ଡବ୍ଲ୍ୟୁଏଚ୍‌ଓ ଅବହେଳାରୁ ବ୍ୟାପିଲା କରୋନା ଭୂତାଣୁ!

ନୂଆଦିଲ୍ଲୀ୨୬/୩: କରୋନା ଭୂତାଣୁ ଏବେ ସମଗ୍ର ବିଶ୍ୱରେ ଯେଉଁ ଉତ୍ପାତ କରୁଛି, ତା’ ପାଇଁ ଚୀନ୍‌ ଯେତିକି ମାତ୍ରାରେ ଦାୟୀ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ବି ସେତିକି ମାତ୍ରାରେ ଦାୟୀ । କୁହାଯାଉଛି କି ଏବେ ଏହି ସଂଗଠନର ଅଧ୍ୟକ୍ଷ ଥିବା ଟେଡ୍ରୋସ ଆଢାନମ ଘେବ୍ରିୟେସସଙ୍କର ସ୍ୱାସ୍ଥ୍ୟ କ୍ଷେତ୍ରରେ ଯଥେଷ୍ଟ ଅଭିଜ୍ଞତା ନାହିଁ । ପୂର୍ବରୁ ଇବୋଲା ବ୍ୟାପିଲା ବେଳେ ବି ସେ ଅନୁରୂପ ଭାବେ ଅବହେଳା ପ୍ରଦର୍ଶନ କରିଥିଲେ । ଏବେ ସେ ପୁଣି ଥରେ ସେପରି ଭୁଲ କରିଛନ୍ତି, ଯାହାଯୋଗୁ ଏବେ ହଜାର ହଜାର ଲୋକଙ୍କ ଜୀବନ ଯାଉଛି । ଅଭିଯୋଗ କରାଯାଉଛି କି ତାଙ୍କର ଚୀନ୍‌ ସହିତ କିଛି ଭିତିରିଆ ସମ୍ପର୍କ ଅଛି । ତେଣୁ ଚୀନ୍‌କୁ ବଞ୍ଚାଇବା ପାଇଁ ସେ ଆରମ୍ଭରୁ ଏହି ବିଷୟର ଗୁରୁତ୍ୱକୁ ଅଣଦେଖା କରିଥିଲେ।

ଚୀନ୍‌ରେ କରୋନା ବ୍ୟାପିବା ଆରମ୍ଭ କରିବା ମାତ୍ରେ ତାଇୱାନ୍‌ ଖୁବ ସତର୍କ ହୋଇଯାଇ ଏହାର ଛାନଭିନ୍‌ କରିଥିଲା । ଗତ ଡିସେମ୍ବର ୩୧ରେ ତାଇୱାନର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ଏକ ପତ୍ର ଲେଖାଯାଇଥିଲା ଯେଉଁଥିରେ ଚୀନ୍‌ର ୱୁହାନରେ ବ୍ୟାପୁଥିବା କରୋନା ଭୂତାଣୁ ମଣିଷ ଠାରୁ ମଣିଷକୁ ଡେଉଁଛି କି ନାହିଁ ତାହାର ଯାଞ୍ଚ ପାଇଁ ଦାବି କରାଯାଇଥିଲା । ତାଇୱାନ ଦର୍ଶାଇଥିଲା କି ତା’ର ବିଶେଷଜ୍ଞ ୱୁହାନ ଯାଇଥିଲେ ମଧ୍ୟ ଚୀନ୍‌ ସରକାର ସେମାନଙ୍କୁ କରୋନା ରୋଗୀଙ୍କୁ ଦେଖିବାକୁ ସୁଯୋଗ ଦେଇ ନଥିଲେ । ଯଦି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସେତେବେଳେ ତାଇୱାନର ପତ୍ରକୁ ଗୁରୁତ୍ୱ ଦେଇଥାନ୍ତା, ତା’ହେଲେ ଏଭଳି ଭୟଙ୍କର ପରିସ୍ଥିତି ଉପୁଜି ନ ଥାନ୍ତା । ଖାଲି ସେତିକି ନୁହେଁ, ଜାନୁଆରୀରେ ସଂଗଠନ ଦ୍ୱାରା ସ୍ପଷ୍ଟ ଭାବେ କୁହାଗଲା ଯେ ୱୁହାନରେ ବ୍ୟାପୁଥିବା ଭାଇରସ ମଣିଷରୁ ମଣିଷ ଦେହକୁ ଡେଉଁଥିବାର କିଛି ପ୍ରମାଣ ନାହିଁ । ମାତ୍ର ଜାନୁଆରୀ ଶେଷ ଭାଗ ବେଳକୁ ଚୀନ୍‌ରେ ୱୁହାନ ସମେତ ଅନେକ ସହରକୁ ଅଚଳ କରିଦିଆଯାଇଥିଲା । କାରଣ ଚୀନ୍‌ ସରକାର ଜାଣିସାରିଥିଲେ ଯେ ଏହି ଭାଇରସ ମଣିଷ ଠାରୁ ମଣିଷକୁ ଡେଉଁଛି। ତେଣୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କେବଳ ଚୀନ୍‌କୁ ସୁରକ୍ଷା ଦେବାକୁ ଯାଇ ପ୍ରଥମେ ଭୁଲ ସ୍ପଷ୍ଟୀକରଣ ଦେଇଥିଲା ।

