାରରେ ଉତ୍ସାହ ଫେରାଇ ଆଣିଛି । ଏହାବ୍ୟତୀତ କେନ୍ଦ୍ର ସରକାର ବଜାରରେ ସ୍ଥିରତା ଆଣିବା ପାଇଁ ୫୦,୦୦୦ କୋଟି ଟଙ୍କାର ଏକ ପାଣ୍ଠି ବ୍ୟବସ୍ଥା କରିପାରନ୍ତି ବୋଲି ଆଶା କରାଯାଉଛି ।

ବୁଧବାର ସମସ୍ତ କ୍ଷେତ୍ରୀୟ ସୂଚକାଙ୍କରେ ବୃଦ୍ଧି ଦେଖିବାକୁ ମିଳିଥିଲା । ଶକ୍ତିଠାରୁ ଟେଲିକମ୍‌ ପର୍ଯ୍ୟନ୍ତ ଶିଳ୍ପ ୧୪.୬୫% ବୃଦ୍ଧି ପାଇଥିଲା । କାରବାର ମଝିରେ ଏହା ୨୨.୧୫% ପର୍ଯ୍ୟନ୍ତ ବୃଦ୍ଧି ପାଇଥିଲା । ଫଳରେ ୨୦୦୯ ମେ ୨୨ ପରଠାରୁ ଏହା ସର୍ବାଧିକ ଦିନିକିଆ ବୃଦ୍ଧି ହୋଇଥିଲା । ଅନ୍ୟପକ୍ଷରେ ଟେଲିକମ୍‌ କମ୍ପାନି ରିଲାଏନ୍ସ ଜିଓର ବିପୁଳ ମୂଲ୍ୟର ଅଂଶଧନ ଫେସ୍‌ବୁକ୍‌ କିଣିବ ବୋଲି ରିପୋର୍ଟ ହସ୍ତଗତ ହୋଇଛି ।

   ସମ୍ବନ୍ଧିତ ଖବର


ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି କରୋନା ପଜିଟିଭ୍

ଲାଲ୍‌ କିଲ୍ଲାରୁ ସାଇବର ଓ୍ୱାର ପ୍ରତିହତ ପାଇଁ ପ୍ରଧାନମନ୍ତ୍ରୀଙ୍କର ବଡ ଘୋଷଣା

ଇଏ ସେହି ମହିଳା, ଯିଏ ପୁରା ବିଶ୍ୱ ପାଇଁ ତିଆରି କରନ୍ତି Indian Flag

କରୋନା କାଳରେ ଚାଲିଛି ଅରବପତିଙ୍କ ବିଳାସପୂର୍ଣ୍ଣ ପାର୍ଟି, ଅତିଥିଙ୍କର ପ୍ରତି ୧୫ ମିନିଟରେ ହେଉଛି କୋଭିଡ୍ ଟେଷ୍ଟ

କୋଭିଡ୍‌ ପାଇଁ ରୁଷ୍‌ରେ ପ୍ରଥମ ବ୍ୟାଚ ଟିକା ଉତ୍ପାଦନ ଆରମ୍ଭ

ସୁଶାନ୍ତଙ୍କ ପୋଷ୍ଟମର୍ଟମ ରିପୋର୍ଟରେ ନଥିଲା ଡେଥ୍ ଟାଇମ୍, ପ୍ରଶ୍ନ ଉଠାଇଲେ ଓକିଲ