ସଂଗଠନ ଦ୍ୱାରା ମାର୍ଚ୍ଚ ମାସରେ କରୋନାକୁ ମହାମାରୀ ବୋଲି ଘୋଷଣା କରାଗଲା । ଏଭଳି ଘୋଷଣା କରିବାରେ ତିନି ମାସର ବିଳମ୍ବ କରାଗଲା ଯାହାର ପରିଣାମ ଏବେ ବିଶ୍ୱବାସୀ ଭୋଗ କରୁଛନ୍ତି । ଏମିତିକି ଯେତେବେଳେ ଭାରତ ଓ ଆମେରିକା ପରି ଦେଶମାନେ ଚୀନ୍‌ ଉପରେ ଟ୍ରାଭେଲ୍‌ ବ୍ୟାନ୍‌ ଲଗାଇବା ଆରମ୍ଭ କଲେ ସେତେବେଳେ ବି ସଂଗଠନ ପକ୍ଷରୁ ଏଭଳି ପଦକ୍ଷେପ ଯଥାର୍ଥ ନୁହେଁ ବୋଲି କୁହାଯାଇଥିଲା । ଚୀନ୍‌ରୁ ଆସିଥିବା ଯାତ୍ରୀମାନଙ୍କର ଥର୍ମାଲ ସ୍କ୍ରିନିଂ କରାଯିବ ବୋଲି ଅନେକ ଦେଶ ଯେତେବେଳେ ଘୋଷଣା କଲେ, ସେତେବେଳେ ମଧ୍ୟ ସଂଗଠନ ତାହାକୁ ନାପସନ୍ଦ କରିଥିଲା । ଏସବୁ କାରଣରୁ ଏବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏବଂ ଏହାର ଅଧ୍ୟକ୍ଷ ଟେଡ୍ରୋସଙ୍କ ବିରୋଧରେ ଆନ୍ତର୍ଜାତିକ ଅଦାଲତରେ ଅପରାଧିକ ମାମଲା ଚଳାଇବାକୁ ଦାବି ଉଠୁଛି ।

   ସମ୍ବନ୍ଧିତ ଖବର


ଭୁବନେଶ୍ୱର , ଭଦ୍ରକ ସହ କଟକ ସମ୍ପୂର୍ଣ୍ଣ ସଟ୍ ଡାଉନ୍, ୪୮ଘଣ୍ଟା ବନ୍ଦ

ନଟ୍ ଆଉଟ୍!… କରୋନା ନୁହେଁ ସନ୍ଦିଗ୍ଧ

କେରଳରେ ମଦ ଦେକାନ ବନ୍ଦ: ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଉପରେ ହାଇକୋର୍ଟଙ୍କ ବ୍ରେକ୍

ଏବେ କଟକ ସମ୍ପୂର୍ଣ୍ଣ ସଟ୍ ଡାଉନ୍